(ସତ୍ୟପାଠ ବ୍ୟୁରୋ) ଭୁବନେଶ୍ୱର : ଅର୍ଥ ହେରଫେର ଅଭିଯୋଗରେ ଗିରଫ ହେଲେ କିରାଣି। ଘଟଣା ହେଉଛି ଅନୁଗୋଳ ଜିଲ୍ଲାର। ଅନୁଗୁଳ ଜିଲ୍ଲା ବଅଁରପାଳ ସିଡିପିଓଙ୍କ କାର୍ଯ୍ୟାଳୟର ଜଣେ କିରାଣିଙ୍କୁ ପୁଲିସ୍ ଗିରଫ କରିଛି । ପୁଲିସ ତାଙ୍କୁ ଗିରଫ କରି କୋର୍ଟଚାଲାଣ କରିଛି। ଗିରଫ ହୋଇଥିବା ଏହି କିରାଣୀଙ୍କ ନାଁ ହେଉଛି ଯୁଗଳ ନାୟକ।
ମିଳିଥିବା ସୂଚନା ମୁତାବକ , ନଅ ମାସ ପୂର୍ବେ ସିଡିପିଓ ଲିଲି ଦାସ ବଅଁରପାଳ କାର୍ଯ୍ୟାଳୟରେ ଯୋଗ ଦେଇଥିଲେ। ଲିଲି କାର୍ଯ୍ୟରେ ଯୋଗଦେବା ପରେ ଯୁଗଳ ନାୟକଙ୍କୁ ଅଫିସର ଡକ୍ୟୁମେଣ୍ଟ ଗୁଡ଼ିକ ଅପଡେଟ୍ କରିବାକୁ ନିର୍ଦ୍ଦେଶ ଦେଇଥିଲେ। କିନ୍ତୁ ଯୁଗଳ ଡକ୍ୟୁମେଣ୍ଟ ଅପଡେଟ କରିବା ପରିବର୍ତ୍ତେ ସମୟ ଗଡ଼ାଇ ଚାଲିଲେ। ତେବେ ବିଳମ୍ବ ହେବାରୁ ସିଡିପିଓଙ୍କ ମନରେ ସନ୍ଦେହ ଉପୁଜିଥିଲା। ଏହା ପରେ ସେ ବିଶେଷ ସୂତ୍ରରୁ ସୂଚନା ପାଇଥିଲେ ଯେ, ଯୁଗଳ ୬ ଲକ୍ଷ ୨୪ ହଜାର ଟଙ୍କାର ଅର୍ଥ ହେରଫେର କରିଛନ୍ତି।
ସିଡିପିଓ ଏ ସମ୍ପର୍କରେ ଜିଲ୍ଲାପାଳଙ୍କୁ ସୂଚନା ଦେଇଥିଲେ। ଏହା ପରେ ସିଡିପିଓ ବଅଁରପାଳ ଥାନାରେ ଯୁଗଳଙ୍କ ବିରୋଧରେ ମାମଲା ଦାୟର କରିଥିଲେ। ଏହା ପରେ ପୁଲିସ ଘଟଣାର ତଦନ୍ତ ଆରମ୍ଭ କରିଥିଲା। ତଦନ୍ତ ରିପୋଟକୁ ଭିର୍ତ୍ତି କରି ଗତକାଲି ଯୁଗଳଙ୍କୁ ପୁଲିସ ଗିରଫ କରି କୋର୍ଟଚାଲାଣ କରିଥିବା ସୂଚନା ମିଳିଛି।