(ସତ୍ୟପାଠ ବ୍ୟୁରୋ) ଭୁବନେଶ୍ୱର : ରାଜ୍ୟରେ ମୁଣ୍ଡପିଛା ଋଣ ପୂର୍ବତୁଳନାରେ ବଢିଛି ନା କମିଛି ? ପୂର୍ବରୁ ମୁଣ୍ଡପିଛା ଋଣ କେତେ ଥିଲା, ଏବେ କେତେରେ ପହଞ୍ଚିଛି ? ଓଡିଶାର ଋଣଭାର ବର୍ତ୍ତମାନ କେତେରେ ପହଞ୍ଚିଛି ? ପ୍ରତି ମୁଣ୍ଡପିଛା ଋଣଭାର କେତେ ? ଆଜି ବିଧାନସଭାର ମୌସୁମୀ ଅଧିବେଶନର ପଞ୍ଚମ ଦିନରେ ଗୃହରେ ସୂଚନା ଦେଇଛନ୍ତି ଅର୍ଥମନ୍ତ୍ରୀ ନିରଞ୍ଜନ ପୂଜାରୀ ।
ଖଣ୍ଡପଡ଼ା ବିଧାୟକ ସୌମ୍ୟ ରଂଜନ ପଟ୍ଟନାୟକ ଅର୍ଥମନ୍ତ୍ରୀଙ୍କୁ ପ୍ରଶ୍ନ ପଚାରିଥିଲେ ଯେ, ଚଳିତ ଆର୍ଥିକ ବର୍ଷ ଶେଷସୁଦ୍ଧା ରାଜ୍ୟର ଋଣଭାର କେତେ ଟଙ୍କାରେ ପହଞ୍ଚିବ ? ଏବଂ ଗତ ୧୦ ବର୍ଷ ମଧ୍ୟରେ ମୁଣ୍ଡପିଛା ଋଣ ଭାର କେତେ ଟଙ୍କା ବୃଦ୍ଧି ପାଇଛି ? ଆଜି ବିଧାନସଭାରେ ବିଧାୟକ ସୌମରଞ୍ଜନ ପଟ୍ଟନାୟକଙ୍କ ଏହି ପ୍ରଶ୍ନର ଲିଖିତ ଉତ୍ତର ରଖିଛନ୍ତି ଅର୍ଥମନ୍ତ୍ରୀ ନିରଞ୍ଜନ ପୂଜାରୀ ।
ଅର୍ଥମନ୍ତ୍ରୀ ତାଙ୍କ ଲିଖିତ ଉତ୍ତରରେ କହିଛନ୍ତି ଯେ , ଚଳିତ ବର୍ଷ ଶେଷ ସୁଦ୍ଧା ରାଜ୍ୟର ମୋଟ ଋଣର ପରିମାଣ ୧ଲକ୍ଷ ୨୨ହଜାର ୯୧୭ କୋଟି ଟଙ୍କା ହୋଇଯିବ। ୨୦୧୧ -୧୨ ଆର୍ଥିକ ବର୍ଷରେ ମୁଣ୍ଡପିଛା ଋଣଭାର ୯୧୪୪.୪୦ ଟଙ୍କା ଥିବା ବେଳେ ୨୦୨୧-୨୨ ଆର୍ଥିକ ବର୍ଷରେ ୨୩୭୬୧.୮୩ ଟଙ୍କାରେ ପହଞ୍ଚିଛି । ଏହାର ଅର୍ଥ ଗତ ୧୦ ବର୍ଷ ମଧ୍ୟରେ ରାଜ୍ୟରେ ମୁଣ୍ଡପିଛା ଋଣ ଭାର ଦୁଇଗୁଣାରୁ ଅଧିକ ହୋଇଛି । ଏଜିଙ୍କ ତଥ୍ୟ ଅନୁଯାୟୀ ଜୁଲାଇ ଶେଷ ସୁଦ୍ଧା ଋଣ ଭାର ୧୦୪୩୧୨.୧୨ କୋଟି ଟଙ୍କାରେ ପହଞ୍ଚିଛି, ଯାହାକି ରାଜ୍ୟ ସକଳ ଘରୋଇ ଉତ୍ପାଦ ( ଜିଡିପି) ର ୧୭.୮୦ ପ୍ରତିଶତ ।