ଖଣିଜ ରାଜସ୍ୱ ଆୟ ଧାର୍ଯ୍ୟ ଲକ୍ଷ୍ୟଠାରୁ ଢେର ଅଧିକ

(ସତ୍ୟପାଠ ବ୍ୟୁରୋ) ଭୁବନେଶ୍ୱର : ରାଜ୍ୟରେ ଖଣିଜ ରାଜସ୍ୱ ଆୟ ଧାର୍ଯ୍ୟ ଲକ୍ଷ୍ୟଠାରୁ ଢେର ଅଧିକ । କରୋନା ମହାମାରୀ ଯୋଗୁଁ ଅର୍ଥ ବ୍ୟବସ୍ଥା ବିପର୍ଯ୍ୟସ୍ତ ହୋଇପଡୁଥିବାବେଳେ ଖଣିଜ ରାଜସ୍ୱ କିନ୍ତୁ ସରକାରଙ୍କ ରାଜକୋଷକୁ ଲକ୍ଷ ଠାରୁ ଅଧିକ ରାଜସ୍ବ ପ୍ରଦାନ କରୁଛି।

ଚଳିତ ବର୍ଷର ବଜେଟ୍‍ରେ ଖଣିଜ ରାଜସ୍ୱ ବାବଦରେ ୧୩,୭୦୦ କୋଟି ଟଙ୍କା ସଂଗ୍ରହ ଲାଗି ଲକ୍ଷ୍ୟଧାର୍ଯ୍ୟ କରାଯାଇଥିବା ବେଳେ ଅଗଷ୍ଟ ଶେଷସୁଦ୍ଧା ୧୫,୮୫୯ କୋଟି ଟଙ୍କାରୁ ଅଧିକ ରାଜସ୍ବ ଆଦାୟ ହୋଇଛି । ପ୍ରଥମ ପାଞ୍ଚମାସରେ ଖଣିଜ ରାଜସ୍ୱ ସଂଗ୍ରହ ଧାର୍ଯ୍ୟ ଲକ୍ଷ୍ୟ ଟପିଯାଇଥିବାବେଳେ ବର୍ଷ ଶେଷ ବେଳକୁ ଏହାର ପରିମାଣ ବହୁତ ଅଧିକ ହୋଇପାରେ ବୋଲି ଆଶା କରାଯାଉଛି ।

୨୦୧୯ର ଏପ୍ରିଲ୍‍ରୁ ଅଗଷ୍ଟ ମଧ୍ୟରେ ଓଡିଶାରେ ଖଣିଜ ରାଜସ୍ୱ ପରିମାଣ ୪୪୭୩କୋଟି ଟଙ୍କାରେ ସୀମିତ ଥିବାବେଳେ ୨୦୨୦-୨୧ ବର୍ଷର ଏହି ସମୟ ସୁଦ୍ଧା ୫୦୯୪ କୋଟି ଟଙ୍କା ଆଦାୟ ହୋଇଥିଲା । ସବୁଠାରୁ ବଡ଼ କଥା ହେଉଛି କରୋନାର ଦ୍ବିତୀୟ ଲହରରେ ସବୁ କିଛି ଠପ୍ ପଡିଥିବା ବେଳେ ୨୦୨୧-୨୨ ଆର୍ଥିକ ବର୍ଷର ପ୍ରଥମ ୫ମାସରେ ଓଡିଶା ୧୫,୮୫୯ କୋଟି ଟଙ୍କାର ଖଣିଜ ରାଜସ୍ୱ ସଂଗ୍ରହ କରିପାରିଛି। ୨୦୧୯-୨୦ ଆର୍ଥିକ ବର୍ଷର ପ୍ରଥମ ୫ମାସରେ ଯେତେ ଖଣିଜ ରାଜସ୍ୱ ସଂଗୃହୀତ ହୋଇଥିଲା ଚଳିତ ଆର୍ଥିକ ବର୍ଷର ସେହି ସମୟ ମଧ୍ୟରେ ଏଥିରେ ୨୫୫ ପ୍ରତିଶତ ଅଭିବୃଦ୍ଧି ଘଟିଛି ।

ତେବେ ଏଠାରେ ସୂଚନାଯୋଗ୍ୟ ଯେ, ୨୦୧୯-୨୦ ବର୍ଷରେ ମୋଟ ଖଣିଜ ରାଜସ୍ୱ ସଂଗ୍ରହ ପରିମାଣ ୧୧ହଜାର କୋଟି ଟଙ୍କା ଥିବାବେଳେ ୨୦୨୦-୨୧ ବର୍ଷରେ ଏ ବାବଦରେ ରାଜ୍ୟ ସରକାର ୧୩,୭୯୦ କୋଟି ଟଙ୍କା ସଂଗ୍ରହ କରିଥିଲେ । କେବଳ ଚଳିତ ଆର୍ଥିକ ବର୍ଷର ଅଗଷ୍ଟ ମାସରେ ଖଣିଜ କ୍ଷେତ୍ରରୁ ୩୦୦୪ କୋଟି ଟଙ୍କା ରାଜସ୍ୱ ଆଦାୟ ହୋଇଥିବା ଜଣାପଡିଛି । କରୋନା ମହାମାରୀ ଯୋଗୁଁ ପାଖାପାଖି ଦୁଇ ବର୍ଷ ହେବ ଲୋକଙ୍କ ଆର୍ଥିକ ସ୍ଥିତି ବିଶେଷ ଭାବେ କ୍ଷତିଗ୍ରସ୍ତ ହୋଇଥିବାବେଳେ ତାହାର ପ୍ରଭାବ ବିଭିନ୍ନ କ୍ଷେତ୍ରରୁ ସଂଗ୍ରହ ହେବାକୁ ଥିବା ରାଜସ୍ୱ ଉପରେ ପଡୁଛି । ଏଥିଯୋଗୁଁ ଉଭୟ କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ଜିଡିପି ମଧ୍ୟ ବହୁ ଭାବରେ ପ୍ରଭାବିତ ହେଉଛି ।

Related Posts