(ସତ୍ୟପାଠ ବ୍ୟୁରୋ) ଭୁବନେଶ୍ୱର : କଟକ ବଡ଼ ଡାକ୍ତରଖାନା ବା ଏସ୍ସିବି ମେଡିକାଲ କଲେଜ ହେଉଛି ରାଜ୍ୟର ଏକ ପ୍ରମୁଖ ଡାକ୍ତରଖାନା ମଧ୍ୟରୁ ଅନ୍ୟତମ। ରାଜ୍ୟ ସରକାର ବଡ ଡାକ୍ତରଖାନାକୁ ଏମ୍ସ ପ୍ଲସ୍ କରିବାକୁ ଲକ୍ଷ୍ୟ ରଖିଛନ୍ତି। ଏବଂ ଏଥିପାଇଁ ପାଖାପାଖି ୩୫୦୦ କୋଟି ଟଙ୍କା ଧାର୍ଯ୍ୟ କରାଯାଇଛି । ତେବେ ଏହା ମଧ୍ୟରେ ସାମ୍ନାକୁ ଆସିଛ ଏକ ଦୟନୀୟ ଚିତ୍ର। ଏସ୍ସିବିର ପରିଚାଳନା ପାଇଁ ଏବେ ଅର୍ଥ ସଙ୍କଟ ଦେଖାଦେଇଛି । ରୋଗୀଙ୍କ ସହାୟତା ପାଇଁ ଆସିଥିବା ମୁଖ୍ୟମନ୍ତ୍ରୀ ରିଲିଫ୍ ପାଣ୍ଠି (ସିଏମ୍ଆରଏଫ୍)କୁ ରୋଗୀଙ୍କ ପାଇଁ ଖର୍ଚ୍ଚ କରିବା ପରିବର୍ତ୍ତେ ସେହି ରାଶିକୁ ଅନ୍ୟବାଟରେ ଖର୍ଚ୍ଚ କରାଯାଇଛି।
ରୋଗୀଙ୍କ ଚିକିତ୍ସା ପାଇଁ ଖର୍ଚ୍ଚ ହେବାକୁ ଆସୁଥିବା ରାଶିକୁ ଠିକା ସଂସ୍ଥାର କର୍ମଚାରୀଙ୍କୁ ଦରମା, ଇନସେଣ୍ଟିଭ ଦିଆଯାଇଛି। ସିଏମ୍ଆରଏଫ୍ ପାଣ୍ଠିରୁ ରୋଗୀ ଖାଦ୍ୟ (ଡାଏଟ), ସୁରକ୍ଷା (ସିକ୍ୟୁରିଟ୍) ପାଇଁ ଏହି ଟଙ୍କା ଆଲର୍ଟ ହୋଇଥିବା ବେଳେ ଏହି ଟଙ୍କାରେ ଅକ୍ସିଜେନ କିଣା ଯାଇଛି। ସେହିପରି ଲଣ୍ଡ୍ରି, ପରିବହନ, ଗ୍ୟାସ ପାଇପଲାଇନ ବାବଦରେ ମଧ୍ୟ ଏହି ଟଙ୍କା ଖର୍ଚ୍ଚ କରାଯାଉଥିବା ଜଣାପଡିଛି ।
ମିଳିଥିବା ସୂଚନା ମୁତାବକ , ୨୦୨୦ ମାର୍ଚ୍ଚ ୨୧ରୁ ୨୦୨୧ ଅଗଷ୍ଟ ୩୧ ତାରିଖ ମଧ୍ୟରେ ବିଭିନ୍ନ ତାରିଖରେ ଏସସିବି ମେଡିକାଲ କର୍ତ୍ତୃପକ୍ଷ ମୁଖ୍ୟମନ୍ତ୍ରୀ ରିଲିଫ୍ ପାଣ୍ଠି ବାବଦରେ ମୋଟ ୬ କୋଟି ୬୫ଲକ୍ଷ ୮୦ ହଜାର ୭୧୭ ଟଙ୍କା ପାଇଛନ୍ତି। ମୁଖ୍ୟମନ୍ତ୍ରୀଙ୍କ ରିଲିଫ ପାଣ୍ଠିରୁ ଆସୁଥିବା ଏହି ଟଙ୍କାକୁ ରୋଗୀଙ୍କ ପାଇଁ ଖର୍ଚ୍ଚ କରିବା ପରିବର୍ତ୍ତେ ଏହି ଅର୍ଥ ରାଶି କୁ ଅନ୍ୟବାଟରେ ଖର୍ଚ୍ଚ ହୋଇଛି। ମୋଟ ୬ କୋଟି ୫୦ ଲକ୍ଷ ୫୮୭ ଟଙ୍କା ଖର୍ଚ୍ଚ କରିଥିବା ବେଳେ ବାକି ୧୫ ଲକ୍ଷ ୨ ହଜାର ୧୩୦ ଟଙ୍କା ଜମା ରହିଛି।
କଟକ ବଡ଼ ଡାକ୍ତରଖାନା କର୍ତ୍ତୃପକ୍ଷ ଏହି ଟଙ୍କାରୁ ଅକ୍ସିଜେନ ବାବଦକୁ ୨ କୋଟି ୨୭ ଲକ୍ଷ ୪୧ ହଜାର ୬୮୭ ଟଙ୍କା ଖର୍ଚ୍ଚ କରିଥିବା ବେଳେ ଖାଦ୍ୟ ପାଇଁ ୧ କୋଟି ୬୨ଲକ୍ଷ ୭୮ ହଜାର ୭୪୧, ସିକ୍ୟୁରିଟି ପାଇଁ ୬୧ ଲକ୍ଷ ୮୦ ହଜାର ୮୩୧, ଅନ୍ୟାନ୍ୟ ଖର୍ଚ୍ଚ ପାଇଁ ୪୨ ଲକ୍ଷ ୯୨ ହଜାର ୯୬୨ ଟଙ୍କା ଖର୍ଚ୍ଚ କରିଛନ୍ତି।
ଏହି ଅର୍ଥ ରାଶିରେ କର୍ମଚାରୀ ମାନଙ୍କୁ ଇନସେନଣ୍ଟିଭ ବାବଦରେ ୧ କୋଟି ୨୦ ଲକ୍ଷ ୩୬ ହଜାର ଟଙ୍କା ଦିଆଯାଇଥିବା ବେଳେ ଦରମା ପାଇଁ ୧ ଲକ୍ଷ ୭୬ ହଜାର ୫୬୫, ଲଣ୍ଡ୍ରି ପାଇଁ ୮ଲକ୍ଷ ୮୦ ହଜାର ୪୮୦ ଟଙ୍କା, ପରିବହନ ପାଇଁ ୪ ଲକ୍ଷ ୩୦ ହଜାର ୫୦୭ ଟଙ୍କା ଓ ଗ୍ୟାସ ପାଇପଲାଇନ ବାବଦକୁ ୧୯ ଲକ୍ଷ ୬୦ ହଜାର ୫୯୪ ଟଙ୍କା ଖର୍ଚ୍ଚ କରାଯାଇଛି। ଏ ସମ୍ପର୍କରେ ଏସସିବିର ଆକାଉଣ୍ଟସ ଅଫିସର ପଞ୍ଚାନନ ବେହେରା କହିଛନ୍ତି ଯେ ସିଏମ୍ଆରଏଫ୍ ଟଙ୍କା ରୋଗୀଙ୍କ ଚିକିତ୍ସା ପାଇଁ ଆସିଥାଏ , କିନ୍ତୁ କରୋନା ମହାମାରୀ ସମୟରେ ଟଙ୍କାର ଅଭାବ ଥିବା କାରଣରୁ ଅନ୍ୟ ପାଣ୍ଠିରୁ ଟଙ୍କା ଖର୍ଚ୍ଚ କରିହେଲା ନାହିଁ। ତେଣୁ ଏ ନେଇ ଜିଲ୍ଲାପାଳଙ୍କୁ ଚିଠି ଲେଖା ଯାଇଥିଲା। ଜିଲ୍ଲାପାଳଙ୍କ ଅନୁମତି କ୍ରମେ ଏହି ଟଙ୍କା ଖର୍ଚ୍ଚ କରାଯାଇଛି ବୋଲି ସେ କହିଛନ୍ତି।