ସମ୍ଭବ୍ୟ ତୃତୀୟ ଲହର କୋଭିଡ ମୁକାବିଲା ପାଇଁ ୪୪୦୦ ଶଯ୍ୟା

(ସତ୍ୟପାଠ  ବ୍ୟୁରୋ) ଭୁବନେଶ୍ୱର : କୋଭିଡ୍ ମହାମାରୀର ସମ୍ଭାବ୍ୟ ତୃତୀୟ ଲହରକୁ ଦୃଷ୍ଟିରେ ରଖି ବିଭିନ୍ନ ଡାକ୍ତରଖାନାରେ ଅତି କମରେ ୪୪୦୦ ବେଡ୍ ଶିଶୁ ମାନଙ୍କ ପାଇଁ ପ୍ରସ୍ତୁତ ରଖିବାକୁ ରାଜ୍ୟ ସରକାର ପଦକ୍ଷେପ ନେଇଛନ୍ତି । ମିଳିଥିବା ସୂଚନା ମୁତାବକ , ପିଲା ମାନଙ୍କ କୋଭିଡ ଚିକିତ୍ସା ପାଇଁ ୩୦୦୦ ବେଡ୍ ରଖାଯାଇଥିବା ବେଳେ ସେଥି ମଧ୍ୟରୁ ୬୭୪ ଟି ବେଡ୍ ଗୁରୁତର ରୋଗୀଙ୍କ ପାଇଁ ରହିଛି । ସେହିପରି ଅତିରିକ୍ତ ୧୪୦୦ ଶଯ୍ୟା (ଯେଉଁଥିରୁ ୫୦୦ ଟି ଆଇସିୟୁ) ପାଇଁ ପ୍ରସ୍ତୁତି ଚାଲିଛି ।

ତୃତୀୟ ଲହରକୁ ସାମ୍ନା କରିବା ପାଇଁ ବର୍ତ୍ତମାନ ଥିବା କୋଭିଡ ହସ୍ପିଟାଲରେ ଅତି କମରେ ୧୫ ପ୍ରତିଶତ ବେଡ୍ କେବଳ ଶିଶୁ ମାନଙ୍କ ପାଇଁ ସଂରକ୍ଷିତ ରଖାଯାଇଛି । ଏଥି ମଧ୍ୟରେ ସମସ୍ତ ଡିଏଚ୍‍ଏଚ୍‍ / ଏସ୍‍ଡିଏଚ୍‍ ରେ ୧୦ ଶଯ୍ୟା ଏବଂ ସମସ୍ତ ସିଏଚ୍‍ସିରେ ୨ ରୁ ୪ ଶଯ୍ୟା ପିଲାମାନଙ୍କ ପାଇଁ ସଂରକ୍ଷିତ ରଖାଯାଇଛି । ଏବଂ ୭ଟିି ମେଡିକାଲ୍ କଲେଜ୍ ଏବଂ ହସ୍ପିଟାଲରେ ଶିଶୁଙ୍କ ପାଇଁ କୋଭିଡ କେୟାର ୟୁନିଟ୍ ଗଠନ କରାଯାଇଛି । ଏତଦ୍ ବ୍ୟତୀତ ବେସରକାରୀ ଡାକ୍ତରଖାନା, ନର୍ସିଂହୋମଗୁଡିକ ମଧ୍ୟ ଶଯ୍ୟା ସହାୟତା ଯୋଗାଇଦେବେ ।

ସେହିପରି କଟକ ଶିଶୁ ଭବନକୁ ସେଣ୍ଟର ଅଫ୍‍ ଏକ୍ସଲେନ୍ସି ଏବଂ ଟେଲି-ହବ୍ ଭାବରେ ଘୋଷଣା କରାଯାଇଛି । ସେହିପରି ୪୦ ଟି ସାଧାରଣ ଏବଂ ୧୦ ଟି ଆଇସିୟୁ ଶଯ୍ୟା ରହିଛି। ଅନ୍ୟପକ୍ଷରେ ସମସ୍ତ ଜିଲ୍ଲା ଗୁଡିକରେ ଆରଟି- ପିସିଆର ପରୀକ୍ଷା ପାଇଁ ଲ୍ୟାବ ପ୍ରତିଷ୍ଠା ହୋଇଥିବାବେଳେ ସେପ୍ଟେମ୍ବର ଏବଂ ଅକ୍ଟୋବର ମାସରେ ମଧ୍ୟ ସଂକ୍ରମିତଙ୍କ ସଂଖ୍ୟା ହ୍ରାସ ପାଇବା ସତ୍ତ୍ୱେ ଆଗାମୀ ପାର୍ବଣଋତୁକୁ ଦୃଷ୍ଟିରେ ରଖି ଦୈନିକ ୭୦,୦୦୦ ଟେଷ୍ଟ କରିବାକୁ ନିଷ୍ପତ୍ତି ନିଆଯାଇଛି ।

ସେହିପରି ତୃତୀୟ ଲହର ମୁକାବିଲା ପାଇଁ ପର୍ଯ୍ୟାପ୍ତ ସଂଖ୍ୟକ ସିଲିଣ୍ଡର ଏବଂ କନସେନଟ୍ରେଟର ଉପଲବ୍ଧ ରଖିବାକୁ ନିର୍ଦ୍ଦେଶ ଦିଆଯାଇଛି । ଅମ୍ଳଜାନ ଏବଂ ଔଷଧ ଏବଂ ଉପଭୋକ୍ତା ସାମଗ୍ରୀ ଯୋଗାଇବା ପାଇଁ ଅତିରିକ୍ତ କ୍ଷମତା ସୃଷ୍ଟି କରାଯାଇଛି । 

ସେହିପରି ରାଜ୍ୟ ସରକାରଙ୍କ ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ ଶିଶୁଙ୍କ କୋଭିଡ ଚିକିତ୍ସା ଉପରେ ୧୭ ଟି ୱେବିନାର୍ କରିଛି (୨୨୦୦ ଡାକ୍ତର, ୧୫୦୦ ପାରାମେଡିକ୍ସ ଅଂଶଗ୍ରହଣ କରିଛନ୍ତି) ୧୪୫ ଶିଶୁ ବିଶେଷଜ୍ଞ, ୧୮୨୬ ମେଡିକାଲ୍ ଅଫିସର, ଷ୍ଟାଫ ନର୍ସ -୫୬୫୦, ଏଏନ୍‍ଏମ୍‍-୧୧୭୧୬, ଆଶା-୪୫୮୧୨ ଏବଂ ଅଙ୍ଗନବାଡିକର୍ମୀ-୭୦୨୮୫ ଙ୍କୁ ଦକ୍ଷତା ବିକାଶ ତାଲିମ ପ୍ରଦାନ କରାଯାଇଛି । ସମସ୍ତ ଆବଶ୍ୟକୀୟ କର୍ମଚାରୀ ଉଭୟ ଡାକ୍ତର ଏବଂ ପାରାମେଡିକାଲ୍ ଷ୍ଟାଫ୍ ମାନଙ୍କୁ ଶିଶୁଙ୍କ କୋଭିଡ ଚିକିତ୍ସା ଉପରେ ତାଲିମ ଦିଆଯାଇଛି ।

Related Posts