ଆଇନଶୃଙ୍ଖଳାକୁ ନେଇ ବିଧାନସଭାରେ ସରଗରମ ଆଲୋଚନା : ନୂଆ ଥାନା ନଖୋଲିବାରୁ ଗର୍ଜିଲେ ବିରୋଧୀ, ଗୃହସଚିବ ଓ ପୁଲିସ ଡିଜିଙ୍କୁ ଡାକି ଆଲୋଚନା ପାଇଁ ବାଚସ୍ପତିଙ୍କ ନିର୍ଦ୍ଦେଶ

(ସତ୍ୟପାଠ ବ୍ୟୁରୋ) ଭୁବନେଶ୍ୱର : ବିଧାନସଭାର ମୌସୁମୀ ଅଧିବେଶନର ଆଜି ହେଉଛି ୫ମ ଦିନ। ପଞ୍ଚମ ଦିନରେ ଗୃହକାର୍ଯ୍ୟ ସ୍ୱାଭାବିକ ରହିଛି । ପ୍ରଶ୍ନକାଳରେ ରାଜ୍ୟର ଆଇନ ଶୃଙ୍ଖଳା ପରିସ୍ଥିତିକୁ ନେଇ ସରଗରମ ଆଲୋଚନା ଚାଲିଛି । ରାଜ୍ୟରେ ନୂଆ ଥାନା ଓ  ଫାଣ୍ଡି ଖୋଲିବା ନେଇ ବିଧାନସଭାରେ ଉଦବେଗ ପ୍ରକାଶ ପାଇଛି। ପ୍ରଶ୍ନ କାଳରେ ୬୦ ଜଣ ବିଧାୟକ ପ୍ରସ୍ତାବ ଦେଇଛନ୍ତି ଯେ, ରାଜ୍ୟରେ ୬୮ଟି ନୂଆ ଥାନା, ୧୦୩ଟି ଫାଣ୍ଡି ପ୍ରତିଷ୍ଠା ସହ ୩ଟି ଥାନାର ନବୀକରଣ କରିବାର ଆବଶ୍ୟକତା ରହିଛି । ବିଧାୟକଙ୍କ ପ୍ରସ୍ତାବ ଆଧାରରେ ବାଚସ୍ପତି ରୁଲିଂ ଦେଇଥିଲେ ସୁଦ୍ଧା  ଏହା କାର୍ଯ୍ୟକାରୀ ହେଉ ନଥିବାରୁ କଂଗ୍ରେସ ବିଧାୟକ ଦଳ ନେତା ନରସିଂହ ମିଶ୍ର ଉଦବେଗ ପ୍ରକାଶ କରିଛନ୍ତି। 

ସେହିପରି ନୟାଗଡ଼ ରଣପୁରର ବିଧାୟକ ସତ୍ୟନାରାୟଣ ପ୍ରଧାନ ମଧ୍ୟ ଆଇନଶୃଙ୍ଖଳା ପରିସ୍ଥିତିକୁ ନେଇ ଉଦବେଗ ପ୍ରକାଶ କରିଛନ୍ତି। ସେ କହିଛନ୍ତି ରାଜ୍ୟରେ ଥାନା ଓ ଫାଣ୍ଡିର ଅଭାବ ରହିଛି , ଯେଉଁ କାରଣରୁ ଅସାମାଜିକ କାର୍ଯ୍ୟକଳାପ ବୃଦ୍ଧି ପାଉଛି। ରାଜ୍ୟରେ ବିଭିନ୍ନ ଅଂଚଳରେ ଫାଣ୍ଡି ପ୍ରତିଷ୍ଠା ନେଇ ବିଳମ୍ବ ହେଉଥିବାରୁ କଂଗ୍ରେସ ବିଧାୟକ ସନ୍ତୋଷ ସିଂ ସାଲୁଜା ମଧ୍ୟ ସରକାରଙ୍କୁ ସମାଲୋଚନା କରିଛନ୍ତି । 

ରାଜ୍ୟରେ ଥାନା ଓ ଫାଣ୍ଡି ଖୋଲିବା ନେଇ ଗୃହରେ ୪୦ ବିଧାୟକଙ୍କ ଉଦବେଗକୁ ଦେଖି ବାଚସ୍ପତି ରୁଲିଂ ଦେଇଛନ୍ତି। ପୋଲିସ ଡ଼ିଜି, ଡିଆଇଜି କ୍ରାଇମବ୍ରାଞ୍ଚ ଓ ଗୃହ ସଚିବଙ୍କୁ ଡାକି ଆଲୋଚନା କରିବା ପାଇଁ ନିର୍ଦ୍ଦେଶ ଦେଇଛନ୍ତି । ଆଜି  ପ୍ରଶ୍ନକାଳ ଶେଷ ହେବା ପରେ ବୈଠକ ଡାକି ଆଲୋଚନା କରି ଗୃହରେ ବିବୃତି ରଖିବାକୁ ବାଚସ୍ପତି ନିର୍ଦ୍ଦେଶ ଦେଇଛନ୍ତି। 

Related Posts