ବିଧାନସଭାର ମୌସୁମୀ ଅଧିବେଶନ ଶେଷ : ବିରୋଧୀଙ୍କୁ ଭରସାକୁ ନନେଇ ଏକତରଫା ଗୃହ ଚଳାଇଲେ ଶାସକ ଦଳ

(ସତ୍ୟପାଠ ବ୍ୟୁରୋ) ଭୁବନେଶ୍ୱର : ବିଧାନସଭାର ମୌସୁମୀ ଅଧିବେଶନ ଗୁରୁବାର ଶେଷ ହୋଇଛି। ବୁଧବାର ପରି ଗୁରୁବାର ବି ଗୃହରେ ଦିନସାରା ଅଚଳାବସ୍ଥା ଜାରି ରହିଥିଲା। ତେବେ ଏହି ସ୍ୱଳ୍ପକାଳୀନ ଅଧିବେଶନରେ ଗୃହରେ ବହୁ ଗୁରୁତ୍ୱପୂର୍ଣ୍ଣ ବିଲ୍ ପାସ୍ ହୋଇଛି। ବିଶେଷ କରି ପୌର ଓ ପଂଚାୟତ ସଂଶୋଧନ ବିଲ୍ ସମେତ ମୋଟ ୧୩ଟି ବିଲ୍ ଗୃହୀତ ହୋଇଥିବାବେଳେ ଶେଷ ଦିନରେ ବିରୋଧୀଙ୍କ ଅନୁପସ୍ଥିତିରେ ଓବିସି ଗଣନା ଓ ୫୦ ପ୍ରତିଶତ ସଂରକ୍ଷଣ ସୀମାକୁ ଉଠାଇ ଦେବା ନିମନ୍ତେ ସଂକଳ୍ପ ମଧ୍ୟ ଗୃହୀତ ହୋଇଛି। ଏସବୁ ପ୍ରକ୍ରିୟାରେ ବିରୋଧୀ ଦଳଗୁଡ଼ିକୁ ଭରସାକୁ ନନେଇ ଶାସକ ଦଳ ଏକତରଫା ଭାବେ ଗୃହରେ ବିଲ୍ ଓ ସଂକଳ୍ପ ଗୃହୀତ କରିଛି। ଖଣି ଦୁର୍ନୀତି ଭଳି ଗୁରୁତ୍ୱପୂର୍ଣ୍ଣ ପ୍ରସଙ୍ଗରେ ଶେଷ ଦୁଇ ଦିନରେ ବିଧାନସଭା ହୁଲୁସ୍ତୁଲ ହୋଇଥିଲା। ବିରୋଧୀ ଦଳ ଏ ପ୍ରସଙ୍ଗରେ ଆଲୋଚନା ଚାହିଁଥିବାବେଳେ ଶାସକ ଦଳ ପୁରୁଣା ପ୍ରସଙ୍ଗ ସାର ଅଭାବ ଓ ପ୍ରଧାନମନ୍ତ୍ରୀ ଫସଲ ବୀମା ପ୍ରସଙ୍ଗ ଉଠାଇ ଗୃହରେ ଅଚଳାବସ୍ଥା ସୃଷ୍ଟି କରିବାକୁ ଚେଷ୍ଟା କରିଥିଲା।

ସେପ୍ଟେମ୍ବର ୧ରୁ ଆରମ୍ଭ ହୋଇଥିବା ୮ଦିନିଆ ମୌସୁମୀ ଅଧିବେଶନରେ ମାତ୍ର ୩ଟି ମୁଲତବୀ ପ୍ରସ୍ତାବ ଉପରେ ଆଲୋଚନା ସମ୍ଭବପର ହୋଇଥିବାବେଳେ ଅନ୍ୟ ପ୍ରାୟ ସମସ୍ତ କାର୍ଯ୍ୟ ଶାସକ ଦଳ ଏକତରଫା ଭାବେ କରାଇ ନେଇଛି। ଅଲମ୍ପିକ୍ସରେ ହକି ଟିମକୁ ମିଳିଥିବା ସଫଳତା ପାଇଁ ଗୃହରେ ସଂକଳ୍ପ ପ୍ରସ୍ତାବ ଓ ଓବିସି ଗଣନା ଓ ସଂରକ୍ଷଣ ସୀମାକୁ ବୃଦ୍ଧି ନିମନ୍ତେ ସଂକଳ୍ପ ପ୍ରସ୍ତାବ ଉପସ୍ଥାପିତ ହୋଇଥିଲା ।

