ବଙ୍ଗୋପସାଗରରେ ଆଉ ଏକ ଘୂର୍ଣ୍ଣିବଳୟ: ୧୮ ସନ୍ଧ୍ୟାରୁ ବର୍ଷିବ , ୧୨ ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ ଜାରି କଲା ପାଣିପାଗ ବିଭାଗ

(ସତ୍ଯପାଠ ବ୍ୟୁରୋ) ଭୁବନେଶ୍ୱର : ପୂର୍ବ-କେନ୍ଦ୍ରୀୟ ବଙ୍ଗୋପସାଗର ଓ ଏହାର ନିକଟସ୍ଥ ମିଆଁମାର ଅଞ୍ଚଳରେ ଆଜି ଏକ ଘୂର୍ଣ୍ଣିବଳୟ ସୃଷ୍ଟି ହୋଇଛି। ଏହା କ୍ରମଶଃ ପଶ୍ଚିମ, ଉତ୍ତର-ପଶ୍ଚିମ ଦିଗରେ ଗତି କରି ୧୮ ତାରିଖରେ ଉତ୍ତର ଓଡ଼ିଶା ଉପକୂଳ ଏବଂ ଉତ୍ତର-ପଶ୍ଚିମ ବଙ୍ଗୋପସାଗରରେ କେନ୍ଦ୍ରୀଭୂତ ହୋଇପାରେ ବୋଲି IMD ଡିଜି ମୃତ୍ୟୁଞ୍ଜୟ ମହାପାତ୍ର ସୂଚନା ଦେଇଛନ୍ତି। ଏହା ପ୍ରଭାବରରେ ଆସନ୍ତାକାଲିଠାରୁ ପାଗ ମେଘୁଆ ରହିବା ସହ ରାଜ୍ୟର ବିଭିନ୍ନ ଜିଲ୍ଲାରେ ବର୍ଷା ହେବାର ସମ୍ଭାବନା ରହିଛି । ୧୮ ତାରିଖ ବେଳକୁ ବର୍ଷାର ପରିମାଣ ବଢିବା ସହ ତିନି ଦିନ ଅଧା ଓଡ଼ିଶାକୁ ଭିଜାଇବ ବୋଲି ଜଣାପଡ଼ିଛି ।୧୯ ଓ ୨୦ ତାରିଖରେ ବିଶେଷକରି ଉତ୍ତର ଓଡ଼ିଶାର ଜିଲ୍ଲାରେ ପ୍ରବଳ ବର୍ଷା ହେବାର ସମ୍ଭାବନା ରହିଛି।

ପାଣିପାଗ ବିଭାଗର ପୂର୍ବାନୁମାନ ଅନୁସାରେ ୧୮ ତାରିଖରେ ମୟୂରଭଂଜ, ଭଦ୍ରକ ଓ ବାଲେଶ୍ୱରରେ ପ୍ରବଳ ବର୍ଷା ହେବ । ସେହିପରି ୧୯ ରେ ୧୨ ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ ଜାରି କରାଯାଇଛି । ୧୯ ତାରିଖରେ ସୁନ୍ଦରଗଡ଼, କେନ୍ଦୁଝର, ମୟୂରଭଂଜ, ଭଦ୍ରକ, ବାଲେଶ୍ୱର. ଢେଙ୍କାନାଳ, ଯାଜପୁର, କେନ୍ଦ୍ରାପଡା, ଜଗତସିଂହପୁର, କଟକ, ପୁରୀ, ଖୋର୍ଦ୍ଧା ଜିଲ୍ଲା ପାଇଁ ୟେଲୋ ୱାର୍ଣ୍ଣିଂ ଜାରି ହୋଇଛି । ୨୦ ତାରିଖରେ ଉତର-ପଶ୍ଚିମ ଓଡ଼ିଶାର ୫ ଜିଲ୍ଲାରେ ଅଧିକ ବର୍ଷିବ । ସୁନ୍ଦରଗଡ, ଝାରସୁଗୁଡ଼ା, ବରଗଡ, ଦେବଗଡ ଓ ସମ୍ବଲପୁରରେ ଅଧିକ ବର୍ଷା ହେବ ବୋଲି ପୂର୍ବାନୁମାନ କରିଛି ପାଣିପାଗ ବିଭାଗ ।

ସୂଚନାଯୋଗ୍ୟ ଯେ ଲଘୁଚାପଜନିତ ଲଗାଣ ବର୍ଷା ଯୋଗୁ ହୀରାକୁଦର ଜଳସ୍ତର ବୃଦ୍ଧି ପାଉଛି। ଆଜି ସକାଳ ୭ଟାରେ ହୀରାକୁଦ ଜଳସ୍ତର ୬୨୮.୪୧ ଫୁଟ ଥିଲା। ୮ଟାରେ ଏହା ବୃଦ୍ଧି ପାଇ ୬୨୮.୪୫ ଫୁଟ ଓ ୯ଟାରେ ୬୨୮.୫୦ ଫୁଟ ହୋଇଥିଲା। ୧୦ଟାରେ ଜଳସ୍ତର ୬୨୮.୫୬ ଫୁଟ ଓ ୧୧ଟାରେ ୬୨୮.୬୨ ଫୁଟ ଥିଲା। 

Related Posts