ଭାରତରେ କରୋନା ବିସ୍ଫୋରଣ: 24 ଘଣ୍ଟା ମଧ୍ୟରେ ଦେଶରେ 1,17,100 ନୂଆ ପଜିଟିଭ ମାମଲା ଚିହ୍ନଟ

ପୁଣିଥରେ ଭାରତରେ ଆତଙ୍କ ଖେଳାଇବା ଆରମ୍ଭ କରିଦେଇଛି କରୋନା | ଦିନକରେ ଲକ୍ଷେ ପାର୍ କରିଛି ସଂକ୍ରମିତଙ୍କ ସଂଖ୍ୟା | ଗତ 24 ଘଣ୍ଟା ମଧ୍ୟରେ ଦେଶରେ 1,17,100 ନୂଆ ପଜିଟିଭ ମାମଲା ଚିହ୍ନଟ ହୋଇଛି । ଗୋଟିଏ ଦିନରେ 30,836 ଆକ୍ରାନ୍ତ ସୁସ୍ଥ ହୋଇଥିବାବେଳେ 302 ଜଣଙ୍କ ମୁଣ୍ଡ ନେଇଛି ମହାମାରୀ ।

ବର୍ତ୍ତମାନ ଭାରତରେ ପଜିଟିଭ ହାର 7.74% ରହିଛି । ନୂଆ ସଂକ୍ରମଣ ମାମଲାକୁ ମିଶାଇ ଦେଶରେ ସକ୍ରିୟ ମାମଲା 3,71,363କୁ ବୃଦ୍ଧି ପାଇଛି । ସେହିପରି ଏବେ ସୁଦ୍ଧା ସମୁଦାୟ 3,43,71,845 ଜଣ ସୁସ୍ଥ ହୋଇଛନ୍ତି ଏବଂ 4,83,178 ଜଣ ଆକ୍ରାନ୍ତ ପ୍ରାଣ ହରାଇଛନ୍ତି । ମହାମାରୀ ପ୍ରସାର ମଧ୍ୟରେ ବି ଦେଶରେ ଟୀକାକରଣ ଜୋରଦାର୍ ଚାଲିଛି । ଜାନୁଆରୀରୁ କିଶୋର-କିଶୋରୀଙ୍କ ଟୀକାକରଣ ଆରମ୍ଭ ହୋଇଯାଇଥିବାବେଳେ ଦେଶରେ ଏ ଯାଏଁ ମୋଟ 149.66 ଡୋଜ୍ ଟିକା ଦିଆଯାଇଛି ।ଦିନକୁ ଦିନ ପୂର୍ବ ଅପେକ୍ଷା ଦ୍ରୁତଗତିରେ ବଢିଚାଲିଛି ଦୈନିକ ସଂକ୍ରମଣ । 10 ଦିନ ତଳେ ଦୈନିକ ପଜିଟିଭ ମାମଲା 10 ହଜାର୍ ତଳେ ଥିବାବେଳେ କେଇଟା ଦିନ ମଧ୍ୟରେ ସଂକ୍ରମଣ ଏକ ଲକ୍ଷ ଅତିକ୍ରମ କରିଛି । ଲୋକେ ମଧ୍ୟ କୋରୋନା ଏଭଳି ପ୍ରାଦୁର୍ଭାବ ଦେଖି ଛାନିଆ ହୋଇଛନ୍ତି । ବିଶେଷକରି ମହାରାଷ୍ଟ୍ର ଏବଂ ଦିଲ୍ଲୀରେ ସ୍ଥିତି ଜଟିଳ ହେବାରେ ଲାଗିଛି ।

ଅନ୍ୟପଟେ ଗତ ୨୪ ଘଣ୍ଟାରେ ରାଜ୍ୟରୁ ୨୭୦୩ ନୂଆ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ସଂକ୍ରମିତଙ୍କ ମଧ୍ୟରୁ ୧୫୭୯ ଜଣ କ୍ୱାରେଣ୍ଟାଇନରୁ ଚିହ୍ନଟ ହୋଇଥିବା ବେଳେ ୧୧୨୪ ଜଣ ସ୍ଥାନୀୟ ସଂକ୍ରମିତ ରହିଛନ୍ତି । ସେହିପରି ୧୮ ବର୍ଷରୁ କମ୍ ବୟସର ରହିଛନ୍ତି ୪୦୯ ଜଣ ।

ଏହାକୁ ମିଶାଇ ରାଜ୍ୟରେ ମୋଟ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୧୦୬୨୪୭୬ ଜଣକୁ ବୃଦ୍ଧି ପାଇଛି । ଏନେଇ ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ଟ୍ୱିଟ୍ ଯୋଗେ ସୂଚନା ଦିଆଯାଇଛି ।

Related Posts