ଏବେ ସମସ୍ତ ରାଜ୍ୟକୁ ଘାରିଛି ଓମିକ୍ରନ୍ ଚିନ୍ତା | ଯେପରି ଆଗକୁ ସ୍ଥିତି ଜଟିଳ ନହୁଏ ସେନେଇ ତତ୍ପର ଓ ପ୍ରସ୍ତୁତ ରହିବ ପାଇଁ ଯୋଜନା ପ୍ରସ୍ତୁତ କରୁଛନ୍ତି ରାଜ୍ୟସରକାର | ସେପଟେ ଓଡିଶା ସରକାର ମଧ୍ୟ ଭାରିଆଣ୍ଟ ଓମିକ୍ରନ୍ ମୁକାବିଲା ପ୍ରସ୍ତୁତିର ସମୀକ୍ଷା କରିଛନ୍ତି । ଟିକାକରଣକୁ ତ୍ୱରାନ୍ୱିତ କରିବା, ସବୁ କୋଭିଡ ଚିକିତ୍ସା ବ୍ୟବସ୍ଥାକୁ କ୍ରିୟାଶୀଳ କରିବା ପାଇଁ ପ୍ରଶାସନକୁ ନିର୍ଦ୍ଦେଶ ଦେଇଛନ୍ତି ।
ଓମିକ୍ରନ୍ ଲହରି ଆସିବା ପୂର୍ବରୁ ଯୁଦ୍ଧକାଳୀନ ଭିତ୍ତିରେ ସମସ୍ତ ପ୍ରସ୍ତୁତି ଶେଷ କରିବାକୁ କହିଛନ୍ତି ମୁଖ୍ୟମନ୍ତ୍ରୀ ।
ମୁଖ୍ୟମନ୍ତ୍ରୀ କହିଛନ୍ତି, ସାରା ବିଶ୍ୱରେ ଓମିକ୍ରନ ପ୍ରଭାବ ବିସ୍ତାର କରୁଥିବା ବେଳେ ଓଡିଶାରେ ୮ଟି କେସ୍ ଦେଖାଦେଇଛି । ଆଗାମୀ ସପ୍ତାହଗୁଡିକରେ ଏହାର ପ୍ରଭାବ ଆହୁରି ବଢିପାରେ । ତେଣୁ ଆମକୁ ଅଧିକ ସତର୍କ ରହିବା ସହିତ ଆଗୁଆ ପଦକ୍ଷେପ ନେଇ ଏହାକୁ ରୋକିବା ପାଇଁ କାର୍ଯ୍ୟକ୍ରମ କରିବାକୁ ହେବ । ଏଥିସହ ସମସ୍ତ ସଂପୃକ୍ତ ବିଭାଗ ଗୁଡିକୁ ପରାମର୍ଶ ଦେଇ କହିଛନ୍ତି ଟିକାକରଣକୁ ତ୍ୱରାନ୍ୱିତ କରିବା ପାଇଁ ଜିଲ୍ଲା ପ୍ରଶାସନ ଦ୍ୱାରା ସ୍ୱତନ୍ତ୍ର ଅଭିଯାନ କରାଯାଉ ।
ଏହି ଅବସରରେ ଜନସାଧାରଣଙ୍କୁ ନିବେଦନ କରି ମୁଖ୍ୟମନ୍ତ୍ରୀ ସତର୍କ ରହିବା ସହିତ ସମସ୍ତ କୋଭିଡ ନିୟମର ଅନୁପାଳନ କରିବା ପାଇଁ ପରାମର୍ଶ ଦେଇଛନ୍ତି । ଏଥିପାଇଁ ସରକାରୀ କର୍ତ୍ତୃପକ୍ଷଙ୍କ ସହିତ ସହଯୋଗ କରିବା ପାଇଁ ମଧ୍ୟ ସେ ନିବେଦନ କରିଛନ୍ତି ।