(ସତ୍ୟପାଠ ବ୍ୟୁରୋ) ଭୁବନେଶ୍ୱର : ପୌର ନିର୍ବାଚନ ପାଇଁ ବାଟ ଫିଟିଲା। ମଙ୍ଗଳବାର ବିଧାନସଭାରେ ପାରିତ ହୋଇଛି ମ୍ୟୁନିସପାଲିଟି ଆଇନ ସଂଶୋଧନ ବିଲ୍ । ବିଲ୍ ପାରିତ ପରେ ରାଜ୍ୟରେ ପୌର ନିର୍ବାଚନ ନେଇ ବାଟ ଫିଟିଛି। ବିଲ୍ ଅନୁଯାୟୀ ସଂରକ୍ଷଣ ସୀମା ୫୦ ପ୍ରତିଶତ ମଧ୍ୟରେ ରହିବ। ବିଧାନସଭାରେ ଓଡ଼ିଶା ପୌର ଆଇନ,୧୯୫୦ ଓ ଓଡ଼ିଶା ପୌର ନିଗମ ଆଇନ,୨୦୦୩ରେ ସଂଶୋଧନ ବିଲ୍ ଆଜି ପାରିତ ହୋଇଛି। ତେଣୁ ଅନ୍ୟାନ୍ୟ ପଛୁଆ ବର୍ଗ(ଓବିସି)ଙ୍କ ପାଇଁ ସଂରକ୍ଷିତ ସିଟ୍ କମିବା ସ୍ପଷ୍ଟ ହୋଇଛି। ଶେଷରେ ଦୁଇ ବର୍ଷରୁ ଅଧିକ ସମୟ ଧରି ସଂରକ୍ଷଣ ପ୍ରସଙ୍ଗକୁ ନେଇ ଚାଲିଥିବା ଚର୍ଚ୍ଚାର ପୂର୍ଣ୍ଣଛେଦ ପଡ଼ିଛି।
ତେବେ ବିଧାନସଭାରେ ବିଲ୍ ପାରିତ ହୋଇଥିବାବେଳେ ତରବରିଆ ଭାବେ ବିଲ୍ ପାରିତ କରାଯାଉଥିବାରୁ ବିରୋଧୀ ଏହାକୁ ସମାଲୋଚନା କରିଛନ୍ତି। ଏହା ବ୍ୟତୀତ ଏହି ବିଲ୍ ରେ ଥିବା ଦ୍ବନ୍ଦ୍ବ ନେଇ ସ୍ପଷ୍ଟୀକରଣ ମାଗିଥିଲେ ବିରୋଧୀ । କିନ୍ତୁ ଏ ସମ୍ପର୍କରେ ବିଭାଗୀୟ ମନ୍ତ୍ରୀ କିଛି କହି ନ ଥିଲେ।
ଗତ ପୌର ନିର୍ବାଚନରେ ଅନୁସୂଚିତ ଜାତି ପାଇଁ ୧୭.୧, ଅନୁସୂଚିତ ଜନଜାତି ପାଇଁ ୨୨.୮ ଓ ଓବିସି ପାଇଁ ୩୭% ଆସନ ସଂରକ୍ଷିତ ରହିଥିଲା। କିନ୍ତୁ ପରେ ମାମଲା ହାଇକୋର୍ଟରେ ପହଞ୍ଚି ଥିଲା। ହାଇକୋର୍ଟ ଏ ସଂକ୍ରାନ୍ତୀୟ ଏକ ମାମଲାର ବିଚାର କରି ସଂରକ୍ଷଣ ସୀମାକୁ ୫୦% ଭିତରେ ରଖିବାକୁ ନିର୍ଦ୍ଦେଶ ଦେଇଥିଲେ। ହାଇକୋର୍ଟଙ୍କ ରାୟକୁ ସୁପ୍ରିମକୋର୍ଟ ମଧ୍ୟ କାଏମ୍ ରଖିଥିଲେ। ତେଣୁ କୋର୍ଟଙ୍କ ନିର୍ଦ୍ଦେଶକୁ କାର୍ଯ୍ୟକାରୀ କରିବା ପାଇଁ ଆଇନରେ ସଂଶୋଧନ ଆବଶ୍ୟକ ଥିଲା। ଏହି ସଂଶୋଧିତ ବିଲ୍ ଅନୁଯାୟୀ SC, ST ଓ ପଛୁଆ ବର୍ଗଙ୍କ ପାଇଁ ସଂରକ୍ଷଣ ୫୦% ମଧ୍ୟରେ ରହିବ। ସଂରକ୍ଷଣ ବ୍ୟବସ୍ଥା ୫୦ ପ୍ରତିଶତ ଅତିକ୍ରମ କରିବ ନାହିଁ। ପଛୁଆ ବର୍ଗଙ୍କ ପାଇଁ ୨୭% ଭିତରେ ସଂରକ୍ଷଣ ବ୍ୟବସ୍ଥା ରହିବ। ତେଣୁ ଓବିସି ବର୍ଗ ପାଇଁ ସଂରକ୍ଷଣ ସୀମା ୧୦ ପ୍ରତିଶତ ରହିବ ବୋଲି ସ୍ପଷ୍ଟ ହୋଇଛି। କିନ୍ତୁ ବିଲ୍ରେ ଏହାର ଉଲ୍ଲେଖ କରାଯାଇ ନାହିଁ। ଓବିସି ବର୍ଗ ପାଇଁ ସଂରକ୍ଷଣ ୨୭% ପର୍ଯ୍ୟନ୍ତ ରହିବ ବୋଲି କୁହାଯାଇଛି।
