ଲଗାଣ ବର୍ଷା ଯୋଗୁଁ ଏଯାବତ୍ ୬ ଜଣକ ମୃତ୍ୟୁ , କେନ୍ଦ୍ରାପଡ଼ା ଜିଲ୍ଲାରୁ ସର୍ବାଧିକ ୩ ଜଣ

(ସତ୍ଯପାଠ ବ୍ୟୁରୋ) ଭୁବନେଶ୍ୱର : ଲଘୁଚାପଜନିତ ଲଗାଣ ବର୍ଷା ସାରା ରାଜ୍ୟରେ ଜନ ଜୀବନ ଅସ୍ତବ୍ୟସ୍ତ କରି ଦେଇଛି। ଅନେକ ଲୋକ ବିଭିନ୍ନ ସମସ୍ୟାର ସମ୍ମୁଖୀନ ହେଇଛନ୍ତି। ତେବେ ଏହି ଲଗାଣ ବର୍ଷା ଯୋଗୁଁ ରାଜ୍ୟରେ ଏଯାବତ ୬ ଜଣ ପ୍ରାଣ ହରାଇଛନ୍ତି। ୨ ଜଣ ଏବେ ବି ନିଖୋଜ ଅଛନ୍ତି ।  ମୃତକଙ୍କ ମଧ୍ୟରୁ କେନ୍ଦ୍ରାପଡ଼ା ଜିଲ୍ଲାରୁ ସର୍ବାଧିକ ୩ ଜଣ ରହିଥିବା ବେଳେ ଗଞ୍ଜାମ, ଖୋର୍ଦ୍ଧା ଓ ସୁବର୍ଣ୍ଣପୁର ଜିଲ୍ଲାରୁ ଜଣେ ଲେଖାଏଁ ପ୍ରାଣ ହରାଇଛନ୍ତି। ଏ ସମ୍ପର୍କରେ ଏସ୍ଆରସିଙ୍କ କାର୍ଯ୍ୟାଳୟ ପକ୍ଷରୁ ସୂଚନା ଦିଆଯାଇଛି।

ସେହିପରି କଟକ ଜିଲ୍ଲାର ନିଶ୍ଚିନ୍ତକୋଇଲି ଅଞ୍ଚଳରୁ ଜଣେ ଏବଂ ବଲାଙ୍ଗିର ଜିଲ୍ଲାର ପୁଇଁତଳା ଅଞ୍ଚଳରୁ ଜଣେ ନିଖୋଜ ଅଛନ୍ତି । ଏବଂ ୨୪ଟି ଜିଲ୍ଲାର ୧୩୯ଟି ବ୍ଲକର ୪୯୬୪ ଗ୍ରାମ ପ୍ରଭାବିତ ହୋଇଥିବାବେଳେ ଭାଙ୍ଗିଛି ୭ ହଜାର ୫୪୦ଟି ଘର । ୨୩ ଲକ୍ଷ ୮୨ ହଜାର ୭୯୫ ଜଣ ଲୋକ ଲଗାଣ ବର୍ଷା ଦ୍ବାରା ପ୍ରଭାବିତ ହୋଇଥିବା ବେଳେ ବର୍ତ୍ତମାନ ସୁଦ୍ଧା ୨୦ ହଜାର ୫୫୨ ଜଣଙ୍କୁ ସ୍ଥାନାନ୍ତର କରାଯାଇଥିବା ସ୍ୱତନ୍ତ୍ର ରିଲିଫ୍ କମିଶନରଙ୍କ କାଯର୍ୟାଳୟ ପକ୍ଷରୁ ସୂଚନା ମିଳିଛି ।

ଅପରପକ୍ଷରେ ସ୍ପେଶାଲ ରିଲିଫ କମିଶନର ପ୍ରଦୀପ ଜେନା କହିଛନ୍ତି ଯେ , ମହାନଦୀରେ ନିମ୍ନରୁ ମଧ୍ୟମ ଧରଣର ବନ୍ୟା ହେବାର ଆଶଙ୍କା ରହିଛି । ମୁଣ୍ଡୁଳୀ ଦେଇ ପ୍ରାୟ ୭ ଲକ୍ଷ କ୍ୟୁସେକ୍ ଜଳ ଅତିକ୍ରମ କରିବ। କିନ୍ତୁ ଏହା ଅଧିକ କ୍ଷୟକ୍ଷତି କରିବ ନାହିଁ ବୋଲି ଅନୁମାନ କରାଯାଉଛି । ହୀରାକୁଦ ଉପରମୁଣ୍ଡ ଛତିଶଗଡରେ ପ୍ରବଳ ବର୍ଷା ହୋଇଥିବାରୁ ହୀରାକୁଦ ଡ୍ୟାମର ଏବେ ୨୪ଟି ଗେଟ ଖୋଲା ରହିଛି ।ସୂଚନା ଅନୁସାରେ, ଏବେ ହୀରାକୁଦ ଜଳଭଣ୍ଡାରକୁ ପ୍ରତି ସେକେଣ୍ଡରେ ୪ ଲକ୍ଷ ୩୫ ହଜାର ୭୯୪ କ୍ୟୁସେକ୍‌ ଜଳ ପ୍ରବେଶ କରୁଛି । ସେହିଭଳି ଜଳଭଣ୍ଡାର ମଧ୍ୟରୁ ପ୍ରତି ସେକେଣ୍ଡରେ ୪ ଲକ୍ଷ ୨୩ ହଜାର ୮୯ କ୍ୟୁସେକ୍‌ ବନ୍ୟା ଜଳ ନିଷ୍କାସିତ ହେଉଛି ।

ସେହିପରି କୁଆଖାଇ ଓ କୁଶଭଦ୍ରା ନଦୀ‌ ବିପଦସଙ୍କେତ ୧୮.୨୫ ମିଟର ଥିବା ବେଳେ ସନ୍ଧ୍ୟା ସୁଦ୍ଧା ଜଳସ୍ତର ୧୫ ମିଟରରୁ ସାମାନ୍ୟ ଅଧିକ ରହିଛି। ବନ୍ୟା ପରିସ୍ଥିତି ହୋଇନଥିଲେ ମଧ୍ୟ କୁଶଭଦ୍ରା ନଦୀ ଶଯ୍ୟାରେ ଥିବା ଅସ୍ଥାୟୀ ରାସ୍ତା ଧୋଇଯାଇଛି

Related Posts