(ସତ୍ଯପାଠ ବ୍ୟୁରୋ) ଭୁବନେଶ୍ବର : ଗୋବିନ୍ଦ ସାଙ୍ଗାରାମ ଚୋରୋଟିଆ, ସାନ୍ତୋଷ କାଲସେକର ଏବଂ ବିଶ୍ୱଜିତ ଦେବନାଥ। ଏହି ତିନି ଜଣ ଲୋକ ଆଉ ଦୁନିଆରେ ନାହାନ୍ତି। ଏମାନେ ସେପ୍ଟିକ୍ ଟାଙ୍କି ସଫା କରିବା ସମୟରେ ପ୍ରାଣ ହରାଇଛନ୍ତି। ଦେଶର ବିଭିନ୍ନ ସ୍ଥାନରେ ଏମାନଙ୍କ ପରି ଅନେକ ସେପ୍ଟିକ୍ ଟାଙ୍କି ସଫା କରୁଥିବା ଲୋକଙ୍କ ମୃତ୍ୟୁ ଘଟୁଛି। ଏମାନଙ୍କ ନାଁ ମଧ୍ୟ ସମସ୍ତଙ୍କ ପରି ସେହି ଫର୍ଦ୍ଦରେ ଯୋଡ଼ି ହୋଇଯାଇଥାନ୍ତା। କିନ୍ତୁ ଏହି ତିନି ଜଣ ବ୍ୟକ୍ତିଙ୍କ ପତ୍ନୀ – ବିମଳା ଚୋରୋଟିୟା, ନୀତା କଲସେକର ଏବଂ ବାଣୀ ଦେବନାଥଙ୍କ ଯୋଗୁଁ ଏବେ ସେମାନଙ୍କ ନାଁ ଉଦାହରଣ ପାଲଟିଗଲା। ଏହି ତିନି ଜଣ ବ୍ୟକ୍ତିଙ୍କ ମୃତ୍ୟୁ ପରେ ତାଙ୍କ ପତ୍ନୀ ମାନେ ଡିସେମ୍ବର 2019 ରେ ବମ୍ବେ ହାଇକୋର୍ଟଙ୍କ ଦ୍ଵାରସ୍ଥ ହୋଇଥିଲେ। ସେମାନେ Prohibition of Employment of Manual Scavengers Act (PEMSA), 2013 ଆଧାରରେ କ୍ଷତିପୂରଣ ଏବଂ ଥଇଥାନ ଦାବି କରିଥିଲେ।
ଏହି ମାମଲାକୁ ବମ୍ବେ ହାଇକୋର୍ଟ ଗ୍ରହଣ କରିବା ସଙ୍ଗେ ସଙ୍ଗେ ଏହାକୁ “ଆଖି ଖୋଲିଦେବା”(an eye-opener) ଭଳି ମାମଲା ଵୋଲି କହିଥିଲେ। ମାମଲାର ଶୁଣାଣି କରି ବମ୍ବେ ହାଇକୋର୍ଟ ୧୭ ସେପ୍ଟେମ୍ବର ଦିନ ମହାରାଷ୍ଟ୍ର ସରକାରଙ୍କୁ ଚାରି ସପ୍ତାହ ମଧ୍ୟରେ ଏହି ପରିବାର ମାନଙ୍କୁ କ୍ଷତିପୂରଣ ପ୍ରଦାନ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି। ମହାରାଷ୍ଟ୍ରରେ ଏହା ବୋଧହୁଏ ପ୍ରଥମ ମାମଲା ଯେଉଁଥିରେ ସେପ୍ଟିକ୍ ଟାଙ୍କି କ୍ଲିନର୍ସର ପରିବାର ସଦସ୍ୟଙ୍କୁ କ୍ଷତିପୂରଣ ଦେବାବେଳେ କୋର୍ଟ ରାଜ୍ୟକୁ ଉତ୍ତରଦାୟୀ କରିଛନ୍ତି। କ୍ଷତିପୂରଣ ସଙ୍ଗେ ସଙ୍ଗେ , ସଫାଇ କର୍ମଚାରୀ ଆନ୍ଦୋଳନ ବନାମ ୟୁନିଅନ୍ ଅଫ୍ ଇଣ୍ଡିଆ ୨୦୧୪ ରାୟର ଉଦାହରଣ ଦେଇ କୋର୍ଟ ସ୍ଥାନୀୟ ପ୍ରଶାସନକୁ ଉଭୟ “ଶକ୍ତି” ଏବଂ “ଦାୟିତ୍ବ” ଦେବାକୁ ନିର୍ଦ୍ଦେଶ ଦେଇଛନ୍ତି। ତେବେ ଦେଶର ଅଧିକାଂଶ ମ୍ୟୁନିସିପାଲିଟି କର୍ତ୍ତୃପକ୍ଷ ଆଇନଗତ ଦାୟିତ୍ବରୁ ବଞ୍ଚିବା ପାଇଁ ସବ୍-କଣ୍ଟ୍ରାକ୍ଟରମାନଙ୍କୁ ନିୟୋଜିତ କରନ୍ତି – ଯେମିତିକି ସେପଟିକ୍ ଟ୍ୟାଙ୍କ ଭିତରେ ଏହି ତିନି ଜଣଙ୍କ ମୃତଦେହ ମିଳିଥଲା।
ଏହି ମାମଲାର ମୁଖ୍ୟ ଆବେଦନକାରୀ ବିମଳା ଚୋରୋଟିଆ କହିଛନ୍ତି ଯେ ଆଇନଗତ ଲଢେଇ ତାଙ୍କ ପାଇଁ ସହଜ ନଥିଲା। ସେ କୁହନ୍ତି, ” ମୋର ତିନି ଛୋଟ ପିଲାଙ୍କ ଭବିଷ୍ୟତ ପାଇଁ ମୋତେ ଲଢିବାକୁ ପଡିଥିଲା।”
ବିମଳା , ନୀତା ଏବଂ ବାଣୀ ଏହି ତିନି ଜଣ ମହିଳା ମୁମ୍ବାଇର ଚେମ୍ବୁରରେ ହାଉସିଙ୍ଗ୍ ସୋସାଇଟିର କୋଷାଧ୍ୟକ୍ଷଙ୍କ ବିରୋଧରେ ସେପ୍ଟିକ୍ ଟ୍ୟାଙ୍କ ସଫା କରିବାର ଏକ ବେଆଇନ ତଥା ବିପଜ୍ଜନକ କାର୍ଯ୍ୟରେ ଲିପ୍ତ ଥିବା ଅଭିଯୋଗରେ ଏକ ଅପରାଧିକ ମାମଲା ରୁଜୁ କରିଥିଲେ। ଅବହେଳା କାରଣରୁ ମୃତ୍ୟୁ ଘଟାଇଥିବାରୁ ଅଭିଯୁକ୍ତ ପୱନଙ୍କୁ ଭାରତୀୟ ଦଣ୍ଡବିଧି ଆଇନର ଧାରା 304 (ଏ) ଅନୁଯାୟୀ ଗିରଫ କରାଯାଇଥିଲା ଏବଂ ସେ ତୁରନ୍ତ ଜାମିନରେ ବାହାରି ପଡ଼ିଥିଲେ।
ଏହି ତିନି ଜଣ ମହିଳା ସେମାନଙ୍କ ଓକିଲ ଇଶା ସିଂଙ୍କ ଜରିଆରେ ଅନୁସୂଚିତ ଜାତି ଏବଂ ଅନୁସୂଚିତ ଜନଜାତି (ପ୍ରିଭେନସନ୍ ଅଫ୍ ଆଟ୍ରୋସିଟିସ୍) ଆକ୍ଟ ଆଣ୍ଡ୍ PEMSA ଆଇନ ଆଧାରରେ କେସ୍ ମଜବୁତ୍ କରିବାକୁ ଚେଷ୍ଟା କଲେ।
ବିମଳାଙ୍କ ଘର ହେଉଛି ରାଜସ୍ଥାନର ନାଗର ଜିଲ୍ଲା। ସେ ଜଣେ ଅଶିକ୍ଷିତ ମହିଳା , ୧୬ ବର୍ଷ ବୟସରେ ଗୋବିନ୍ଦଙ୍କୁ ବିବାହ କରିଥିଲେ। ଉଭୟ ମୁମ୍ବାଇର ଚେମ୍ବୁର ଅଞ୍ଚଳରେ ରହୁଥିଲେ ଏବଂ ସେମାନଙ୍କର ତିନି ସନ୍ତାନର ଯତ୍ନ ନେବା ପାଇଁ କାମ କରିଥିଲେ।
