ରାଜ୍ୟରେ ଖାଲି ପଡ଼ିଛି ୨୫୯୪ ଷ୍ଟାଫ୍‌ନର୍ସ , ୧୦୯୯ ଏଏନ୍‌ଏମ୍‌ ପଦବୀ

(ସତ୍ୟପାଠ ବ୍ୟୁରୋ) ଭୁବନେଶ୍ୱର : ରାଜ୍ୟରେ ଖାଲି ପଡ଼ିଛି ୨୫୯୪ ଷ୍ଟାଫ୍‌ନର୍ସ ପଦବି । ଷ୍ଟାଫ୍‌ନର୍ସ ସାଙ୍ଗକୁ ଏଏନ୍‌ଏମ୍‌ ପଦ ମଧ୍ୟ ଖାଲି ପଡିଛି। ୧୦୯୯ ଏଏନ୍‌ଏମ୍‌ ପଦ ଖାଲି ପଡିଥିବା ଜଣାପଡିଛି। କିନ୍ତୁ ରାଜ୍ୟରେ କରୋନା ମହାମାରୀ ମୁକାବିଲ ପାଇଁ ନିଯୁକ୍ତ ହୋଇଥିବା ଏଏନ୍‌ଏମ୍‌/ଷ୍ଟାଫନର୍ସଙ୍କୁ ଦକ୍ଷତା ତଥା ଯୋଗ୍ୟତାର ମାପକାଠି ଭାବେ ବିଚାରକୁ ନେବାର କୌଣସି ବ୍ୟବସ୍ଥା ନାହିଁ ବୋଲି ବିଧାନସଭାରେ କହିଛନ୍ତି ସ୍ବାସ୍ଥ୍ୟମନ୍ତ୍ରୀ ନବକିଶୋର ଦାସ। ମନ୍ତ୍ରୀଙ୍କ ଏହି ଉତ୍ତର ଦର୍ଶାଉଛି ରାଜ୍ୟରେ ସ୍ବାସ୍ଥ୍ୟସେବାର ବିକଳ ଚିତ୍ର ।

ବିଧାୟକ ଅଶ୍ବିନୀ କୁମାର ପାତ୍ରଙ୍କ ପ୍ରଶ୍ନର ଉତ୍ତରରେ ସ୍ୱାସ୍ଥ୍ୟମନ୍ତ୍ରୀ ନବ କିଶୋର ଦାସ କହିଛନ୍ତି ଯେ ରାଜ୍ୟରେ ଖାଲି ପଡ଼ିଥିବା ଏଏନ୍‌ଏମ୍‌/ଷ୍ଟାଫନର୍ସର ବିଭିନ୍ନ ପଦବିରେ ରାଜ୍ୟ ଓ କେନ୍ଦ୍ର ସରକାରଙ୍କ ଚାଲିଥିବା ବିଭିନ୍ନ ଯୋଜନାରେ ଅସ୍ଥାୟୀ ଭାବେ ନିଯୁକ୍ତ ହୋଇଥିବା କର୍ମଚାରୀଙ୍କୁ ନିୟମିତ କରାଯାଉଛି। ବର୍ତ୍ତମାନ ଏହି ପ୍ରକ୍ରିୟା ଚାଲୁ ରହିଥିବା ବେଳେ ଏହି ପ୍ରକ୍ରିୟା ଶେଷ ହେବା ପରେ ଖାଲି ପଡ଼ିଥିବା ପଦବିଗୁଡ଼ିକୁ ନୂତନ କ୍ୟାଡର୍‌ ରୁଲ ଅନୁଯାୟୀ ଓଡ଼ିଶା ଅଧସ୍ତନ କର୍ମଚାରୀ ଆୟୋଗଙ୍କ ଦ୍ବାରା ଲିଖିତ ପରୀକ୍ଷା ମାଧ୍ୟମରେ ପୂରଣ କରାଯିବ ବୋଲି ସେ ସୂଚନା ଦେଇଛନ୍ତି। ଏତଦ୍ ବ୍ୟତୀତ ଅର୍ଥ ବିଭାଗ ଦ୍ବାରା ନୂତନ ଭାବେ ଅନୁମୋଦିତ ୬୪୩୨ଟି ଷ୍ଟାଫନର୍ସ ପଦ ପୂରଣ ପାଇଁ ଓଡ଼ିଶା ଅଧସ୍ତନ କର୍ମଚାରୀ ଆୟୋଗଙ୍କ ଦ୍ବାରା ନିକଟରେ ଲିଖିତ ପରୀକ୍ଷା ଶେଷ ହୋଇଥିବା ମନ୍ତ୍ରୀ ସୂଚନା ଦେଇଛନ୍ତି।

Related Posts