ଦୁଷ୍ମନ୍ତଙ୍କ ମୃତ୍ୟୁ ପାଇଁ କିଏ ଦାୟୀ ? କୁଜଙ୍ଗ ଥାନାରେ ଏତଲା ଦେଲେ ଦୁଷ୍ମନ୍ତଙ୍କ ମା

(ସତ୍ୟପାଠ  ବ୍ୟୁରୋ) ଭୁବନେଶ୍ୱର : ଦୁଷ୍ମନ୍ତ ମୃତ୍ୟୁ ମାମଲା ଦିନକୁ ଦିନ ଜଟିଳ ହେବାରେ ଲାଗିଛି। ତାଙ୍କ ମୃତ୍ୟୁ ପଛରେ କାହାର ହାତ ରହିଛି ?  ଏ ନେଇ କୁଜଙ୍ଗ ଥାନାରେ ଏତଲା ଦେଇଛନ୍ତି ଦୁଷ୍ମନ୍ତଙ୍କ ମା ଜୟନ୍ତୀ ଦାସ। ଏହାପରେ ମାମଲାଟି ଏକ ଭିନ୍ନ ମୋଡ ନେଇଛି । ସେ ତାଙ୍କ ଅଭିଯୋଗରେ କହିଛନ୍ତି ଯେ, ବୁଧବାର ସକାଳେ ଜଣେ ବ୍ୟକ୍ତି ତାଙ୍କ ପୁଅକୁ  କଟକ ବଡ ମେଡିକାଲରେ ପଂହଚି ବିଭିନ୍ନ କଥା କହି ଭୁବନେଶ୍ୱର ନେଇ ଯାଇଥିଲା ।  ପୁଅ ଗଲାବେଳେ କହିଥିଲା  ସେ ଭୁବନେଶ୍ୱର ଯାଉଛି, ସେଠୁ ଆସିଲେ ଗାଁକୁ ଯିବେ , କିନ୍ତୁ ଏହାର କିଛି ସମୟ ପରେ ଜଣାପଡିଥିଲା ଯେ ସେ ବିଧାନସଭା ସାମ୍ନାରେ ହାତ କାଟି ବିଷ ପିଇ ଆତ୍ମହତ୍ୟା ଉଦ୍ୟମ କରିଛି । ତେବେ ଦୁଷ୍ମନ୍ତଙ୍କୁ କଟକରୁ ଭୁବନେଶ୍ବର ନେଇ  ଯାଇଥିବା ବ୍ୟକ୍ତି  ହାତକାଟି, ବିଷ ପିଆଇଥିବା ସେ ସନ୍ଦେହ କରୁଛନ୍ତି ବୋଲି ଏତଲାରେ ଦୁଷ୍ମନ୍ତଙ୍କ ମା  ଅଭିଯୋଗ କରିଛନ୍ତି । ଏଭଳି ଅଭିଯୋଗ ସାମ୍ନାକୁ ଆସିବା ପରେ ପୁଲିସ ମାମଲାର ତଦନ୍ତ ଆରମ୍ଭ କରିଦେଇଛି ।  

ସୂଚନାଯୋଗ୍ୟ ଯେ, ଜଗତସିଂହପୁର ଜିଲ୍ଲା କୁଜଙ୍ଗ ପଙ୍କପାଳ ଅଂଚଳର ଦୁଷ୍ମନ୍ତ ଦାସ ୨୦୨୦ ମାର୍ଚ୍ଚ ମାସରେ ଏକ ସଡ଼କ ଦୁର୍ଘଟଣାର ଶିକାର ହୋଇଥିଲେ। ଏଥିରେ ତାଙ୍କର ବାମ ଗୋଡରେ ଗଭୀର ଆଘାତ ଲାଗିଥିଲା । ପ୍ରଥମେ ତାଂକୁ ଜଗତସିଂହପୁର ମେଡିକାଲ ଓ ପରେ କଟକ ବଡ଼ ଡାକ୍ତରଖାନାରେ ଭର୍ତି କରାଯାଇଥିଲା । ଏସସିବିରେ ଅସ୍ତ୍ରୋପଚାର ବି କରାଯାଇଥିଲା । କିନ୍ତୁ ଦୀର୍ଘଦିନ ଚିକିତ୍ସା ପରେ ମଧ୍ୟ ଯନ୍ତ୍ରଣା କମି ନଥିଲା । ବାମ ଗୋଡ଼ ସଠିକ ଭାବେ କାମ ନକରୁଥିବାରୁୁ ତାଙ୍କ ପାଇଁ ଚାଲିବା କଷ୍ଟକର ହୋଇପଡ଼ିଥିଲା । ୨୦୨୦ ଜୁଲାଇ ୧୫ ତାରିଖରେ କରୋନା ଆଳ ଦେଖାଇ ତାଙ୍କୁ ଘରକୁ ପଠାଇ ଦିଆଯାଇଥିଲା। ତା’ ପରଠାରୁ ତାଙ୍କ ଚିକିତ୍ସାରେ ଅବହେଳା କରାଯାଇଥିବା ସେ ଅଭିଯୋଗ କରିଥିଲେ। ବିଜୁ ସ୍ୱାସ୍ଥ୍ୟ କଲ୍ୟାଣ ଯୋଜନାରେ ଚିକିତ୍ସା ପାଇଁ ସେ ଦୁଇଟି ଘରୋଇ ହସ୍ପିଟାଲ୍‌କୁ ଯାଇଥିଲେ ମଧ୍ୟ ସେହି ହସ୍‌ପିଟାଲ୍‌ ଗୁଡ଼ିକ ମନା କରି ଦେଇଥିଲେ ବୋଲି ସେ ଅଭିଯୋଗ କରିଥିଲେ। ଚିକିତ୍ସା ପାଇଁ ବିଭିନ୍ନ ସ୍ତରରେ ଗୁହାରୀ ଲଗାଇବା ପରେ ନିରାଶ ହୋଇ ସେ ବୁଧବାର ବିଧାନସଭା ସମ୍ମୁଖରେ ଆତ୍ମହତ୍ୟା ଉଦ୍ୟମ କରିଥିଲେ। ଏହା ପରେ ଦୁଷ୍ମନ୍ତ ଦାସଙ୍କ ଚିକିତ୍ସାଧୀନ ଅବସ୍ଥାରେ ମୃତ୍ୟୁ ଘଟିଥିଲା। ସେହିଦିନ ରାତି ୧୨ଟାରେ ସ୍ୱତନ୍ତ୍ର ଭାବେ ଜଣେ ମାଜିଷ୍ଟ୍ରେଟ, ଡାକ୍ତରଙ୍କୁ ଡକାଯାଇ ଶବ ବ୍ୟବଚ୍ଛେଦ କରାଗଲା । ଶବ ବ୍ୟବଚ୍ଛେଦ ପରେ ବାଲିକୁଦା ଓ କୁଜଙ୍ଗ ଥାନା ପୋଲିସର ସଶସ୍ତ୍ର ବାହିନୀ ଏସକର୍ଟ କରି ତାଙ୍କ ଶବକୁ ସିଂହଦ୍ୱାର ନିଆଯାଇ ସତ୍କାର କରାଯାଇଥିଲା। 

Related Posts