ଦୀନବନ୍ଧୁ ମିଶ୍ରଙ୍କ ଆତ୍ମଦାହ ମାମଲା : ଆଗୁଆ ଜାମିନ ବାତିଲ ପ୍ରସଙ୍ଗରେ କୁଳପତି ଡକ୍ଟର ସଂଜୀବ ମିତ୍ତଲଙ୍କୁ ହାଇକୋର୍ଟଙ୍କ ନୋଟିସ୍

(ସତ୍ଯପାଠ ବ୍ୟୁରୋ) ଭୁବନେଶ୍ୱର : ସମ୍ବଲପୁର ବିଶ୍ବବିଦ୍ୟାଳୟ ଅସ୍ଥାୟୀ କର୍ମଚାରୀ ଦୀନବନ୍ଧୁ ମିଶ୍ରଙ୍କ ଆତ୍ମଦାହ ଘଟଣା ନେଇ ବୁର୍ଲା ଥାନାରେ ରୁଜୁ ମାମଲାରେ କୁଳପତି ପ୍ର‌‌‌ଫେସର ଡକ୍ଟର ସଂଜୀବ ମିତ୍ତଲଙ୍କୁ ହାଇକୋର୍ଟ ନୋଟିସ୍ ଜାରି କରିଛନ୍ତି। ହାଇକୋର୍ଟ ପ୍ରଶ୍ନ କରିଛନ୍ତି ଯେ କାହିଁକି ତାଙ୍କୁ ପ୍ରଦାନ କରାଯାଇଥିବା ଆଗୁଆ ଜାମିନ ବାତିଲ କରା ନ ଯିବ‌ ସେ ନେଇ ପ୍ରଫେସର ମିତ୍ତଲ ଆଗାମୀ ଶୁଣାଣିରେ ଜବାବ ରଖିବେ। ଜଷ୍ଟିସ ସଂଜୀବ କୁମାର ପାଣିଗ୍ରାହୀଙ୍କୁ ନେଇ ଗଠିତ ଖଣ୍ଡପୀଠ ଅଭିଷେକ ମିଶ୍ରଙ୍କ ଆବେଦନର ଶୁଣାଣି କରି ଏପରି ନିର୍ଦ୍ଦେଶ ଦେଇଛନ୍ତି। ମାମଲାର ପରବର୍ତ୍ତୀ ଶୁଣାଣି ଅକ୍ଟୋବର ୨୫କୁ ଧାର୍ଯ୍ୟ କରାଯାଇଛି।

ସମ୍ବଲପୁର ବିଶ୍ବବିଦ୍ୟାଳୟ ଅସ୍ଥାୟୀ କର୍ମଚାରୀ ଦୀନବନ୍ଧୁ ମିଶ୍ରଙ୍କ ଆତ୍ମଦାହ ଘଟଣା ନେଇ ବୁର୍ଲା ଥାନାରେ ରୁଜୁ ମାମଲାରେ କୁଳପତି ପ୍ର‌‌‌ଫେସର ଡକ୍ଟର ମିତ୍ତଲଙ୍କୁ ହାଇକୋର୍ଟ ଗତ ଜୁଲାଇ ୨ରେ ଆଗୁଆ ଜାମିନ ପ୍ରଦାନ କରିଥିଲେ। ବର୍ତ୍ତମାନ ଦୀନବନ୍ଧୁଙ୍କ ପୁଅ ଅଭିଷେକ ହାଇକୋର୍ଟଙ୍କ ଦ୍ବାରସ୍ଥ ହୋଇ ଅଭିଯୋଗ କରିଛନ୍ତି ଯେ, ଜାମିନ ପାଇଁ ଧାର୍ଯ୍ୟ କରାଯାଇଥିବା ସର୍ତ୍ତ ପ୍ରଫେସର ମିତ୍ତଲ ଉଲ୍ଲଂଘନ କରିଛନ୍ତି । ଜାମିନ ସର୍ତ୍ତ ପାଳନ କରିବାରେ ଅବହେଳା ପାଇଁ ପ୍ରଫେସର ମିତ୍ତଲଙ୍କୁ ପୂର୍ବରୁ ପ୍ରଦାନ କରାଯାଇଥିବା ଜାମିନ ବାତିଲ କରାଯାଉ ବୋଲି ଦୀନବନ୍ଧୁଙ୍କ ପୁଅ ଆବେଦନ କରିଥିଲେ। ବର୍ତ୍ତମାନ ମାମଲାର ଶୁଣାଣି କରି ହାଇକୋର୍ଟ ପ୍ରଫେସର ମିତ୍ତଲଙ୍କୁ ପ୍ରଶ୍ନ କରିଛନ୍ତି ଯେ କାହିଁକି ତାଙ୍କର ଆଗୁଆ ଜାମିନ ଆବେଦନ ଖାରଜ ନକରାଯିବ। ଏହି ମାମଲାରେ ରାଜ୍ୟ ସରକାର ଓ କୁଳପତିଙ୍କୁ ପକ୍ଷଭୁକ୍ତ କରାଯାଇଛି। ଅଭିଷେକଙ୍କ ପକ୍ଷରୁ ଆଇନଜୀବୀ ବିଜୟ କୁମାର ରଗଡ଼ ଓ ଲକ୍ଷ୍ମୀନାରାୟଣ ପଟେଲ ମାମଲାର ପରିଚାଳନା କରୁଛନ୍ତି।

ତେବେ ଏଠାରେ ସୂଚନାଯୋଗ୍ୟ ଯେ, ମାର୍ଚ୍ଚ ୨୦ ତାରିଖ ଦିନ ସମ୍ବଲପୁର ବିଶ୍ବବିଦ୍ୟାଳୟ କର୍ମଚାରୀ ଦୀନବନ୍ଧୁ ମିଶ୍ର କୁଳପତିଙ୍କ ପ୍ରକୋଷ୍ଠ ସମ୍ମୁଖରେ ଆତ୍ମଦାହ କରିଥିଲେ। ଆତ୍ମଦାହ କରିବା ପୂର୍ବରୁ କୁଳସଚିବଙ୍କୁ ଏକ ଚିଠି ଲେଖି କୁଳପତି ତାଙ୍କୁ ଅପମାନିତ କରିଥିବା ସଂକ୍ରାନ୍ତରେ ବିସ୍ତୃତ ବିବରଣୀ ଦେଇଥିଲେ। କୁଳପତି ପ୍ର‌‌‌ଫେସର ମିତ୍ତଲଙ୍କ ସହିତ ୱାର୍ଡେନ୍‌ ପ୍ରଫେସର ବିଶ୍ବଜିତ ଶତପଥୀ, ପିଇଓ ଅଭିଷେକ କରଙ୍କୁ ବି ଦାୟୀ କରିଥିଲେ।

Related Posts