ବ୍ରାହ୍ମଣୀ ନଦୀରେ ୭ଟି ଘାଇ, ହଜାର ହଜାର ଲୋକ ବନ୍ୟାପାଣି ଘେରରେ

(ସତ୍ଯପାଠ ବ୍ୟୁରୋ) ଭୁବନେଶ୍ୱର : ରାଜ୍ୟରେ ଲଘୁଚାପଜନିତ ଲଗାଣ ବର୍ଷା ପରେ ଜଳ ସ୍ତର ବୃଦ୍ଧି ପାଇବା ଦ୍ବାରା ଅନେକ ସ୍ଥାନରେ ଜନ ଜୀବନ ପ୍ରଭାବିତ ହୋଇଛି। ଯାଜପୁର ଜିଲ୍ଲାରେ ବନ୍ୟା ପରିସ୍ଥିତି ଉପୁଜିଛି। ବୈତରଣୀ, ଖରସ୍ରୋତାରେ ବନ୍ୟାଜଳ ପ୍ରବାହିତ ହେଉଥିବା ‌‌ବେଳେ ବ୍ରାହ୍ମଣୀ ନଦୀରେ ଜଳସ୍ତର ବୃଦ୍ଧି ପାଇବ କାରଣରୁ ୭ଟି ଘାଇ ସୃଷ୍ଟି ହୋଇଛି। ଏହା ଦ୍ବାରା ବରୀ ଓ ରସୁଲପୁର ବ୍ଲକ୍‌ର ବ୍ୟାପକ ଅଞ୍ଚଳ ଜଳମଗ୍ନ ହୋଇଥିବା ବେଳେ ହଜାର ହଜାର ଲୋକ ବନ୍ୟାପାଣି ଘେରରେ ରହିଛନ୍ତି।

ବରୀ ବ୍ଲକର ମାଟିଆପଡ଼ା ଓ ତିନିମୁହାଣି ମଧ୍ୟରେ ବ୍ରାହ୍ମଣୀ ନଦୀର ୧୫୦ମିଟର ବନ୍ଧ ବୁଡ଼ିଯାଇ ୪ଟି ଘାଇ ସୃଷ୍ଟି ହୋଇଛି। ଫଳରେ ସାହୁପଡ଼ା, ବାଲିଆ, ଧାରପୁର, ଈଶାଣପୁର. ସ୍ବାଇଁଖଣ୍ଡ ଓ ଗୋଳକୁଣ୍ଡ ପଞ୍ଚାୟତ ଏବେ ବନ୍ୟା ପାଣି ଘେରରେ ରହିଛି। ଗୋଳକୁଣ୍ଡ ଇନ୍ଦୁପୁର ମୁଖ୍ୟରାସ୍ତାର ହଳଦୀବସନ୍ତଠାରୁ ବାଲିଆ ଛକ ପର୍ଯ୍ୟନ୍ତ ମୁଖ୍ୟ ରାସ୍ତା ଉପରେ ୨ଫୁଟର ବନ୍ୟାଜଳ ପ୍ରବାହିତ ହେଉଛି।

ଅନ୍ୟପକ୍ଷରେ ରସୁଲପୁର ବ୍ଲକ ବ୍ରାହ୍ମଣୀ ନଦୀର ବନ୍ଧଡିହରେ ହୋଇଥିବା ଘାଇ ଯୋଗୁଁ ଅନେକ କ୍ଷୟକ୍ଷତି ହୋଇଥିବା ଜଣାପଡିଛି। ଅତଲାପୁର ପଞ୍ଚାୟତ ଗଣେଶ ପାଟଣାଠାରେ ଘାଇ ହେବାରୁ ୫ଶହ ଲୋକ ଏବେ ଜଳବନ୍ଦୀ ଅବସ୍ଥାରେ ରହିଛନ୍ତି। ସେହିପରି ଦଶରଥପୁର ବ୍ଲକ୍‌ରେ ବୈତରଣୀ ନଦୀ ଶାଖା କାଣୀ ନଦୀର ବନ୍ୟାଜଳ କଣ୍ଟାପଡ଼ାଠାରେ ଖୋଲାଥିବା ଘାଇ ମୁହଁରେ ବନ୍ୟା ଜଳ ପ୍ରବାହିତ ହୋଇ ହଜାରହଜାର ଏକର ଚାଷ ଜମି ବୁଡ଼ାଇ ଦେଇଛି। କାଣୀ ନଦୀବନ୍ଧ-ମଲ୍ଲିକାପୁର ରାସ୍ତାରେ ୩ଫୁଟ ବନ୍ୟାଜଳ ପ୍ରବାହିତ ହେଉଛି।

ବ୍ରାହ୍ମଣୀ ନଦୀ‌ରେ ବରୀ ବ୍ଲକର ସାହୁପଡ଼ା, ମାଟିଆପଡ଼ା, ରସୁଲପୁର ବ୍ଲକର ବନ୍ଧଡିହ ଘେରିବନ୍ଧରେ ଘାଇ ସୃଷ୍ଟି ହୋଇଛି। ଯାହା ଫଳରେ ହଜାରହଜାର ଲୋକେ ବନ୍ୟା ପାଣି ଘେରରେ ରହିଛନ୍ତି। ଅନେକ ଧାନ ଜମି ଓ ପନିପରିବା ଚାଷରେ ବନ୍ୟା ଜଳ ପଶି ଯିବାରୁ ଫସଲ ମଧ୍ୟ ନଷ୍ଟ ହୋଇଥିବା ନେଇ ସରକାରୀସ୍ତରରେ ଆକଳନ କରାଯାଇଛି।

Related Posts