ସେହିପରି ଗୁରୁତ୍ୱପୂର୍ଣ୍ଣ ପଂଚାୟତ ଓ ପୌର ନିର୍ବାଚନ ଆଇନରେ ସଂଶୋଧନ ସାଙ୍ଗକୁ ଆଉ ୧୧ଟି ବିଲ୍ ପାରିତ ହୋଇଛି। ତେବେ ସବୁଠୁ ଗୁରୁତ୍ୱପୂଣ୍ଣ କଥା ହେଉଛି, ଚଳିତ ମୌସୁମୀ ଅଧିବେଶନରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ କୌଣସି ଗୋଟିଏ ଦିନ ବି ଗୃହରେ ଅଧିବେଶନରେ ଉପସ୍ଥିତ ହୋଇନଥିଲେ। ଯଦିଓ ମୁଖ୍ୟମନ୍ତ୍ରୀ ଏହି ଅଧିବେଶନ କାଳରେ ଭୁବନେଶ୍ୱରରେ ସରକାରୀ ଉଦଘାଟନ କାର୍ଯ୍ୟକ୍ରମରେ ସାମିଲ ହୋଇଥିଲେ, କିନ୍ତୁ ବିଧାନସଭା କାର୍ଯ୍ୟକ୍ରମରେ ଭିଡିଓ କନଫରେନ୍ସ ମାଧ୍ୟମରେ ଉପସ୍ଥିତ ରହୁଥିଲେ। ବିରୋଧୀ ଦଳ ନେତା ପ୍ରଦୀପ୍ତ କୁମାର ନାଏକ ଚିକିତ୍ସାଧୀନ ଅବସ୍ଥାରେ ଭୁବନେଶ୍ୱରସ୍ଥିତ ଏମ୍ସ ହସ୍ପିଟାଲରୁ ଭର୍ଚୁଆଲ ମୋଡରେ ଗୃହ କାର୍ଯ୍ୟରେ ଯୋଗ ଦେଇଥିଲେ।

ତେବେ ଚଳିତ ମୌସୁମୀ ଅଧିବେଶନରେ ମରୁଡ଼ି ଓ ଚାଷୀ ସମସ୍ୟା, ବିପର୍ଯ୍ୟସ୍ତ ଆଇନଶୃଙ୍ଖଳା ପରିସ୍ଥିତି, ମାହାଙ୍ଗା ଡବଲ ମର୍ଡର ଘଟଣାରେ ମନ୍ତ୍ରୀଙ୍କ ସମ୍ପୃକ୍ତି, ପଶ୍ଚିମ ଓଡ଼ିଶା ବିକାଶ ପରିଷଦର ସ୍ଥାଣୁତା, ଷ୍ଟାଫ ସିଲେକ୍ସନ ଦୁର୍ନୀତି, ଖଣି ଦୁର୍ନୀତି ଭଳି ପ୍ରସଙ୍ଗ ଉଠିଥିଲା। ତେବେ ମରୁଡ଼ି ପରିସ୍ଥିତି ଉପରେ ଗୃହରେ ୨ଥର ଆଲୋଚନା ହୋଇଥିବାବେଳେ ଆଇନଶୃଙ୍ଖଳା ପରିସ୍ଥିତି ପ୍ରସଙ୍ଗରେ ଗୋଟିଏଥର ଆଲୋଚନା ହୋଇପାରିଥିଲା। ଗତ ୧ ତାରିଖରୁ ଆରମ୍ଭ ହୋଇଥିବା ବିଧାନସଭାର ଏହି ଅଧିବେଶନ ମୋଟ୍‌ ୮ ଦିନ ଚାଲିଥିଲା। ଏଥିରେ ୭୧୮ଟି ତାରକା ଓ ୧୨୬୭ଟି ଅଣତାରକା ପ୍ରଶ୍ନ ତାଲିକାଭୁକ୍ତ ହୋଇଥିଲା। ୩ଟି ମୁଲତବୀ ପ୍ରସ୍ତାବ ଉପରେ ଆଲୋଚନା ହୋଇଥିଲା ଓ ୬୧ଟି କାଗଜ ଉପସ୍ଥାପନ ହୋଇଥିଲା ଏବଂ ୧୩ଟି ବିଲ୍‌ ପାରିତ ହୋଇଥିଲା।

Related Posts