ଏହି ତିନି ଜଣ ମହିଳାଙ୍କ କେସ୍ ଲଢୁଥିବା ଓକିଲ ଇଶା ସିଂ କହିଛନ୍ତି ଯେ, ସେପ୍ଟିକ୍ ଟାଙ୍କି ସଫା ସମୟରେ ସେମାନଙ୍କର ସୁରକ୍ଷାକୁ ବିଚାରକୁ ନିଆଯାଇ ନଥିଲା ଏପରି ବିପଜ୍ଜନକ କାର୍ଯ୍ୟ କରିବାକୁ ବିନା କୌଣସି ସେଫ୍ଟିରେ ପଠାଯାଇଥିଲା। ଯେତେବେଳେ କ୍ଷତିପୂରଣ ମାଗିଥିବା ରିଟ୍ ପିଟିସନ୍ ଦାଖଲ ହୋଇଥିଲା, ସେତେବେଳେ ସରକାର ଏଥିରୁ ମୁକ୍ତି ପାଇବାକୁ ଚେଷ୍ଟା କରିଥିଲେ। ସରକାରୀ ଆବେଦନକାରୀ ଘଟଣାର କିଛି ଦିନ ପୂର୍ବରୁ ମହାରାଷ୍ଟ୍ର ରାଜ୍ୟ ଦ୍ବାରା ପାରିତ ହୋଇଥିବା ସରକାରୀ ସଂକଳ୍ପକୁ ଦର୍ଶାଇ ଯୁକ୍ତି ବାଢିଥିଲେ ଯେ କୌଣସି ଘରୋଇ କଣ୍ଟ୍ରାକ୍ଟରଙ୍କ ସହ କାମ କରିବାବେଳେ ଏପରି ମୃତ୍ୟୁ ଘଟିଲେ ରାଜ୍ୟ ସରକାର କ୍ଷତିପୂରଣ ଦେବାକୁ ଦାୟୀ ନୁହେଁ। ଡିସେମ୍ବର 12, 2019 ରେ ସାମାଜିକ ନ୍ୟାୟ ବିଭାଗ ଦ୍ବାରା ପାରିତ ହୋଇଥିବା ଏହି ସଂକଳ୍ପରେ ଦର୍ଶାଯାଇଛି ଯେ ଘରୋଇ କଣ୍ଟ୍ରାକ୍ଟରଙ୍କଠାରୁ କ୍ଷତିପୂରଣ ପାଇବାରେ ସରକାର କେବଳ ସହାୟତା କରିବେ। “ଏହି ସରକାରୀ ରିଜୋଲ୍ୟୁସନ୍ ସ୍ପଷ୍ଟ ଭାବରେ 2014 ସୁପ୍ରିମକୋର୍ଟ ଦେଇଥିବା ସଫାଇ କର୍ମଚାରି ଆନ୍ଦୋଳନ ମାମଲାରେ ରାଜ୍ୟକୁ ଦାୟୀ କରିଛି। ଏପରି ଘୃଣ୍ୟ ଅଭ୍ୟାସକୁ ସମାପ୍ତ କରିବାକୁ ରାଜ୍ୟ ସରକାର ଉତ୍ତରଦାୟୀ ବୋଲି କୋର୍ଟ କହିଥିଲେ।
ଏହି ତିନି ବିଧବା ମହିଳା କହିଛନ୍ତି ଯେ କ୍ଷତିପୂରଣ ଅର୍ଥ ମିଳିବା ଦ୍ବାରା ସେମାନଙ୍କ ପିଲାମାନଙ୍କ ଶିକ୍ଷା ଜାରି ରହିବ। ଘଟଣାର ମାସକ ପରେ ମହାମାରୀ ଆରମ୍ଭ ହେଲା ଏବଂ ବଞ୍ଚିବା ପାଇଁ ମହିଳାମାନଙ୍କୁ ଦାନ ଉପରେ ନିର୍ଭର କରିବାକୁ ପଡିଲା। ସମୟ ସହିତ, ସେମାନେ ନିଜକୁ ଏକାଠି କଲେ । ବର୍ତ୍ତମାନ, ବିମଳା ନୀତା ଏବଂ ବାଣୀ ଘରୋଇ ଶ୍ରମିକ ଭାବେ କାର୍ଯ୍ୟ କରୁଛନ୍ତି।