(ସତ୍ୟପାଠ ବ୍ୟୁରୋ) ଭୁବନେଶ୍ୱର : ରାଜଧାନୀ ଉପକଣ୍ଠ ଅନ୍ଧାରୁଆଠାରେ ପ୍ରତିଷ୍ଠା ହେବ ଓଡ଼ିଶା ଆଦର୍ଶ ଉତ୍କର୍ଷ ବିଦ୍ୟାଳୟ। ରବିବାର ଦିନ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏହାର ଭିତ୍ତିପ୍ରସ୍ତର ସ୍ଥାପନ କରିଛନ୍ତି।ଏହି ଅବସରରେ ମୁଖ୍ୟମନ୍ତ୍ରୀ କହିଛନ୍ତି ଯେ ଏହି ବିଦ୍ୟାଳୟ ନିର୍ମାଣ ପାଇଁ ୧୦୦ କୋଟି ଟଙ୍କା ଖର୍ଚ୍ଚ ହେବ ଏବଂ ଏହା ଗ୍ରାମାଂଚଳର ମେଧାବୀ ଛାତ୍ରଛାତ୍ରୀ ମାନଙ୍କୁ ଗୁଣାତ୍ମକ ଶିକ୍ଷା ପ୍ରଦାନରେ ଏକ ଗୁରୁତ୍ବପୂର୍ଣ୍ଣ ଭୂମିକା ଗ୍ରହଣ କରିବ । ଏହି ସ୍କୁଲରେ ଏକାଦଶ ଓ ଦ୍ବାଦଶ ଶ୍ରେଣୀରେ ୫୦୦ଜଣ ଲେଖାଏଁ, ଏହିଭଳି ମୋଟ ହଜାରେ ଛାତ୍ରଛାତ୍ରୀ ଶିକ୍ଷା ଗ୍ରହଣ କରିପାରିବେ।
୫-ଟି ଅଧୀନରେ ଗଞ୍ଜାମ ଜିଲ୍ଲାର ହିଞ୍ଜିଳିରୁ ଆରମ୍ଭ ହୋଇଥିବା ବିଦ୍ୟାଳୟ ରୂପାନ୍ତରୀକରଣ ଅଭିଯାନର ଉଦାହରଣ ଦେଇ ମୁଖ୍ୟମନ୍ତ୍ରୀ କହିଛନ୍ତି ଯେ , ଏହା ସାରା ରାଜ୍ୟରେ ପର୍ଯ୍ୟାୟକ୍ରମେ କରାଯିବ। ଏହି ସ୍କୁଲରେ ସ୍ମାର୍ଟ କ୍ଲାସରୁମ୍, ଗଣିତ ଓ ଭାଷା ପ୍ରୟୋଗଶାଳା, ଉଚ୍ଚପ୍ରଯୁକ୍ତି ବିଦ୍ୟା ସଂପନ୍ନ କମ୍ପ୍ୟୁଟର୍ ପ୍ରୟୋଗଶାଳା ପ୍ରତିଷ୍ଠା ହେବା ସହ ସମଗ୍ର ବିଶ୍ବର ବିଭିନ୍ନ କ୍ଷେତ୍ରରେ ପ୍ରତିଷ୍ଠିତ ବ୍ୟକ୍ତିଙ୍କ ସହିତ ଜ୍ଞାନ ଆଦାନ ପ୍ରଦାନ କରି ହେବ। ଗୁଣାତ୍ମକ ଶିକ୍ଷା ସହ ଜଣେ ଟିମ୍ ଲିଡର୍ଙ୍କ ଅଧୀନରେ ମେଧାବୀ ଶିକ୍ଷକମାନେ ଛାତ୍ରଛାତ୍ରୀଙ୍କୁ ଜାତୀୟ ଓ ଅନ୍ତର୍ଜାତୀୟ ସ୍ତରର ପ୍ରତିଯୋଗିତାରେ ସଫଳତା ପାଇଁ ସହାୟତା କରିବେ। ଏହି ସ୍କୁଲର ଛାତ୍ରଛାତ୍ରୀ ସେମାନଙ୍କର ସମସ୍ତ ଅନ୍ତର୍ନିହିତ ଗୁଣର ବିକାଶ କରି ବିଭିନ୍ନ କ୍ଷେତ୍ରରେ ସଫଳତାର ଶୀର୍ଷରେ ପହଞ୍ଚିବେ ବୋଲି ସେ ଆଶା ପ୍ରକାଶ କରିଥିଲେ।
