୨୦୨୧-୨୨ ଆର୍ଥିକ ବର୍ଷର ପ୍ରଥମ ୫ମାସରେ ୩୧ହଜାର କୋଟି ରାଜସ୍ୱ ଆଦାୟ

(ସତ୍ୟପାଠ ବ୍ୟୁରୋ) ଭୁବନେଶ୍ୱର : ଚଳିତ ଆର୍ଥିକ ବର୍ଷରେ ରାଜସ୍ବ ଆଦାୟ ବୃଦ୍ଧି ପାଇଛି। ପ୍ରଥମ ୫ମାସରେ ରାଜ୍ୟର ମୋଟ ରାଜସ୍ୱ ଆଦାୟ ପରିମାଣ ୩୧ହଜାର କୋଟି ଟଙ୍କା ପାର କରିଥିବା ଜଣାପଡିଛି । ଗତବର୍ଷର ଏହି ସମୟ ତୁଳନାରେ ଚଳିତ ଆର୍ଥିକ ବର୍ଷର ରାଜସ୍ୱ ଆଦାୟ ପ୍ରାୟ ୭୨ ପ୍ରତିଶତ ଅଧିକ । ଚଳିତ ବର୍ଷ ଅଗଷ୍ଟ ୩୧ ସୁଦ୍ଧା ୩୧,୧୫୯.୬୪ କୋଟି ଟଙ୍କାର ନିଜସ୍ୱ ରାଜସ୍ୱ ଆଦାୟ ହୋଇଛି ।

ତେବେ ଯଦି ପୂର୍ବ ଆର୍ଥିକ ବର୍ଷ ୨୦୨୦ ଅଗଷ୍ଟ ୩୧ ସୁଦ୍ଧା ରାଜ୍ୟରେ ଟିକସ ବାବଦରେ ୧୮,୧୪୯.୩୮କୋଟି ଟଙ୍କା ଆଦାୟ ହୋଇଥିବାବେଳେ ୨୦୧୯ ଅଗଷ୍ଟ ୩୧ସୁଦ୍ଧା ଏହା ୧୮,୦୮୬.୬୨ କୋଟି ଟଙ୍କା ଥିଲା ।ତେବେ ୨୦୨୦-୨୧ ବର୍ଷରେ ରାଜସ୍ୱ ବାବଦରେ ମୋଟ୍‍ ୫୬,୨୪୧.୫୧ କୋଟି ଟଙ୍କା ଆଦାୟ ହୋଇଥିବାବେଳେ ୨୦୨୧-୨୨ ଆର୍ଥିକ ବର୍ଷରେ ଏଥିପାଇଁ ୫୭,୫୦୦ କୋଟି ଟଙ୍କାର ଲକ୍ଷ୍ୟ ଧାର୍ଯ୍ୟ ହୋଇଛି ।

ତେବେ ୨୦୨୧-୨୨ ଆର୍ଥିକ ବର୍ଷର ପ୍ରଥମ ୫ମାସରେ ଆଦାୟ ହୋଇଥିବା ରାଜସ୍ୱ ଧାର୍ଯ୍ୟ ଲକ୍ଷ୍ୟଠାରୁ ଅଧିକ । ଆଦାୟ ହୋଇଥିବା ନିଜସ୍ୱ ଟିକସ ଅର୍ଥ ଭାଟ୍‍, ଜିଏସ୍‍ଟି, ରାଜ୍ୟ ଅବକାରୀ ଏବଂ ବିଦ୍ୟୁତ୍‍ ଡ୍ୟୁଟିରୁ ଅଧିକ ଭାବେ ଆସିଛି । ୨୦୨୦ ମସିହାର ଅଗଷ୍ଟ ୩୧ ସୁଦ୍ଧା ନିଜସ୍ୱ ଟିକସ ବାବଦରେ ୧୦,୮୬୪ କୋଟି ଟଙ୍କା ଆଦାୟ ହୋଇଥିଲା। କିନ୍ତୁ ଚଳିତବର୍ଷ ଅଗଷ୍ଟ ୩୧ ସୁଦ୍ଧା ଏହି ପରିମାଣ ୧୪,୩୭୭.୯୭ କୋଟି ଟଙ୍କା ରହିଛି ।

