(ସତ୍ୟପାଠ ବ୍ୟୁରୋ) ଭୁବନେଶ୍ୱର : ରାଜ୍ୟର ଟିକାକରଣ ସ୍ଥିତି ସମ୍ପର୍କରେ ସୂଚନା ଦେଇଛନ୍ତି ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ନିର୍ଦ୍ଦେଶକ ଡାକ୍ତର ବିଜୟ ପାଣିଗ୍ରାହୀ । ବର୍ତ୍ତମାନ ସୁଦ୍ଧା ରାଜ୍ୟରେ ୨ କୋଟି ୩୬ ଲକ୍ଷ ଡୋଜ ଟୀକା ଦିଆସରିଛି। ତେବେ ପ୍ରଥମ ଡୋଜ ଟିକା ନେଇଛନ୍ତି ୧ କୋଟି ୭୮ ଲକ୍ଷ ଏବଂ ୫୮ ଲକ୍ଷ ଲୋକ ଦ୍ଵିତୀୟ ଡୋଜ ନେଇଛନ୍ତି। ବର୍ତ୍ତମାନ ସୁଦ୍ଧା ୫୭ ପ୍ରତିଶତ ଟିକାକରଣ ଶେଷ ହୋଇଛି। ବାକି ଥିବା ଡୋଜର ୭୦ ପ୍ରତିଶତ ସରିଛି ବୋଲି ପରିବାର କଲ୍ୟାଣ ନିର୍ଦ୍ଦେଶକ ଡ ବିଜୟ ପାଣିଗ୍ରାହୀ ସୂଚନା ଦେଇଛନ୍ତି। ବର୍ତ୍ତମାନ ସୁଦ୍ଧା ୧ ଲକ୍ଷ୧୪ ହଜାର ଗର୍ଭବତୀଙ୍କୁ କରୋନା ଟୀକା ଦିଆ ଯାଇଛି। ଏବଂ ସେମାନଙ୍କ ଠାରେ କିଛି ପାର୍ଶ୍ଵ ପ୍ରତିକ୍ରିୟା ଦେଖାଯାଇ ନଥିବା ଜଣାପଡିଛି।
ଏବେ ରାଜ୍ୟରେ ୩୩ ଲକ୍ଷ ଟିକା ମହଜୁଦ ରହିଛି। ମହଜୁଦ୍ ଥିବା ଟୀକା ମଧ୍ୟରୁ ୩୧ ଲକ୍ଷ ୫୯ ହଜାର ୨୬୦ କୋଭିଶିଲ୍ଡ ଓ ୨ ଲକ୍ଷ ୬୫ ହଜାର ୫୨୦ କୋଭାକ୍ସିନ ଟିକା ଅଛି। ସେ ଆହୁରି ମଧ୍ୟ କହିଛନ୍ତି ଯେ, ” କେନ୍ଦ୍ର ସରକାର ଚିଠି ଦେଇଥିଲେ ‘ହୁ’ର ଦକ୍ଷିଣ ପୂର୍ବ ଓ ଆଫ୍ରିକା ଦେଶରେ ନକଲି କୋଭିସିଲ୍ଡ ରହିଛି। ତେଣୁ ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ ପକ୍ଷରୁ ସବୁ ଦେଶକୁ ସତର୍କ କରାଯାଇଥିଲା। ତେବେ ଓଡ଼ିଶାରେ ବର୍ତ୍ତମାନ ସୁଦ୍ଧା ନକଲି ଟିକା ଦୃଷ୍ଟିକୁ ଆସି ନଥିବା ଡକ୍ଟର ପାଣିଗ୍ରାହୀ ସୂଚନା ଦେଇଛନ୍ତି।
ସେ କହିଛନ୍ତି, ଲୋକଙ୍କ ଭିତରେ ଟିକା ନେବାର ଆଗ୍ରହ ରହିଛି । ତେବେ ଟିକାକରଣ କେନ୍ଦ୍ରରେ ଗହଳି ନ କରି ଠିକ ସମୟରେ ଆସନ୍ତୁ ବୋଲି ସେ ଅପିଲ କରିଛନ୍ତି । କିଛି କିଛି ସ୍ଥାନରେ ରାତି ତମାମ ଅପେକ୍ଷା କରୁଥିବାର ଖବର ପ୍ରକାଶ ପାଉଥିବା ବେଳେ ପରିବାର କଲ୍ୟାଣ ନିର୍ଦ୍ଦେଶକ କହିଛନ୍ତି ଯେ ଏମିତି କିଛି କରିବାର ଆବଶ୍ୟକତା ନାହିଁ। କିଛି ସ୍ଥାନରେ ଗହଳି ନିୟନ୍ତ୍ରଣ କରିବାକୁ ଟୋକନ ବ୍ୟବସ୍ଥା ହୋଇଛି, ହେଲେ ସେଠାରେ ବି ଗହଳି ଦେଖିବାକୁ ମିଳୁଛି। ତେବେ ରାଜଧାନୀ ଭୁବନେଶ୍ୱରରେ ଟୀକାକରଣର ସ୍ଥିତି ସମ୍ପର୍କରେ ସୂଚନା ଦେଇ ସେ କହିଛନ୍ତି ଯେ, ଭୁବନେଶ୍ବରରେ ୧୭ ଲକ୍ଷ ଡୋଜ ଟାର୍ଗେଟ ଥିଲା। ବାହାର ଲୋକ ଏଠାରେ ଆସିବାରୁ ୨୨ ଲକ୍ଷ ଟିକାକରଣ ହୋଇଛି। ତେବେ ଭୁବନେଶ୍ୱରର ଟିକାକରଣ ଟାର୍ଗେଟ ହାସଲ କରିସାରିଛି।
ସେହିପରି ରାଜ୍ୟର କୋଭିଡ୍ ସ୍ଥିତି ସମ୍ପର୍କରେ ସୂଚନା ଦେଇ ଡିଏମଇଟି ଡାକ୍ତର ସିବିକେ ମହାନ୍ତି କହିଛନ୍ତି, କିଛି ଜିଲ୍ଲାରେ ଯେଉଁ କରୋନା ସଂକ୍ରମଣ ସଂଖ୍ୟା ବଢୁଛି ଓ କମୁଛି, ତାହା ସାରା ବିଶ୍ୱରେ ହେଉଛି। ତେଣୁ ସବୁ ସ୍ଥିର ଅଛି। ତେବେ ସଂକ୍ରମଣ ସାମାନ୍ୟ ବଢୁଥିବା କାରଣରୁ ଗୋଟିଏ ରେଡ ଜୋନ ହେଲା।