ଏହି କାର୍ଯ୍ୟକ୍ରମରେ ସ୍କୁଲ ଓ ଗଣଶିକ୍ଷା ମନ୍ତ୍ରୀ ସମୀର ଦାଶ ଆଦର୍ଶ ବିଦ୍ୟାଳୟ ସଂଗଠନର ଅଧ୍ୟକ୍ଷ ଉପେନ୍ଦ୍ର ତ୍ରିପାଠୀ ପ୍ରମୁଖ ଯୋଗ ଦେଇଥିଲେ । ମନ୍ତ୍ରୀ ସମୀର ଦାଶ କହିଛନ୍ତି ଯେ ୨୫ ଏକର ଜମିରେ ନିର୍ମାଣ ହେବାକୁ ଥିବା ଏହି ଆଦର୍ଶ ବିଦ୍ୟାଳୟ ଏକ ଉତ୍କର୍ଷ କେନ୍ଦ୍ରରେ ପରିଣତ ହେବ। ଛାତ୍ରଛାତ୍ରୀଙ୍କୁ ଶିକ୍ଷା ପ୍ରଦାନ ସହ ସର୍ବଭାରତୀୟ ପ୍ରବେଶିକା ପରୀକ୍ଷା ଯଥା ଇଞ୍ଜିନିୟରିଂ ଓ ମେଡିକାଲ କୋଚିଂ ସୁବିଧା ଉପଲବ୍ଧ କରାଯିବ। ରାଜ୍ୟର ସମସ୍ତ ଆଦର୍ଶ ବିଦ୍ୟାଳୟରୁ ଯୋଗ୍ୟତା ଅନୁଯାୟୀ ଛାତ୍ରଛାତ୍ରୀ ଏହି ବିଦ୍ୟାଳୟରେ ନାମଲେଖା ପାଇଁ ମନୋନୀତ ହେବେ।
୧୩ ଏକର ଜମିରେ ଏକାଡେମିକ୍ ଓ ଆଡ୍ମିନିଷ୍ଟ୍ରେସନ୍ ବ୍ଲକ୍ ରହିବ। ଯେଉଁଥିରେ ୨୬ଟି ଶ୍ରେଣୀଗୃହ, ୮ଟି ବିଜ୍ଞାନାଗାର, ଅଧ୍ୟକ୍ଷଙ୍କ କାର୍ଯ୍ୟାଳୟ, ଉପାଧ୍ୟକ୍ଷଙ୍କ କାର୍ଯ୍ୟାଳୟ, ଗ୍ରନ୍ଥାଗାର ଆଦି ରହିବ। ଏହାବ୍ୟତୀତ ଏକ ହଜାର ଛାତ୍ରଛାତ୍ରୀଙ୍କ ପାଇଁ ଦୁଇଟି ଲେଖାଏଁ ଛାତ୍ରନିବାସ ଓ ଛାତ୍ରୀନିବାସ, ଶିକ୍ଷକଙ୍କ ପାଇଁ ୨୨ଟି ବାସଗୃହ, ୮ଟି ଅତିଥି କକ୍ଷ ଓ ୩୦ ଜଣଙ୍କ ପାଇଁ ଏକ ବିଶ୍ରାମଗାର ରହିବ। ୧୨ ଏକର ଜମିରେ ମୁକ୍ତାକାଶ କ୍ରୀଡ଼ା ସୁବିଧା ଯଥା ଦୌଡ଼ ମାର୍ଗ, ଫୁଟବଲ୍ ପଡ଼ିଆ, ବ୍ୟାଡମିଣ୍ଟନ୍ ଓ ଭଲିବଲ୍ କୋର୍ଟ ଆଦି ରହିବ। ବିଶ୍ବସ୍ତରୀୟ ବିଜ୍ଞାନଗାର, ଇ-ଗ୍ରନ୍ଥାଗାର, ଗଣିତ ଓ ଭାଷା ବିଜ୍ଞାନଗାର, ଉନ୍ନତମାନର କମ୍ପ୍ୟୁଟର୍ ଲାବରେଟୋରି, ଆବାସିକ ଶିକ୍ଷାଦାନ ଏହି ପ୍ରତିଷ୍ଠିତ ବିଦ୍ୟାଳୟର ମୁଖ୍ୟ ବୈଶିଷ୍ଟ୍ୟ ହେବ। ଆସନ୍ତା ୧୮ ମାସ ମଧ୍ୟରେ ଏହାକୁ ଶେଷ କରିବାକୁ ଲକ୍ଷ୍ୟ ରଖାଯାଇଛି।
ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଉପସ୍ଥିତିରେ ଲୋକସେବା ଭବନରେ ଓଡିଶା ଆଦର୍ଶ ବିଦ୍ୟାଳୟ ଗୁଡିକରେ ୪୪୩ ଶିକ୍ଷକ ନିଯୁକ୍ତି ପ୍ରଦାନ କରାଯାଇଛି ।
ଏହି ଅବସରରେ ନବ ନିଯୁକ୍ତ ଶିକ୍ଷକ ମାନଙ୍କୁ ସ୍ବାଗତ କରି ମୁଖ୍ୟମନ୍ତ୍ରୀ କହିଲେ ଯେ ରାଜ୍ୟର ସବୁ ଅଞ୍ଚଳର ମେଧାବୀ ପିଲାଙ୍କୁ ଗୁଣାତ୍ମକ ଶିକ୍ଷା ପ୍ରଦାନ କରିବା ମୋର ଲକ୍ଷ୍ୟ । ଏହି ଉଦ୍ଦେଶ୍ୟରେ ରାଜ୍ୟରେ ମାଧ୍ୟମିକ ଓ ଉଚ୍ଚ ମାଧ୍ୟମିକ ଓଡିଶା ଆଦର୍ଶ ବିଦ୍ୟାଳୟ ଜରିଆରେ ଇଂରାଜୀ ମାଧ୍ୟମରେ ଶିକ୍ଷା ପ୍ରଦାନ କରାଯାଉଛି।