ସୂଚନାଯୋଗ୍ୟ ଯେ, ଦୀର୍ଘ ୩ ବର୍ଷ ହେଲାଣି, ପୌର ସଂସ୍ଥାଗୁଡ଼ିକର କାର୍ଯ୍ୟକାଳ ସରିଲାଣି। ୩ ବର୍ଷ ତଳୁ ନିର୍ବାଚନ ହେବା କଥା କିନ୍ତୁ ସଂରକ୍ଷଣ ସୀମାକୁ ନେଇ ନିର୍ବାଚନ କରାଉନଥିବା କହି ଆସୁଥିଲେ ସରକାର। ଏଥିପାଇଁ ସୁପ୍ରିମକୋର୍ଟଙ୍କ ରାୟକୁ ଆଳ କରୁଥିଲେ।ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶ ଅନୁସାରେ କୌଣସି ବ୍ୟବସ୍ଥାରେ ସଂରକ୍ଷଣ ୫୦ ପ୍ରତିଶତରୁ ଅଧିକ ହେବ ନାହିଁ। ଏବେ ରାଜ୍ୟ ସରକାର ମ୍ୟୁନ୍ସିପାଲ ଆଇନ ସଂଶୋଧନ କରିବା ପରେ ନିର୍ବାଚନର ବାଟ ଫିଟିଛି, କିନ୍ତୁ ବିରୋଧୀଙ୍କ ପ୍ରଶ୍ନ ହେଲା, ସରକାର ତ ଆଗରୁ ହିଁ ଆଇନରେ ସଂଶୋଧନ କରି ନିର୍ବାଚନ କରାଇ ପାରିଥାନ୍ତେ। ଏତେ ଦିନ ଧରି ତାହା କାହିଁକି କରୁନଥିଲେ ବୋଲି ସେମାନେ ପ୍ରଶ୍ନ କରିଛନ୍ତି।
କଂଗ୍ରେସ ବିଧାୟକ ଦଳ ନେତା ନରସିଂହ ମିଶ୍ର ଏ ସମ୍ପର୍କରେ ସ୍ପଷ୍ଟୀକରଣ ମାଗିଥିଲେ ମଧ୍ୟ ମନ୍ତ୍ରୀ କୌଣସି ଉତ୍ତର ଦେଇ ନ ଥିଲେ। ବିଲ୍ ଆଲୋଚନା ବେଳେ କଂଗ୍ରେସ ବିଧାୟକ ଦଳ ନେତା ନରସିଂହ ମିଶ୍ର କହିଛନ୍ତି , ସୁପ୍ରିମକୋର୍ଟ ଓ ହାଇକୋର୍ଟଙ୍କ ନିର୍ଦ୍ଦେଶ ମୁତାବକ ସଂଶୋଧନର ଆବଶ୍ୟକତା ରହିଛି। କିନ୍ତୁ ପୌର ନିର୍ବାଚନ ଠିକ୍ ସମୟରେ କରାଯାଇ ନାହିଁ।
ବିରୋଧୀ ଦଳ ମୁଖ୍ୟ ସଚେତକ ମୋହନ ମାଝୀ ମଧ୍ୟ ତରବରିଆ ଭାବେ ବିଲ୍ ପାସ୍ କରା ନ ଯାଉ ଏବଂ ଅଧିକ ଅନୁଧ୍ୟାନ ପାଇଁ ସମୟ ଦେବାକୁ କହିଥିଲେ। ସେହିପରି ବିଜେପି ବିଧାୟକ ମୁକେଶ ମହାଲିଙ୍ଗ ପ୍ରଶ୍ନ କରିଥିଲେ ଯେ ଗୋଟିଏ ପଟେ ୫୦% ଭିତରେ ସଂରକ୍ଷଣ ସୀମିତ ରଖିବାକୁ କୁହାଯାଇଥିଲା ବେଳେ ଅନ୍ୟ ପଟେ ୨୭% ଯାଏ ଓବିସି ସଂରକ୍ଷଣ ରଖିବାକୁ କିପରି କୁହାଯାଇଛି ?