ବଡ଼ ଦାଣ୍ଡରେ ବନ୍ୟା ସ୍ଥିତି, ପୁରୀରେ ବର୍ଷାବିତ୍ପାତ, ୮୭ ବର୍ଷର ରେକର୍ଡ ଭାଙ୍ଗିଲା

(ସତ୍ୟପାଠ  ବ୍ୟୁରୋ) ଭୁବନେଶ୍ୱର : ଲଘୁଚାପ ପ୍ରଭାବରୁ ରାଜ୍ୟର ବିଭିନ୍ନ ସ୍ଥାନରେ ରବିବାର ଠାରୁ ପ୍ରବଳ ବର୍ଷା ଲାଗି ରହିଛି। ତେବେ ପୁରୀରେ ଗୋଟିଏ ଦିନର ବର୍ଷାରେ ୮୭ ବର୍ଷର ପୁରୁଣା ରେକର୍ଡ ଭାଙ୍ଗି ପୁରୀରେ ସର୍ବାଧିକ ୩୪୧ ମିମି ବର୍ଷା ରେକର୍ଡ ହୋଇଛି। ସେହିପରି ପାରାଦୀପରେ ୨୧୯ ମିମି ଓ ଭୁବନେଶ୍ୱରରେ ୧୯୫ ମିମି ବର୍ଷା ରେକର୍ଡ ହୋଇଛି। ୧୨ ସକାଳ ୮ଟା ୩୦ରୁ ୧୩ ତାରିଖ ସକାଳ ୮ଟା ୩୦ ମଧ୍ୟରେ ଏହି ବର୍ଷା ରେକର୍ଡ କରାଯାଇଛି। ସେହିପରି ଗୋଟିଏ ଦିନ ବର୍ଷାରେ ୬୩ ବର୍ଷର ପୁରୁଣା ରେକର୍ଡ ଭାଙ୍ଗିଛି ରାଜଧାନୀ ଭୁବନେଶ୍ୱର।

ଅନ୍ୟପକ୍ଷରେ ବଙ୍ଗୋପ ସାଗରରେ ସୃଷ୍ଟ ଲଘୁଚାପ ଅବପାତରେ ପରିଣତ ହେବା ପରେ ଅଧିକ ଘନୀଭୂତ ହୋଇ ଗଭୀର ଅବପାତର ରୂପ ନେଇ ଆଜି ସକାଳେ ଚାନ୍ଦବାଲି ଠାରେ  ଉତ୍ତର ଓଡ଼ିଶା ଉପକୂଳକୁ ଅତିକ୍ରମ କରିଛି। ପାଣିପାଗ ବିଭାଗର ପୂର୍ବାନୁମାନ ଅନୁସାରେ ଓଡ଼ିଶାର ୫ ଆଭ୍ୟନ୍ତରୀଣ ଜିଲ୍ଲାରେ ପ୍ରବଳ ବର୍ଷା ସମ୍ଭାବନା ରହିଛି। ସେହିପରି ଆଜି ପାଇଁ ୫ ଜିଲ୍ଲାକୁ ରେଡ୍ ଓ୍ୱାର୍ଣ୍ଣିଂ ଜାରି ହୋଇଛି। ସେହି ଜିଲ୍ଲା ଗୁଡ଼ିକ ହେଉଛି ସମ୍ବଲପୁର, ଦେବଗଡ଼, ଅନୁଗୁଳ, ସୁବର୍ଣ୍ଣପୁର ଓ ବରଗଡ଼ । ସେହିପରି ଅରେଞ୍ଜ ଓ୍ୱାର୍ଣ୍ଣିଂ ଜାରି ହୋଇଥିବା  ୭ ଜିଲ୍ଲା ହେଉଛି ବଲାଙ୍ଗିର, ବୌଦ୍ଧ, ଢେଙ୍କାନାଳ, କଟକ, କେନ୍ଦୁଝର, ସୁନ୍ଦରଗଡ଼ ଓ ଝାରସୁଗୁଡ଼ାକୁ ଅରେଂଜ ଓ୍ୱାର୍ଣ୍ଣିଂ ଜାରି ହୋଇଛି। ଏତଦ୍ ବ୍ୟତୀତ ୧୧ ଜିଲ୍ଲାକୁ ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ପକ୍ଷରୁ ଜାରି ହୋଇଛି ୟେଲୋ ଓ୍ୱାର୍ଣ୍ଣିଂ। ନୂଆପଡ଼ା, କଳାହାଣ୍ଡି, କନ୍ଧମାଳ, ନୟାଗଡ଼, ଖୋର୍ଦ୍ଧା, ଜଗତସିଂହପୁର, କେନ୍ଦ୍ରାପଡ଼ା, ଭଦ୍ରକ, ଯାଜପୁର, ବାଲେଶ୍ୱର ଏବଂ ମୟୂରଭଂଜ ଜିଲ୍ଲାକୁ ୟେଲୋ ଓ୍ୱାର୍ଣ୍ଣିଂ ଜାରି କରାଯାଇଛି। ଅପରପକ୍ଷରେ ଲଗାଣ ବର୍ଷା ଯୋଗୁ ରାଜ୍ୟର ବିଭିନ୍ନ ନଦୀରେ ଜଳସ୍ତର ବଢ଼ୁଛି। ମହାନଦୀ ଓ ଏହାର ଶାଖା ନଦୀର ଜଳ ସ୍ତର ବଢ଼ିବାରେ ଲାଗିଛି। ଦେବୀ, କୁଶଭଦ୍ରା, ବୈତରଣୀ, ବୁଢ଼ାବଳଙ୍ଗ, ସୁବର୍ଣ୍ଣରେଖା, ବଂଶଧରା ଏବଂ ରୁଷିକୂଲ୍ୟା ନଦୀ ଫୁଲିବାରେ ଲାଗିଛି। ମଥାନୀ ଠାରେ ଜଳକା ନଦୀ ବିପଦ ସଂକେତ ଉପରେ ପ୍ରବାହିତ ହେଉଛି। ତେବେ ଅନ୍ୟ ନଦୀରେ ଜଳ ସ୍ତର ବଢ଼ୁଥିଲେ ବି ବିପଦ ସଂକେତ ତଳେ ପ୍ରବାହିତ ହେଉଛନ୍ତି।

Related Posts