(ସତ୍ୟପାଠ ବ୍ୟୁରୋ) ଭୁବନେଶ୍ୱର : ଏଣିକି କୋଭିଡ୍ -19 ରେ ପ୍ରାଣ ହରାଇଥିବା ବ୍ୟକ୍ତିଙ୍କ ମୃତ୍ୟୁ ପ୍ରମାଣପତ୍ରରେ ଲେଖାଯିବ ‘କରୋନାରେ ମୃତ୍ୟୁ’। ଏ ନେଇ କେନ୍ଦ୍ର ସ୍ବାସ୍ଥ୍ୟ ମନ୍ତ୍ରାଳୟ ଏବଂ ଇଣ୍ଡିଆନ୍ କାଉନସିଲ ଅଫ୍ ମେଡିକାଲ ରିସର୍ଚ୍ଚ (ICMR) ପକ୍ଷରୁ ସବୁ ରାଜ୍ୟ ସରକାର ମାନଙ୍କୁ ନିର୍ଦେଶନାମା ଜାରି କରାଯାଇଛି । ସର୍ବୋଚ୍ଚ ନ୍ୟାୟାଳୟଙ୍କ ନିର୍ଦ୍ଦେଶ କ୍ରମେ କେନ୍ଦ୍ର ସରକାର ରାଜ୍ୟ ସରକାରଙ୍କୁ ଏଭଳି ନିର୍ଦେଶ ଦେଇଛନ୍ତି। ଏହି ନିର୍ଦ୍ଦେଶନାମାରେ କୁହାଯାଇଛି ଯେ , ଯଦି କୌଣସି ବ୍ୟକ୍ତିଙ୍କର କରୋନା ମହାମାରୀ ଯୋଗୁଁ ମୃତ୍ୟୁ ହୁଏ ତେବେ ଉକ୍ତ ବ୍ୟକ୍ତିଙ୍କ ମୃତ୍ୟୁ ପ୍ରମାଣପତ୍ର (ଡେଥ୍ ସାର୍ଟିଫିକେଟ୍) ରେ ‘କରୋନାରେ ମୃତ୍ୟୁ’ ବୋଲି ଲେଖିବା ବାଧ୍ୟତାମୂଳକ ।
ତେବେ ଆଉ ଏକ ଗୁରୁତ୍ବପୂର୍ଣ୍ଣ କଥା ହେଉଛି ଯେ ପୂର୍ବରୁ ଯେଉଁ ବ୍ୟକ୍ତି ମାନେ କରୋନା ଯୋଗୁଁ ମୃତ୍ୟୁବରଣ କରିଛନ୍ତି ସେମାନଙ୍କ ପରିବାରେ ଲୋକେ ମଧ୍ୟ ନୂଆ ଡେଥ୍ ସାର୍ଟିଫିକେଟ୍ ପାଇଁ ଆବେଦନ କରିପାରିବେ । ଏ ନେଇ ଦେଶର ସମସ୍ତ ଜିଲ୍ଲାରେ ଏକ କମିଟି ଗଠନ କରାଯିବ ବୋଲି ଏଥିରେ ଦର୍ଶାଯାଇଛି । ଏହି ଜିଲ୍ଲା ସ୍ତରୀୟ କମିଟି ଆବେଦନ କରିବାର ୩୦ ଦିନ ମଧ୍ୟରେ ନୂତନ କୋଭିଡ୍ ମୃତ୍ୟୁ ସାର୍ଟିଫିକେଟ କିମ୍ବା ସଂଶୋଧନ କୋଭିଡ୍ ସାର୍ଟିଫିକେଟ୍ ଦେବା ନେଇ ନିଷ୍ପତ୍ତି ନେବେ ।
