(ସତ୍ଯପାଠ ବ୍ୟୁରୋ) ଭୁବନେଶ୍ୱର : ଗଣେଶ ମୂର୍ତି ବିସର୍ଜନ ବେଳେ ଭାସିଗଲେ ବିଦେଶୀ ମଦ ଦୋକାନ ମ୍ୟାନେଜର ସମେତ ୩ ଜଣ ବ୍ୟକ୍ତି । ଏଭଳି ଏକ ଅଭାବନୀୟ ଘଟଣା ଘଟିଛି ନୂଆପଡ଼ା ଜିଲ୍ଲାରେ। ନୂଆପଡ଼ା ଟାଉନ୍ରେ ଥିବା ଏକ ବିଦେଶୀ ମଦ ଦୋକାନରେ ଗଣେଶ ପୂଜା ଅନୁଷ୍ଠିତ ହୋଇଥିଲା। ତେବେ ଗୋଟିଏ ଗାଡ଼ିରେ ଗଣେଶ ମୂର୍ତି ବିସର୍ଜନ କରିବାକୁ ବିଦେଶୀ ମଦ ଦୋକନର ୬ ଜଣ କର୍ମଚାରୀ ସୁନାବେଡ଼ା ଅଭୟାରଣ୍ୟ ଗୋଧସ୍ ଜଳପ୍ରପାତକୁ ଯାଇଥିଲେ। ସେମାନଙ୍କ ମଧ୍ୟରୁ ୩ ଜଣ ବ୍ୟକ୍ତି ବାହାରେ ଥିବାବେଳେ ଅନ୍ୟ ୩ ଜଣ ପାଣି ଭିତରକୁ ମୂର୍ତି ବିସର୍ଜନ ପାଇଁ ଯାଇଥିଲେ ।
ବହୁ ସମୟ ପର୍ଯ୍ୟନ୍ତ ପାଣି ଭିତରକୁ ଯାଇଥିବା ୩ଜଣ ବ୍ୟକ୍ତି ନଫେରିବାରୁ ଅନ୍ୟ ୩ ଜଣ ବ୍ୟକ୍ତିଙ୍କର ସନ୍ଦେହ ହୋଇଥିଲା । ଏହା ପରେ ସେମାନେ ଜଳପ୍ରପାତ ନିକଟକୁ ଯାଇ ବହୁ ଖୋଜାଖୋଜି କରି ନିରାଶ ହୋଇଥିଲେ। ପରେ ଜଣାପଡିଥିଲା ଯେ ଗୋଧସ୍ ଜଳପ୍ରପାତରେ ଭାସି ଯାଇ ୩ ଜଣ ବ୍ୟକ୍ତି ନିଖୋଜ ଅଛନ୍ତି । ନିଖୋଜ ତିନି ଜଣ ବ୍ୟକ୍ତି ହେଲେ ନିଲେଶ ସିଂହ, ଅମିତ ଗୁପ୍ତା ଓ ରାଜକୁମାର ଗୁପ୍ତା ।
ଏ ସମ୍ପର୍କରେ ଧରମବନ୍ଧା ଥାନାରେ ଅଭିଯୋଗ ପରେ ସ୍ଥାନୀୟ ପୁଲିସ ଓ ନୂଆପଡ଼ା ଅଗ୍ନିଶମ ବିଭାଗର କର୍ମଚାରୀ ପହଞ୍ଚି ସନ୍ଧ୍ୟା ପର୍ଯ୍ୟନ୍ତ ଉଦ୍ଧାର କାର୍ଯ୍ୟ ଜାରି ରଖିଥିଲା । ତେବେ ସେମାନଙ୍କ ପତ୍ତା ମିଳୁନଥିବାରୁ ଶୁକ୍ରବାର ସକାଳେ ପୁନର୍ବାର ଉଦ୍ଧାର କାର୍ଯ୍ୟ ଆରମ୍ଭ ହେବ ବୋଲି ଧରମବନ୍ଧା ଥାନା ଅଧିକାରୀ ସଂଯୁକ୍ତା ବାର୍ଲା ସୂଚନା ଦେଇଛନ୍ତି । ଗତବର୍ଷ ମଧ୍ୟ ଏଠାରେ ଜଣେ ଯୁବକ ବୁଡ଼ିଯାଇ ପ୍ରାଣ ହରାଇଥିଲେ ।
ସେପଟେ ଲଗାଣବର୍ଷା ଯୋଗୁ ମୟୂରଭଞ୍ଜ ଜିଲ୍ଲା ଦେଇ ପ୍ରବାହିତ ହୋଇଥିବା ବୈତରଣୀ ନଦୀ ଫୁଲିଛି। ଏହି ସମୟରେ ଦୋମୁହାଁଣି ନିକଟରେ ଜଣେ ଯୁବକ ଗାଧୋଉ ଥିବା ସମୟରେ ନିଖୋଜ ହୋଇଯାଇଥିବା ଅଭିଯୋଗ ହୋଇଛି।