ମୟୂରଭଞ୍ଜ ଜିଲ୍ଲା ବେତନଟୀ ବ୍ଲକ୍ କଳମା ଗାଁ ନିକଟରେ ଗୋଷ୍ଠୀ ସଂଘର୍ଷ | ଫଳରେ ଏହି ସଙ୍ଘର୍ଷରେ ଏକାଧିକ ଆହତ ହୋଇଛନ୍ତି | ମୃତକ ଜଣଙ୍କ ହେଲେ ବାଲେଶ୍ଵର ସଦର ଥାନା ଜଙ୍ଖରାଇ ଗ୍ରାମର ସେକ୍ ଜିଲାନି।
ଏନେଇ ପୋଲିସ ଖବର ପାଇବା ପରେ ପୂର୍ବାଞ୍ଚଳ ଆଇଜି ହିମାଂଶୁ ଲାଲଙ୍କ ସମେତ ଉପଖଣ୍ଡ ପୁଲିସ ଅଧିକାରୀ, ୪ ଥାନାର ଆଇଆଇସି ଓ ମୟୂରଭଞ୍ଜ, ବାଲେଶ୍ଵର ଜିଲ୍ଲାରୁ ୨ ପ୍ଲାଟୁନ୍ ପୁଲିସ ଫୋର୍ସ ପହଞ୍ଚି ସ୍ଥିତି ନିୟନ୍ତ୍ରଣ କରୁଛନ୍ତି।
ସୂଚନା ଅନୁଯାୟୀ, ବୈଶିଙ୍ଗା ଥାନା ପଣସିଆ ଛକରେ ଏକ ଓଲ୍ଡିଂ ଦୋକାନ କରିଥିବା କଳମା ପଞ୍ଚାୟତ ଗୋବିନ୍ଦରାୟପୁର ଗ୍ରାମର ସେକ୍ ରେଫାକତ୍ ଖାଁ ଶନିବାର ସନ୍ଧ୍ୟାରେ ନିଜ ବନ୍ଧୁ ସେକ୍ ୱାସିମ୍ଙ୍କ ସହ ବୁଲେଟ୍ ମଟର ସାଇକେଲରେ ଦୋକାନକୁ ଆସୁଥିଲେ। ପଛରେ ଏକ ଅଟୋରେ ତାଙ୍କ ଓଲ୍ଡିଂ ସାମଗ୍ରୀ ଲୋଡ୍ କରି ଏକ ଅଟୋ ଆସୁଥିଲା। କଳମା ପଶ୍ଚିମା ଠାକୁରାଣୀଙ୍କ ପାଖ ରାସ୍ତା ଉପରେ ଏକ ବଡ଼ ହମ୍ପ୍ସ ଥିବାରୁ ସେଠାରେ ଅଟୋ ପାର୍ ହେବାରେ ସମସ୍ୟା ହୋଇଥିଲା। ଏହାକୁ ନେଇ ସେକ୍ ରେଫାକତ୍ କିଛି ଆପତ୍ତିଜନକ ମନ୍ତବ୍ୟ ଦେଇଥିଲେ। ତେବେ ସେହି ସ୍ଥାନରେ ଠିଆ ହୋଇଥିବା କଳମା ଗ୍ରାମର ମନୋରଞ୍ଜନ ଜେନାଙ୍କ ପୁଅ ସରୋଜ ଓ ତାଙ୍କର ୭/୮ ଜଣ ବନ୍ଧୁ ଏହାକୁ ବିରୋଧ କରିଥିଲେ। ପୂର୍ବରୁ ଏହି ଦୁଇ ଜଣଙ୍କ ଭିତରେ ଶତ୍ରୁତା ଥିବାରୁ ସାମାନ୍ୟ ବଚସା ସଂଘର୍ଷର ରୂପ ନେଇଥିଲା। ଏହି ସଂଘର୍ଷରେ ସେକ୍ ରେଫାକତ୍ ଓ ତାଙ୍କ ବନ୍ଧୁ ୱାସିମ୍ ଆହତ ହୋଇଥିଲେ। ରେଫାକତ୍ଙ୍କ ଉପରେ ଆକ୍ରମଣ ହୋଇଥିବା ଖବର ପାଇ ପାଖ ଛକରେ ଟେଲର୍ ଦୋକାନ କରିଥିବା ଜଙ୍ଖରାଇ ଗ୍ରାମର ସେକ୍ ଜିଲାନି (୪୩) ଘଟଣାସ୍ଥଳକୁ ଦୌଡ଼ି ଆସିଥିଲେ। ହେଲେ ସେ ବି ସଂଘବଦ୍ଧ ଆକ୍ରମଣର ଶିକାର ହୋଇଥିଲେ।