ତେବେ ଏଠାରେ ସୂଚନାଯୋଗ୍ୟ ଯେ, ପୂର୍ବରୁ କରୋନାରେ ମୃତ୍ୟୁ ଘଟୁଥିଲେ ଡେଥ୍ ସାର୍ଟିଫିକେଟ୍ ରେ କରୋନା ମୃତ୍ୟୁ ବୋଲି ଲେଖାଯାଉନଥିଲା। ଏହାକୁ ନେଇ ବିବାଦ ଦେଖାଦେଇଥିଲା। ତେବେ ଏହାକୁ ବିରୋଧ କରି ସୁପ୍ରିମକୋର୍ଟଙ୍କ ଦ୍ଵାରସ୍ଥ ହୋଇଥିଲେ ଦୁଇ ଜଣ ଆବେଦନକାରୀ ରିପକ୍ କଂସଲ ଏବଂ ଗୌରବ ବଂଶଲ । ସେମାନଙ୍କ ଦାବି ଥିଲା ଯେ କରୋନା ମୃତ୍ୟୁ ଘଟିଥିବା ବ୍ୟକ୍ତିମାନଙ୍କ ପାଇଁ ସ୍ବତନ୍ତ୍ର ସାର୍ଟିଫିକେଟ୍ ପ୍ରଦାନ କରିବାକୁ ବ୍ୟବସ୍ଥା କରିବା । ତେବେ ଏହାର ଶୁଣାଣି କରି ଜୁନ ୩୦ରେ ରାୟ ପ୍ରକାଶ କରିଥିଲେ ସର୍ବୋଚ୍ଚ ନ୍ୟାୟାଳୟ । କୋର୍ଟ ନିର୍ଦ୍ଦେଶ ଦେଇଥିଲେ ଯେ, ମୃତ୍ୟୁ ପ୍ରମାଣପତ୍ରରେ ମୃତ୍ୟୁର କାରଣ କରୋନା ବୋଲି ଲେଖିବା ଉଚିତ । ସ୍ବାସ୍ଥ୍ୟ ମନ୍ତ୍ରାଳୟ ପକ୍ଷରୁ ଏ ଦିଗରେ କୌଣସି ଠୋସ୍ ପଦକ୍ଷେପ ନିଆଯାଇନଥିବାରୁ ସର୍ବୋଚ୍ଚ ନ୍ୟାୟାଳୟ ଅସନ୍ତୋଷ ବ୍ୟକ୍ତ କରିଥିଲେ । କୋର୍ଟଙ୍କ ନିର୍ଦ୍ଦେଶ କ୍ରମେ ଏବେ କେନ୍ଦ୍ର ସ୍ବାସ୍ଥ୍ୟ ବିଭାଗ ପକ୍ଷରୁ ତତ୍ପରତା ପ୍ରକାଶ ପାଇଛି । ମୃତ୍ୟୁ ପ୍ରମାଣପତ୍ର ପାଇଁ ନିର୍ଦ୍ଦେଶନାମା ଜାରି କରିଛନ୍ତି କେନ୍ଦ୍ର ସରକାର ।
ସ୍ବାସ୍ଥ୍ୟ ମନ୍ତ୍ରଣାଳୟ ପକ୍ଷରୁ ଜାରି ଏହି ନିର୍ଦେଶାବଳୀ ଅନୁଯାୟୀ, ଯଦି କରୋନାରେ କୌଣସି ବ୍ୟକ୍ତିଙ୍କ ମୃତ୍ୟୁ ହେଉଛି ତେବେ ମୃତ୍ୟୁ ପ୍ରମାଣପତ୍ରରେ କରୋନା ଯୋଗୁଁ ମୃତ ବୋଲି ଲେଖାଯିବା ବାଧ୍ୟତାମୂଳକ । ଘରେ କିମ୍ବା ହସ୍ପିଟାଲରେ ଯେକୌଣସି ସ୍ଥାନରେ ମୃତ୍ୟୁ ହୋଇଥିଲେ ମଧ୍ୟ ଡେଥ୍ ସାର୍ଟିଫିକଟେ୍ ଜାରି ହେବ । ତେବେ ଯଦି ଜଣେ ବ୍ୟକ୍ତି କରୋନାରେ ସଂକ୍ରମିତ ହୋଇଛନ୍ତି ଏବଂ ବିଷ ପିଇ, ଆତ୍ମହତ୍ୟା, ହତ୍ୟା କିମ୍ବା ଦୁର୍ଘଟଣାଜନିତ ମୃତ୍ୟୁ ଘଟେ ତେବେ ସେଭଳି କ୍ଷେତ୍ରରେ ଉକ୍ତ ବ୍ୟକ୍ତିଙ୍କ ଡେଥ୍ ସାର୍ଟିଫିକେଟ୍ ରେ କରୋନା ମୃତ୍ୟୁ ବୋଲି ଲେଖାଯିବ ନାହିଁ ।