ବାଣିଜ୍ୟ କର ଯାହାକି ଭାଟ୍‍, ରାଜ୍ୟ ଜିଏସ୍‍ଟି ଏବଂ ଆଇଜିଏସ୍‍ଟିରୁ ରାଜ୍ୟ ଭାଗ ଏବଂ ପ୍ରବେଶକରରୁ ମିଳିଥାଏ ସେଥିରେ ଗତବର୍ଷ ତୁଳନାରେ ୧୫୧.୬୬ ପ୍ରତିଶତ ଅଭିବୃଦ୍ଧି ହୋଇଛି । ରାଜ୍ୟ ଅବକାରୀ ଡ୍ୟୁଟି ଆଦାୟ କ୍ଷେତ୍ରରେ ମଧ୍ୟ ଗତବର୍ଷ ତୁଳନାରେ ୧୨୭.୨୯ ପ୍ରତିଶତ ଅଭିବୃଦ୍ଧି ଘଟିଛି । ଅବକାରୀ ଡ୍ୟୁଟି ବାବଦରେ ରାଜ୍ୟ ସରକାର ୨୦୨୧ ଅଗଷ୍ଟ ସୁଦ୍ଧା ୧୯୪୨.୪୬ କୋଟି ଟଙ୍କା ରାଜସ୍ବ ଆଦାୟ କରିଛନ୍ତି ଯାହାକି ଗତବର୍ଷ ଏହି ସମୟରେ ମାତ୍ର ୮୫୪.୬୨ କୋଟି ଟଙ୍କା ଥିଲା । ସେହିଭଳି ବିଦ୍ୟୁତ୍‍ ଡ୍ୟୁଟି ବାବଦରେ ୧୪୦୬.୩୯ କୋଟି ଟଙ୍କା ଆଦାୟ ହୋଇଛି ଯାହା ଗତବର୍ଷ ୧୨୦୦.୨୦ କୋଟି ଟଙ୍କା ଥିଲା ।

ତେବେ ଅଗଷ୍ଟ ଶେଷସୁଦ୍ଧା ଅଣଟିକସ ରାଜସ୍ୱ ଉପରେ ନଜର ପକାଇଲେ ଜଣାପଡ଼େ ଯେ, ଏହି ସମୟ ମଧ୍ୟରେ ୧୬,୭୮୧.୬୭ କୋଟି ଟଙ୍କା ଆଦାୟ ହୋଇଛି । ଗତବର୍ଷ ତୁଳନାରେ ଏହା ୧୩୦.୩୬ ପ୍ରତିଶତ ଅଧିକ । ଗତବର୍ଷ ଏହି ସମୟରେ ମାତ୍ର ୭୨୮୫କୋଟି ଟଙ୍କା ଆଦାୟ ହୋଇଥିଲା । ସଂଖ୍ୟାଧିକ ଅଣଟିକସ ରାଜସ୍ୱ ଖଣିଜ କ୍ଷେତ୍ରରୁ ଆସିଛି । ଅଗଷ୍ଟ ୩୧ ସୁଦ୍ଧା ଏହି କ୍ଷେତ୍ରରୁ ୧୫,୮୫୮.୮୯କୋଟି ଟଙ୍କାର ରାଜସ୍ୱ ଆସିଛି ଯାହାକି ଗତବର୍ଷ ତୁଳନାରେ ଅଧିକ ।

ଅଣଟିକସ ରାଜସ୍ୱ ପାଇଁ ୨୦୨୧-୨୨ ବର୍ଷରେ ୨୦ହଜାର କୋଟି ଟଙ୍କାର ଲକ୍ଷ୍ୟ ଥିବାବେଳେ ଏହା ସହଜରେ ପୂରଣ ହୋଇଯିବ ବୋଲି ଅଧିକାରୀମାନେ ଆଶା ପ୍ରକାଶ କରିଛନ୍ତି। ଗତ ଆର୍ଥିକ ବର୍ଷରେ ବାସ୍ତବରେ ୨୧,୯୮୩.୧୮ କୋଟି ଟଙ୍କାର ଅଣଟିକସ ରାଜସ୍ୱ ଆଦାୟ ହୋଇଥିବାବେଳେ କୋଭିଡକୁ ଦୃଷ୍ଟିରେ ରଖି ଏହାଠାରୁ କମ୍‍ ଅର୍ଥାତ୍‍ ୨୦ହଜାର କୋଟି ଟଙ୍କାର ଲକ୍ଷ୍ୟ ଚଳିତ ଆର୍ଥିକ ବର୍ଷରେ ରଖାଯାଇଛି । ତେବେ ଟିକସ ଆଦାୟରେ ସକରାତ୍ମକ ଅଭିବୃଦ୍ଧି ହେଉଥିବାରୁ ଲକ୍ଷ୍ୟଠାରୁ ଢେର ଅଧିକ ଟିକସ ମିଳିବାର ଆଶା କରାଯାଉଛି।

Related Posts