ଶୋଇବା ବେଳେ ୭ବର୍ଷର ଝିଅ ବେକରେ ଘଣ୍ଟାଏ ପର୍ଯ୍ୟନ୍ତ ରହିଲା ନାଗସାପ

(ସତ୍ୟପାଠ  ବ୍ୟୁରୋ) ଭୁବନେଶ୍ୱର : ସାଧାରଣତଃ ସାପ ନାଁ ଶୁଣିଲେ ଅନେକଙ୍କ ଦେହ ଶିହରୀ ଉଠେ । ଲୋକକଥା ରହିଛି ଯେ – ‘ ଯାହା ପୁଅକୁ ସାପ କାମୁଡ଼ି ଥାଏ ତା ମାଆ ତ ପାଳ ଦଉଡ଼ି ଦେଖିଲେ ଡରେ । ‘ ତେବେ ମହାରାଷ୍ଟ୍ରର ବର୍ଧା ଜିଲ୍ଲାରୁ ଏମିତି ଏକ ଦୃଶ୍ୟ ଏବେ ସାମ୍ନାକୁ ଆସିଛି ଯାହାକୁ ଦେଖି ମନରେ ଆପେ ଆପେ ଭୟ ସୃଷ୍ଟି ହେବ। ଘଟଣାଟି ହେଉଛି ମହାରାଷ୍ଟ୍ରର ବର୍ଧା ଜିଲ୍ଲାର ସେଲୁର ବୋରଖେଡ଼ି କଲାରେ ୭ବର୍ଷର ଶିଶୁ ଶୋଇଥିବା ଅବସ୍ଥାରେ ପିଲାଟିର ବେକରେ ଏକ ନାଗ ସାପ ଗୁଡ଼ାଇ ହୋଇ ରହିଥିବା ଦେଖିବାକୁ ମିଳିଛି ।

ମିଳିଥିବା ସୂଚନା ମୁତାବକ, ଶିଶୁଟିର ନାଁ ହେଉଛି ପଦ୍ମାକର ଗଡ଼କରି । ରାତି ପ୍ରାୟ ୧୧ଟା ସମୟ ହେବ ପଦ୍ମାକର ଘରେ ଶୋଇଥିବା ବେଳେ ଏକ ନାଗସାପ ଆସି ତାଙ୍କ ବେକ ଚାରିପଟେ ଗୁଡ଼ାଇ ହୋଇଯାଇଥିଲ। ସାପଟି ଏକଘଣ୍ଟା ପର୍ଯ୍ୟନ୍ତ ଗୁଡ଼ାଇ ହୋଇ ରହିବା ଭିତରେ ଶିଶୁଟିର ନିଦ ଭାଙ୍ଗି ଯାଇଥିଲା। ତେବେ ଶିଶୁଟି ତା’ ବେକରେ ନାଗ ସାପଗୁଡ଼ାଇ ହୋଇଥିବା ଦେଖି ଭୟରେ କାନ୍ଦିବାକୁ ଲାଗିଥିଲା। 

ସେପଟେ ଛୁଆର କାନ୍ଦ ଶୁଣି ପାଖରେ ଶୋଇଥିବା ମା-ବାପା ମଧ୍ୟ ଉଠି ପଡ଼ିଥିଲେ। ଶିଶୁ ବେକରେ ସାପଗୁଡ଼ାଇ ହୋଇଥିବା ଦେଖି କେମିତି ନିଜ ଛୁଆକୁ ସାପ କବଳରୁ ଉଦ୍ଧାର କରିବେ ସେନେଇ ଚିନ୍ତାରେ ପଡିଯାଇଥିଲେ। ପଡୋଶୀ ଘର ଲୋକଙ୍କୁ ଏ ସମ୍ପର୍କରେ ସୂଚନା ଦେବା ପରେ ସେମାନେ ସାପ ଧରାଳୀଙ୍କୁ ଫୋନ କରିଥିଲେ। ଖବରପାଇ ଘଟଣାସ୍ଥଳରେ ସାପ ଧରାଳୀ ପହଞ୍ଚିବା ବେଳକୁ ଶିଶୁଟି ଡରି ଯାଇ ହଲିଯିବାରୁ ସାପ କାମୁଡ଼ି ଦେଇ ପଳାଇଥିଲା ।  ଶିଶୁ ଜଣକୁ ସଙ୍ଗେସଙ୍ଗେ ଚିକିତ୍ସା ପାଇଁ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି। ସେଠାରେ ତାର ଚିକିତ୍ସା ଚାଲୁଛି।

Related Posts