(ସତ୍ୟପାଠ ବ୍ୟୁରୋ) ଭୁବନେଶ୍ୱର : ରାଜ୍ୟର ବିଭିନ୍ନ ସ୍ବୟଂଶାସିତ କଲେଜ ଏବଂ ଡିଗ୍ରୀ କଲେଜରେ ନାମ ଲେଖା ପାଇଁ ଉଚ୍ଚଶିକ୍ଷା ବିଭାଗ ପକ୍ଷରୁ ପ୍ରଥମ ପର୍ଯ୍ୟାୟ ମେଧା ତାଲିକା ପ୍ରକାଶ ପାଇଛି। ପ୍ରଥମ ପର୍ଯ୍ୟାୟରେ ଯୁକ୍ତ ୩ରେ ନାମ ଲେଖାଇବା ପାଇଁ ୧,୬୮,୫୩୭ଜଣ ଛାତ୍ରଛାତ୍ରୀ ମନୋନୀତ ହୋଇଥିବା ବେଳେ ସେଥିମଧ୍ୟରୁ କଳାରେ ୧,୦୨, ୨୯୨ଜଣ, ସେଲ୍ଫ ଫାଇନାନ୍ସିଂ ୧,୧୩୫ଜଣ, ବାଣିଜ୍ୟରେ ୧୭,୬୩୪, ସଂସ୍କୃତରେ ୩,୭୯୯, ଫିଜିକାଲ ସାଇନ୍ସରେ ୨୫, ୩୫୦ଜଣ ଏବଂ ବାୟାୟେଲୋଜିକାଲ ସାଇନ୍ସରେ ୧୮,୩୩୮ଜଣ ଛାତ୍ରଛାତ୍ରୀ ମନୋନୀତ ହୋଇଛନ୍ତି। ପ୍ରଥମ ପର୍ଯ୍ୟାୟ କଟ୍ ଅଫ୍ ତାଲିକାରେ ୭୫ ହଜାର ୭୦୪ ଛାତ୍ର, ୯୨ ହଜାର ୮୦୭ ଛାତ୍ରୀ, ୨୬ ଜଣ କିନ୍ନର ଯୁକ୍ତ୩ରେ ପଢ଼ିବାକୁ ମନୋନୀତ ହୋଇଛନ୍ତି। ମନୋନୀତ ଛାତ୍ରଛାତ୍ରୀମାନେ ସେପ୍ଟେମ୍ବର ୯ରୁ ୧୪ ତାରିଖ ରାତି ୧୧ଟା ୪୫ ମିନିଟ୍ ପର୍ଯ୍ୟନ୍ତ ସାମ୍ସ ପୋର୍ଟାଲରେ ଅନଲାଇନ୍ ଫି ଦାଖଲ କରିପାରିବେ। ଏହାପରେ ପ୍ରଥମ ପର୍ଯ୍ୟାୟର ନାମଲେଖା ପ୍ରକ୍ରିୟା ପ୍ରକ୍ରିୟା ୧୩ରୁ୧୬ ସେପ୍ଟେମ୍ବର ମଧ୍ୟରେ ସମ୍ପନ୍ନ ହେବ। ସେପ୍ଟେମ୍ବର ୧୧ରୁ ୧୬ ମଧ୍ୟରେ ପ୍ରଥମ ପର୍ଯ୍ୟାୟରେ ନାମଲେଖାଇଥିବା ଛାତ୍ରଛାତ୍ରୀଙ୍କ ଅନଲାଇନରେ ସ୍ଲାଇଡ ଅପଡେସନ କରାଯିବ। ସେପ୍ଟେମ୍ବର ୨୧ରେ ଦ୍ୱିତୀୟ ପର୍ଯ୍ୟାୟ ମେଧାତାଲିକା ପ୍ରକାଶ ପାଇବ।
ତେବେ ଉଲ୍ଲେଖନୀୟ କଥା ହେଉଛି ଚଳିତ ବର୍ଷ ପ୍ରଥମ ଥର ପାଇଁ ସବୁ ବିଭାଗ (ସଂସ୍କୃତ ବ୍ୟତୀତ) ରେ କଟ୍ଅଫ୍ ମାର୍କ ୯୦% ଉପରରେ ରହିଛି। ତେବେ କଳା ବିଭାଗରେ ସର୍ବାଧିକ କଟ୍ଅଫ୍ ମାର୍କ ୯୫ ପ୍ରତିଶତ ଉପରେ ରହିଛି। ତେବେ ଭୁବନେଶ୍ବର ବିଜେବି ସ୍ବୟଂଶାସିତ ମହାବିଦ୍ୟାଳୟରେ ରାଜ୍ୟର ସର୍ବାଧିକ ଛାତ୍ରଛାତ୍ରୀ ପଢିବା ପାଇଁ ସର୍ବାଧିକ ଆଗ୍ରହ ପ୍ରକାଶ କରିଥିବାରୁ ଏଠାରେ କଟ୍ ଅଫ୍ ମାର୍କ ସବୁଠାରୁ ଅଧିକ ରହିଛି।
