କୋଭିଡ଼୍ ନିୟମ ଉଲଂଘନକାରୀଙ୍କ ପାଇଁ BMCର କଡା ଚେତାବନୀ, ନିୟମ ଭାଙ୍ଗିଲେ ୫ ଶହ ଟଙ୍କା ଜରିମାନା

ରାଜ୍ୟରେ କରୋନା ସଂକ୍ରାମିତଙ୍କ ସଂଖ୍ୟା ବଢୁଥିବା ବେଳେ, ବିଏମସି ପକ୍ଷରୁ ଆରମ୍ଭ ହୋଇଯାଇଛି କଡା ନିୟମ | କୋଭିଡ଼ ନିୟମ ଭାଙ୍ଗିଲେ ୫ ଶହ ଟଙ୍କା ଜରିମାନା ଦେବାକୁ ପଡିବ ବୋଲି ବିଏମସି ଧାର୍ଯ୍ୟ କରିଛି । ଘରୁ ବାହାରିଲେ ସଠିକ୍ ଭାବେ ମାସ୍କ ପିନ୍ଧିବା ସୁନିଶ୍ଚିତ କରନ୍ତୁ । ସର୍ବ ସାଧାରଣ ସ୍ଥାନରେ ୨ ମିଟର ଦୂରତା ଓ ଭିଡ଼ରୁ ନିବୃତ୍ତ ରହିବାକୁ ପରାମର୍ଶ ଦିଆଯାଇଛି ।

ସୂଚନାଯୋଗ୍ୟ, ଖୋର୍ଦ୍ଧା ଜିଲ୍ଲାରୁ ଅଧିକାଂଶ କୋଭିଡ୍ ସଂକ୍ରମିତ ଚିହ୍ନଟ ହେଉଛନ୍ତି | ରାଜଧାନୀରେ ବ୍ୟାପକ ଟିକାକରଣ, ସଚେତନତା, ଚଢ଼ାଉ ପରେ ବି ସଂକ୍ରମଣ କମିବାର ନାଁ ଧରୁନାହିଁ | ଗତ କିଛିଦିନ ତଳେ ସଂକ୍ରମଣ ୧୫ରୁ ୨୦ଟି ଜିଲ୍ଲା ମଧ୍ୟରେ ସୀମିତ ରହୁଥିବା ବେଳେ ଏବେ ଏହା ରାଜ୍ୟବ୍ୟାପୀ ମାଡ଼ିଗଲାଣି । ଆଜି ୪୮୨୯ ଜଣ ପଜିଟିଭ ଚିହ୍ନଟ ହୋଇଛନ୍ତି । ସେମାନଙ୍କ ମଧ୍ୟରୁ ସଙ୍ଗରୋଧରୁ ୨୮୨୩ ଓ ସ୍ଥାନୀୟ ଅଞ୍ଚଳରୁ ୨୦୦୬ ଜଣ ଚିହ୍ନଟ ହୋଇଛନ୍ତି । ଏଥିସହ ୪୪୮ ଜଣ ୧୮ ବର୍ଷରୁ କମ ବୟସର ପିଲା ସଂକ୍ରମିତ ହୋଇଛନ୍ତି । ଏହି କ୍ରମରେ ରାଜ୍ୟରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୧୦ ଲକ୍ଷ ୭୫ ହଜାର ୬୯୮ରେ ପହଞ୍ଚିଛି । ରାଜ୍ୟରେ ସୁସ୍ଥ ସଂଖ୍ୟା ୧୦ ଲକ୍ଷ ୪୬ ହଜାର ୬୧୭ ରହିଥିବା ବେଳେ ୨୦ ହଜାର ୫୬୦ ଜଣ ଚିକିତ୍ସିତ ହେଉଛନ୍ତି । ତେବେ ଆଜି ଖୋର୍ଦ୍ଧା ଜିଲ୍ଲାରୁ ସର୍ବାଧିକ ୯୩୩ ଜଣ କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି । ଏନେଇ ସୂଚନା ଓ ଲୋକ ସଂପର୍କ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି ।

ଅନ୍ୟପଟେ ରାଜ୍ୟରେ ଓମିକ୍ରନ ଆକ୍ରାନ୍ତଙ୍କ ସଂଖ୍ୟା ୧୦୩କୁ ବୃଦ୍ଧି ପାଇଛି । ଡିସେମ୍ବର ୨୧ରେ ପ୍ରଥମେ ୨ ଆକ୍ରାନ୍ତ ରାଜ୍ୟରେ ଚିହ୍ନଟ ହୋଇଥିଲେ । ଡିସେମ୍ବର ୨୩ରେ ଆଉ ୨ଜଣ ଓମିକ୍ରନ୍ ଆକ୍ରାନ୍ତ ଚିହ୍ନଟ ହୋଇଥିଲେ । ଡେସେମ୍ବର ୨୬ରେ ଏଥିରେ ସାମାନ୍ୟ ବୃଦ୍ଧି ହୋଇ ୪ଜଣ ପଜିଟିଭ୍ ଚିହ୍ନଟ ହୋଇଥିଲେ । ଏହାପରେ ଡିସେମ୍ବର ୨୯ରେ ଜଣେ, ଡିସେମ୍ବର ୩୦ରେ ୫, ଜାନୁଆରୀ ୨ରେ ୨୩, ଜାନୁଆରୀ ୫ତାରିଖରେ ୨୪, ଜାନୁଆରୀ ୮ତାରିଖରେ ୧୪ ଚିହ୍ନଟ ହୋଇଥିବା ବେଳେ ଗତ ୨୪ ଘଣ୍ଟାରେ ୨୮ଜଣ ପଜିଟିଭ୍ ଚିହ୍ନ ହୋଇଛନ୍ତି ।

Related Posts