(ସତ୍ଯପାଠ ବ୍ୟୁରୋ) ଭୁବନେଶ୍ୱର : ପୁରୀ ଜିଲ୍ଲା ପ୍ରଶାସନ ପକ୍ଷରୁ ପୁଣି ଆରମ୍ଭ ହୋଇଛି ଏମାର ମଠ ଯାଞ୍ଚ ପ୍ରକ୍ରିୟା। ମେଟାଲ ଡିଟେକ୍ଟର ସାହାଯ୍ୟରେ ମଠର ବିଭିନ୍ନ ସ୍ଥାନରେ ରାଜ୍ୟ ପ୍ରତ୍ନତତ୍ତ୍ୱ ବିଭାଗର ସ୍ୱତନ୍ତ୍ର ଟିମ୍ ଯାଞ୍ଚ ପ୍ରକ୍ରିୟାରେ ନିୟୋଜିତ ଅଛନ୍ତି। ଏମାର ମଠରେ ଆଉ ରୂପା ଇଟା ଅଛି ନା ନାହିଁ ସେନେଇ ଯାଞ୍ଚ ଚାଲିଛି। ଜିଲ୍ଲାପାଳ ସମର୍ଥ ବର୍ମା, ଉପଜିଲ୍ଲାପାଳ ଭବତାରଣ ସାହୁ, ତହସିଲଦାର, ମାଜିଷ୍ଟ୍ରେଟଙ୍କ ଉପସ୍ଥିତିରେ ଏହି ଯାଞ୍ଚ ପ୍ରକ୍ରିୟା ଜାରି ରହିଛି ।
ମଠ ପରିଚାଳନା ଦାୟିତ୍ୱରେ ଥିବା ଉତ୍ତରପାର୍ଶ୍ୱ ମଠର ମହନ୍ତ ନାରାୟଣ ରାମାନୁଜ ଦାସଙ୍କ ଲିଖିତ ନିବେଦନକୁ ବିଚାର କରି ଏହି ଯାଞ୍ଚ କରାଯାଉଛି। ସୂଚନାଯୋଗ୍ୟ ଏହା ପୂର୍ବରୁ ଏମାର ମଠରୁ ୫୨୨ ଓ ପରେ ୪୨ଖଣ୍ଡ ରୂପା ଇଟା ଜବତ ହୋଇଥିଲା।ଆଜି ପୁନର୍ବାର ପ୍ରଶାସନ ପକ୍ଷରୁ ଏମାରମଠ ଯାଞ୍ଚ କରାଯାଇଛି।
୨୦୧୧ ମସିହାରେ ଯେତେବେଳେ ଏମାର ମଠରୁ ୫୨୨ ଖଣ୍ତ ରୂପା ଇଟା ମିଳିଥିଲା ସେତେବେଳେ ଚର୍ଚ୍ଚା ଜୋର ଧରିଥିଲା। ତେଣୁ ଅନୁମାନ କରାଯାଉଥିଲା ଯେ ମଠ ଭିତରେ ଅଧିକ ଧନରତ୍ନ ଥାଇପାରେ । ଏମାର ମଠ ପରିଚାଳନା ଦାୟିତ୍ୱ ଟ୍ରଷ୍ଟ ହାତକୁ ଯିବା ପରଠାରୁ ସମ୍ପତ୍ତିର ତାଲିକା ପ୍ରସ୍ତୁତ କରାଯାଉଛି । ଉଲ୍ଲେଖଯୋଗ୍ୟ ଯେ, ୨୦୧୯ ମସିହାରେ ଏହି ମଠକୁ ଜିଲ୍ଲା ପ୍ରଶାସନ ଉଚ୍ଛେଦ କରିବା ଆରମ୍ଭ କରିଥିଲା। ସେତେବେଳେ ସେଠାରେ କିଛି ଗୁପ୍ତ କୋଠରୀ ଥିବା ଦେଖିବାକୁ ମିଳିଥିଲା।