କଳା, ବାଣିଜ୍ୟ ଓ ବିଜ୍ଞାନ ପାଠ୍ୟକ୍ରମରେ ବିଜେବି ସ୍ବୟଂଶାସିତ ମହାବିଦ୍ୟାଳୟର କଟ୍ ଅଫ୍ ମାର୍କ ସବୁଠାରୁ ଅଧିକ ରହିଛି। ବିଜେବି କଲେଜର ଭୂଗୋଳରେ କଟ୍ ଅଫ୍ ମାର୍କ ୯୫.୨୦% , ଅର୍ଥନୀତିରେ ୯୨.୧୭%, ଇଂରାଜୀରେ ୯୨% ଓ ରାଜନୀତି ବିଜ୍ଞାନରେ ୯୧.୬୦%, ମନୋ ବିଜ୍ଞାନରେ ୮୯.୪୦%, ନୃତତ୍ତ୍ବ ବିଜ୍ଞାନରେ ୮୮.୬୭%, ସାମାଜିକ ବିଜ୍ଞାନରେ ୮୮.୪୦%, ଗଣିତରେ ୮୮.୨୦%, ପରିସଂଖ୍ୟାନରେ ୮୪.୬୦%, ଇତିହାସରେ ୮୩%, ଶିକ୍ଷାରେ ୮୦.୧୭%, ସଙ୍ଗୀତରେ ୭୬.୬୭% ଓ ଦର୍ଶନଶାସ୍ତ୍ରରେ ୭୬.୮୩% ରହିଛି। ସେହିପରି ଓଡ଼ିଆରେ ଶୈଳବାଳା ସ୍ବୟଂଶାସିତ ମହିଳା ମହାବିଦ୍ୟାଳୟ ଓ କଟକ ନରସିଂହପୁର ଡିଗ୍ରି ମହାବିଦ୍ୟାଳୟ କଟ୍ଅଫ୍ ମାର୍କ ସର୍ବାଧିକ ୭୮% ରହିଛି। ଲାଇବ୍ରେରି ସାଇନ୍ସ, ଗୃହ ବିଜ୍ଞାନ ବିଷୟରେ ଶୈଳବାଳା କଲେଜ ଏବଂ ଫକୀର ମୋହନ ସ୍ବୟଂଶାସିତ ମହାବିଦ୍ୟାଳୟର ହିନ୍ଦୀ ବିଷୟରେ କଟ୍ଅଫ୍ ମାର୍କ ୮୦.୬୭% ରହିଛି।
ବିଜ୍ଞାନ ରେ ମଧ୍ୟ ବିଜେବି ଆଗରେ ରହିଛି। ପଦାର୍ଥ ବିଜ୍ଞାନରେ କଟ୍ଅଫ୍ ମାର୍କ ୯୬.୪୦% ରହିଥିବା ବେଳେ ଗଣିତରେ ୯୫.୮୦%, ପରିସଂଖ୍ୟାନରେ ୯୫.୪୦%, ରସାୟନ ବିଜ୍ଞାନରେ ୯୫.୧୭%, ପ୍ରାଣୀ ବିଜ୍ଞାନରେ ୯୬.୪୦%, ଉଦ୍ଭିଦ ବିଜ୍ଞାନରେ ୯୪.୬୦% ରହିଛି। ଭୂବିଜ୍ଞାନରେ କଟକସ୍ଥିତ ଷ୍ଟିୱାର୍ଟ ସାଇନ୍ସ କଲେଜର କଟ୍ଅଫ୍ ମାର୍କ ୯୦.୫୦% ରହିଛି।
କମ୍ପ୍ୟୁଟର ସାଇନ୍ସରେ ରମାଦେବୀ ମହିଳା ବିଶ୍ବବିଦ୍ୟାଳୟର କଟ୍ଅଫ୍ ମାର୍କ ୯୦% ରହିଥିବା ବେଳେ ଇଲେକ୍ଟ୍ରୋନିକ୍ସରେ ନୟାଗଡ଼ ସ୍ବୟଂଶାସିତ ମହାବିଦ୍ୟାଳୟରେ ୭୭%, ବାୟୋ ଟେକ୍ନୋଲୋଜିରେ ରମାଦେବୀ ମହିଳା ବିଶ୍ବବିଦ୍ୟାଳୟରେ ୯୨.୨୦%, ନୃତତ୍ତ୍ବ ବିଜ୍ଞାନରେ ଖଲ୍ଲିକୋଟ କଲେଜରେ ୭୨.୩୩% ହୋଇଛି। ବାଣିଜ୍ୟ ବିଭାଗରେ ବିଜେବି ସ୍ବୟଂଶାସିତ ମହାବିଦ୍ୟାଳୟର କଟ୍ଅଫ୍ ମାର୍କ ସର୍ବାଧିକ ୯୨% ହୋଇଥିବା ବେଳେ ସଂସ୍କୃତରେ ସର୍ବ ଦର୍ଶନ ବିଷୟରେ ଦେବଗଡ଼ ଜିଲ୍ଲା ରିଆମାଳସ୍ଥିତ ସ୍ବାମୀ ଶିବାନନ୍ଦ ସଂସ୍କୃତ କଲେଜର କଟ୍ ଅଫ୍ ମାର୍କ ସର୍ବାଧିକ ୭୬.୭୨% ରହିଛି। ସେଲ୍ଫ ଫାଇନାନ୍ସିଂ ବିଭାଗରେ ବାୟୋ ଟେକ୍ନୋଲୋଜି ବିଷୟରେ ବିଜେବି ସ୍ବୟଂଶାସିତ ମହାବିଦ୍ୟାଳୟର କଟ୍ ଅଫ୍ ମାର୍କ ସର୍ବାଧିକ ୯୪.୮୦% ରହିଛି।