ଦୁଷ୍ମନ୍ତଙ୍କ ମା ବାସନ୍ତୀଙ୍କ ଅଭିଯୋଗ ଆଧାରରେ ହେବ ତଦନ୍ତ
(ସତ୍ୟପାଠ ବ୍ୟୁରୋ) ଭୁବନେଶ୍ୱର : ବିଧାନସଭା ଆଗରେ ଆତ୍ମାହୁତି ଉଦ୍ୟମ କରି ପରେ ହସ୍ପିଟାଲ୍ରେ ମୃତ୍ୟୁବରଣ କରିଥିବା କୁଜଙ୍ଗର ଦୁଷ୍ମନ୍ତ ଦାସଙ୍କ ମୃତ୍ୟୁ ମାମଲାର ତଦନ୍ତ କରିବ କମିଶନରେଟ ପୋଲିସ । ସୂଚନା ଥାଉକି ମୃତ ଦୁଷ୍ମନ୍ତଙ୍କ ମା’ ଗତ କାଲି ଜଗତସିଂହପୁର କୁଜଙ୍ଗ ଥାନାରେ ଏକ ମାମଲା ଦାୟର କରିଥିଲେ। ବର୍ତ୍ତମାନ ଏହି ମାମଲାଟି କଟକକୁ ସ୍ଥାନାନ୍ତର କରାଯାଇଛି । ତେବେ ଏ ସମ୍ପର୍କରେ ସୂଚନା ଦେଇ ପୋଲିସ କମିଶନର କହିଛନ୍ତି ଯେ, ଦୁଷ୍ମନ୍ତଙ୍କ ମା’ ବାସନ୍ତି କରିଥିବା ଅଭିଯୋଗ ଆଧାରରେ ଏ ମାମଲାର ତଦନ୍ତ କରାଯିବ । ଦୁଷ୍ମନ୍ତଙ୍କ ମା’ ଅଭିଯୋଗ କରିଥିଲେ ଘଟଣା ଦିନ କେହି ଜଣେ ଲୋକ ଚାଲ୍ କରି ଦୁଷ୍ମନ୍ତଙ୍କୁ କଥାରେ ଫସାଇ ଭୁବନେଶ୍ୱର ନେଇଆସିଥିଲେ ।
ସେ କହିଛନ୍ତି ଯେ, ” ପୁଅ ଗଲାବେଳେ କହିଥିଲା ଯେ ସେ ଭୁବନେଶ୍ୱର ଯାଉଛି, ସେଠାରୁ ଆସିଲେ ଗାଁକୁ ଯିବେ । କିନ୍ତୁ ଏହାର କିଛି ସମୟ ପରେ ସେ ସୂଚନା ପାଇଥିଲେ ଯେ ଦୁଷ୍ମନ୍ତ ବିଧାନସଭା ସମ୍ମୁଖରେ ହାତ କାଟି ବିଷ ପିଇ ଆତ୍ମହତ୍ୟା ଉଦ୍ୟମ କରିଛି। ତାଙ୍କ ପୁଅକୁ କଟକରୁ ନେଇଥିବା ବ୍ୟକ୍ତି ଏଭଳି ହାତକାଟି, ବିଷ ପିଆଇଥିବା ନେଇ ସେ ସନ୍ଦେହ କରୁଛନ୍ତି ବୋଲି ଏତଲାରେ ଦର୍ଶାଇଛନ୍ତି ।
ସୂଚନାଯୋଗ୍ୟ ଯେ, ଜଗତସିଂହପୁର ଜିଲ୍ଲା କୁଜଙ୍ଗ ପଙ୍କପାଳ ଅଂଚଳର ଦୁଷ୍ମନ୍ତ ଦାସ ୨୦୨୦ ମାର୍ଚ୍ଚ ମାସରେ ଏକ ସଡ଼କ ଦୁର୍ଘଟଣାର ସମ୍ମୁଖୀନ ହୋଇଥିଲେ । ଘରକୁ ଫେରିବା ବାଟରେ ପିକଅପ୍ ଭ୍ୟାନ୍ ଧକ୍କାରେ ତାଙ୍କ ବାମ ଗୋଡ଼ରେ ଗଭୀର ଆଘାତ ଲାଗିଥିଲା । ପ୍ରଥମେ ତାଙ୍କୁ ଜଗତସିଂହପୁର ମେଡିକାଲ ଓ ପରେ କଟକ ବଡ଼ ଡାକ୍ତରଖାନାରେ ଭର୍ତି କରାଯାଇଥିଲା । ଏସସିବିରେ ଅସ୍ତ୍ରୋପଚାର ବି କରାଯାଇଥିଲା । କିନ୍ତୁ ଜୁଲାଇ ମାସରେ କରୋନା ଆଳ ଦେଖାଇ ମେଡିକାଲ କର୍ତ୍ତୃପକ୍ଷ ତାଙ୍କୁ ଘରକୁ ପଠାଇ ଦେଇଥିଲେ । ଏସସିବିରେ ଚିକିତ୍ସା ଅବହେଳା ଅଭିଯୋଗ କରି ବାରମ୍ବାର ଉଚ୍ଚ ପଦସ୍ଥ ଅଧିକାରୀଙ୍କୁ ଚିଠି ଲେଖିବା ଓ ଟୁଇଟ କରିବା ପରେ ଶେଷରେ ବିଧାନସଭା ଆଗରେ ବିଷ ପିଇବା ସହ ହାତ କାଟିଦେଇଥିଲେ ଦୁଷ୍ମନ୍ତ ।