କଲିକତାକୁ ଉଠିଗଲା ଆଞ୍ଚଳିକ ଲାଇସେସିଂ କାର୍ଯ୍ୟାଳୟ

(ସତ୍ଯପାଠ ବ୍ୟୁରୋ) ଭୁବନେଶ୍ୱର : କେନ୍ଦ୍ର ସରକାରଙ୍କ ବିଦେଶ ବାଣିଜ୍ୟ ମହାନିର୍ଦ୍ଦେଶକଙ୍କ କାର୍ଯ୍ୟାଳୟ ଅଧୀନରେ କାର୍ଯ୍ୟରତ ଆଞ୍ଚଳିକ ଲାଇସେସିଂ କାର୍ଯ୍ୟାଳୟ କଟକରୁ କଲିକତାକୁ ଉଠି ଯାଇଛି। ଫଳରେ ରାଜ୍ୟର ସାମୁଦ୍ରିକ ମତ୍ସ୍ୟ, କୃଷି ଉତ୍ପାଦ ପରି ନଷ୍ଟ ଯୋଗ୍ୟ ଦ୍ରବ୍ୟର ରପ୍ତାନୀ କ୍ଷେତ୍ରରେ ଅନେକ ସମସ୍ୟା ଦେଖାଦେଉଛି ।

ଏପଟେ ଏହି ସମସ୍ୟାର ସମାଧାନ ନିମନ୍ତେ ଅଣୁ, କ୍ଷୁଦ୍ର ଓ ମଧ୍ୟମ ଉଦ୍ୟୋଗ ବିଭାଗ ପ୍ରମୁଖ ଶାସନ ସଚିବ ସତ୍ୟବ୍ରତ ସାହୁ କେନ୍ଦ୍ର ବିଦେଶ ବାଣିଜ୍ୟ କାର୍ଯ୍ୟାଳୟର ଅତିରିକ୍ତ ମହାନିର୍ଦ୍ଦେଶକଙ୍କ ସହ ଆଲୋଚନା କରି ରପ୍ତାନୀ କ୍ଷେତ୍ରରେ ଦେଖାଦେଇଥିବା ସ୍ଥାନୀୟ ସମସ୍ୟା ସମ୍ପର୍କରେ ଜଣାଇଥିଲେ ଏବଂ ଏ ଦିଗରେ ତୁରନ୍ତ ପଦକ୍ଷେପ ନେବାକୁ ଅନୁରୋଧ କରିଥିଲେ ।

ଓଡ଼ିଶାରେ ଖଣିଜ, ଧାତୁ ଉତ୍ପାଦ, କୃଷି ଉତ୍ପାଦ, ସାମୁଦ୍ରିକ ଉତ୍ପାଦ, ହସ୍ତତନ୍ତ, ହସ୍ତଶିଳ୍ପ, କାଜୁ ଏବଂ ମସଲାଜାତୀୟ ଦ୍ରବ୍ୟ ରପ୍ତାନୀର ଅନେକ ସମ୍ଭାବନା ରହିଥିବା କାରଣରୁ ଏସବୁର ପ୍ରୋତ୍ସାହନ ଲାଗି ରପ୍ତାନୀ ପ୍ରୋତ୍ସାହନ ପରିଷଦ ନଥିବାରୁ ରପ୍ତାନୀ କ୍ଷେତ୍ରରେ ଅନେକ ସମସ୍ୟା ଦେଖାଦେଉଛି । ସେଥିପାଇଁ ତୁରନ୍ତ ରପ୍ତାନୀ ପ୍ରୋତ୍ସାହନ ପରିଷଦ ଖୋଲିବା ପାଇଁ ପଦକ୍ଷେପ ନେବାକୁ ସଚିବ ଦାବି କରିଛନ୍ତି ।

