ଓଡିଶାର ଥାନାଗୁଡ଼ିକରେ ତଦନ୍ତ ‌‌ଅପେକ୍ଷାରେ ରହିଛି ଦେଢ଼ଲକ୍ଷ ମାମଲା : ଏନ୍‌ସିଆର୍‌ବି ରିପୋର୍ଟ

(ସତ୍ଯପାଠ ବ୍ୟୁରୋ) ଭୁବନେଶ୍ୱର : ରାଜ୍ୟର ଥାନା ଗୁଡ଼ିକରେ ବର୍ଷବର୍ଷ ଧରି ମାମଲା ଗୁଡ଼ିକ ବିଚାରଧୀନ ରହିଛି। ହତ୍ୟା ଠାରୁ ଆରମ୍ଭ କରି ପାରିବାରିକ ହିଂସା, ଦୁଷ୍କର୍ମ, ଅପହରଣ କିମ୍ବା ଠକେଇ ଭଳି ମାମଲା ବିଚାରାଧୀନ ଅବସ୍ଥାରେ ଗଡୁଛି। ଏହି ମାମଲା ଗୁଡ଼ିକର ପୁଲିସ ତଦନ୍ତ ଥମି ଯାଇଛି କିମ୍ବା ଅଧାରୁ ବନ୍ଦ ହୋଇଯାଇଛି। ଆଉ ଅନେକ  ନ୍ୟାୟ ପାଇ ପାରୁନାହାନ୍ତି। ନିକଟରେ ନ୍ୟାସନାଲ କ୍ରାଇମ ରେକର୍ଡ ବ୍ୟୁରୋ ପକ୍ଷରୁ ଜାରି ରିପୋର୍ଟ ଅନୁଯାୟୀ ମାମଲା ବିଚାରାଧୀନ କ୍ଷେତ୍ରରେ ତାମିଲନାଡ଼ୁ ହେଉଛି ଦେଶରେ ଏକ ନମ୍ବର । ସେହିପରି ମହାରାଷ୍ଟ୍ର ଦ୍ବିତୀୟ ଏବଂ ଉତ୍ତର‌ପ୍ରଦେଶ ତୃତୀୟ ସ୍ଥାନରେ ରହିଥିବାବେଳେ ଓଡ଼ିଶାର ସ୍ଥାନ ହେଉଛି ଦେଶରେ ୧୪ ନମ୍ବର ।

ରିପୋର୍ଟ ଅନୁଯାୟୀ ବର୍ତ୍ତମାନ ସାରା ଦେଶରେ ୫୧ଲକ୍ଷ ୮୨ହଜାର ୫୩୯ ମାମଲା ବିଚାରଧୀନ ରହିଥିବା ବେଳେ  ଓଡ଼ିଶାରେ ୧ ଲକ୍ଷ ୫୦ ହାଜର ୬୭୨ ମାମଲା ତଦନ୍ତ ଅପେକ୍ଷାରେ ରହିଛି। ୨୦୧୯ ମସିହାରେ ୪୨ହଜାର ୫୮ଟି ମାମଲାର ତଦନ୍ତ ଶେଷ ହୋଇ ନାହିଁ। ୨୦୨୦ରେ ୧ଲକ୍ଷ ୮ ହଜାର ୫୩୩ ମାମଲା ରୁଜୁ ହୋଇଛି। ସେହିପରି ପୂର୍ବରୁ ପଡ଼ିରହିଥିବା ୮୧ଟି ମାମଲାର ପୁନଃ ଯାଞ୍ଚ ପ୍ରକ୍ରିୟା ଆରମ୍ଭ ହୋଇଛି। ତେବେ ସବୁଠାରୁ ଗୁରୁତ୍ବପୂର୍ଣ୍ଣ କଥା ହେଉଛି ଯେ ପୁଲିସ ଅବହେଳା ଯୋଗୁଁ କିଛି କିଛି ଅଭିଯୋଗକାରୀ ନ୍ୟାୟ ଅପେକ୍ଷାରେ ପ୍ରାଣ ହରାଇ ସାରିଲେଣି। କେତେକ ଅଭିଯୁକ୍ତଙ୍କର ମଧ୍ୟ ମୃତ୍ୟୁ ବି ହୋଇ ସାରିଲାଣି। ଅଭିଯୋଗକାରୀଙ୍କୁ ନ୍ୟାୟ ମିଳୁ ନାହିଁ କି ଅଭିଯୁକ୍ତକୁ ଦଣ୍ଡ। ପୁଲିସ କେବଳ ମାମଲା ରୁଜୁ କରି ହାତବାନ୍ଧି ବସିଯାଉଛି। ତଦନ୍ତ ଆଗକୁ ବଢ଼ି ପାରୁ ନାହିଁ। ପୁଲିସର ଏଭଳି ମନୋଭାବ ଯୋଗୁଁ ଅପରାଧୀ ନିର୍ଦ୍ବନ୍ଦ୍ବରେ ବୁଲୁଛନ୍ତି।

ତେବେ ଆଉ ଏକ ସମସ୍ୟା ସାମ୍ନାକୁ ଆସିଛି ଯେ ଥାନା ଗୁଡ଼ିକରେ ମାଳମାଳ ମାମଲା ଗଡ଼ୁଥିବାବେଳେ ଆବଶ୍ୟକ ସଂଖ୍ୟାରେ ତଦନ୍ତକାରୀ ଅଫିସର ନ ଥିବା କାରଣରୁ ଠିକ୍‌ ସମୟରେ ମାମଲାଗୁଡ଼ିକର ତଦନ୍ତ ଶେଷ ହେଉ ନାହିଁ। କୋର୍ଟରେ ଚାର୍ଜସିଟ୍‌ ମଧ୍ୟ ଦାଖଲ ହୋଇପାରୁ ନାହିଁ। ନିୟମ ଅନୁଯାୟୀ ଗୋଟିଏ ମାମଲା ରୁଜୁ ହେବାର ୧୨୦ ଦିନ ମଧ୍ୟରେ ଚାର୍ଜସିଟ୍‌ ଦାଖଲ ହେବା କଥା। କିନ୍ତୁ ବର୍ଷ ବର୍ଷ ବିତିଯାଉଥିଲେ ମଧ୍ୟ ତାହା ହୋଇପାରୁ ନାହିଁ। 

Related Posts