ରାଜ୍ୟରେ ପାରାଦୀପ, ଧାମରା ଓ ଗୋପାଳପୁର ପରି ତିନୋଟି ସକ୍ରିୟ ବନ୍ଦର ଅନ୍ୟାନ୍ୟ ପଣ୍ୟ ରପ୍ତାନୀ ଓ ଆମଦାନୀ କରୁଛି । କିନ୍ତୁ ସିପିଂ ଲାଇନ୍‌ର ଏବଂ ରିଫରି କନେଟନର୍‌ ନଥିବା ହେତୁ ସାମୁଦି୍ରକ ଉତ୍ପାଦ ରପ୍ତାନୀ ସକାଶେ ପଡ଼ୋଶୀ ବିଶାଖାପାଟଣା ଓ କଲିକତା ବନ୍ଦର ଉପରେ ନିର୍ଭର କରିବାକୁ ପଡ଼ୁଛି । ସପଟେ ରାଜଧାନୀ ଭୁବନେଶ୍ୱର ସ୍ଥିତ ବିଜୁ ପଟ୍ଟନାୟକ ଆନ୍ତର୍ଜାତିକ ବିମାନ ବନ୍ଦରରେ ଏକ କାର୍ଗୋ କମ୍ପ୍ଲେକ୍ସ ଥିବା ସତ୍ତ୍ୱେ ନଷ୍ଟ ହେଉଥିବା ଦ୍ରବ୍ୟଗୁଡ଼ିକର ରପ୍ତାନୀର ସବୁିଧା ନାହିଁ ।

ରାଜ୍ୟର ଏହି ତିନୋଟି ବନ୍ଦରରେ ଆନୁସଙ୍ଗିକ ବ୍ୟବସ୍ଥା ଯୋଗାଇଲେ କୃଷିଜାତ ଦ୍ରବ୍ୟ ଓ ସାମୁଦ୍ରିକ ଉତ୍ପାଦ ପରି ଶିଘ୍ର ନଷ୍ଟ ହୋଇ ଯାଉଥିବା ଦ୍ରବ୍ୟକୁ ସହଜରେ ରପ୍ତାନୀ କରାଯାଇ ପାରନ୍ତା । ତା’ଛଡ଼ା ବିଜୁ ପଟ୍ଟନାୟକ ବିମାନ ବନ୍ଦରଠାରେ ଅନ୍ତତଃ ଦକ୍ଷିଣ-ପୂର୍ବ ଏସୀୟ ଦେଶଗୁଡ଼ିକୁ ରପ୍ତାନୀ କରିବାକୁ ସୁଯୋଗ ସୃଷ୍ଟି କରିବାକୁ ପଦକ୍ଷେପ ନେବାକୁ ସେ ଅନୁରୋଧ କରିଥିଲେ ।

ରାଜ୍ୟରେ ରପ୍ତାନୀ ପ୍ରୋତ୍ସାହନ ଏବଂ ବିପଣନ ନିର୍ଦ୍ଦେଶାଳୟକୁ ରପ୍ତାନୀ କାରବାର ତଦାରଖ ନିମନ୍ତେ ନୋଡାଲ ସଂସ୍ଥା ଘୋଷଣା କରାଯାଇଛି । ରପ୍ତାନୀଜନିତ ସମସ୍ୟାର ସମାଧାନ ପାଇଁ ବୃତ୍ତିଗତ କର୍ମଚାରୀଙ୍କ ଅଭାବ ରହିଛି । ତେଣୁ ତୁରନ୍ତ ଜଣେ ଦକ୍ଷ ବୃତ୍ତିଗତ ଅଧିକାରୀଙ୍କୁ ଓଡ଼ିଶାରେ ନିୟୋଜନ କରିବା ପାଇଁ ଏମ୍ଏସ୍ଏମ୍ଇ ସଚିବ ପ୍ରସ୍ତାବ ଦେଇଛନ୍ତି ।

ରାଜ୍ୟର ଅର୍ଥନୈତିକ ବିକାଶ ପାଇଁ ସ୍ଥାନୀୟ ଉତ୍ପାଦଗୁଡ଼ିକର ବିଦେଶ ରପ୍ତାନୀ ଏକ ପ୍ରମୁଖ ଦିଗ ହୋଇଥିବା ହେତୁ ଏହି ପ୍ରସଙ୍ଗକୁ ଅଧିକ ଗୁରୁତ୍ୱ ପ୍ରଦାନ କରାଯାଉଛି । ଏହା ବ୍ୟତୀତ ସ୍ଥାନୀୟ ବ୍ୟବସାୟୀ ରପ୍ତାନୀ କ୍ଷେତ୍ରରେ ଦେଖା ଦେଇଥିବା ଏହି ଅବ୍ୟବସ୍ଥା ଯୋଗୁଁ କ୍ରମାଗତ ଭାବେ କ୍ଷତି ସହୁଥିବା ନେଇ ଅସନ୍ତୋଷ ପ୍ରକାଶ କରିଆସୁଛନ୍ତି ।

Related Posts