(ସତ୍ୟପାଠ ବ୍ୟୁରୋ) ଭୁବନେଶ୍ୱର : କରୋନା ମହାମାରୀରେ ନିଜର ପିତାମାତାଙ୍କୁ ହରାଇ ଅନାଥ ହୋଇଯାଇଥିବା ପିଲାମାନଙ୍କ ସୁରକ୍ଷାପାଇଁ ସେମାନଙ୍କୁ ମଧୁବାବୁ ପେନ୍ସନ ଯୋଜନାରେ ସାମିଲ କରାଯାଇଛି । ଏବଂ ସେମାନଙ୍କୁ ସାହାଯ୍ୟ କରିବା ପାଇଁ ଏହି ଯୋଜନାରେ ମାସକୁ ୫୦୦ ଟଙ୍କା ଆର୍ଥିକ ସହାୟତା ଯୋଗାଇ ଦିଆଯାଉଛି । ଏ ସମ୍ପର୍କରେ ବିଧାନସଭାରେ ଉତ୍ତର ରଖିଛନ୍ତି ସାମାଜିକ ସୁରକ୍ଷା ଓ ଭିନ୍ନକ୍ଷମ ସଶକ୍ତିକରଣ ମନ୍ତ୍ରୀ ଅଶୋକ ଚନ୍ଦ୍ର ପଣ୍ଡା। ବିଜେଡି ବିଧାୟକ ଭୂପିନ୍ଦର ସିଂହଙ୍କ ଏକ ପ୍ରଶ୍ନର ଉତ୍ତରରେ ବିଧାନସଭାରେ ଏହି ସୂଚନା ଦେଇଛନ୍ତି ବିଭାଗୀୟ ମନ୍ତ୍ରୀ ଶ୍ରୀ ପଣ୍ଡା । ମନ୍ତ୍ରୀ ଆହୁରି ମଧ୍ୟ କହିଛନ୍ତି ଯେ ପିତା ମାତାଙ୍କୁ ହରାଇ ଅନାଥ ହୋଇଯାଇଥିବା ୫୩ଜଣ ପିଲା ମଧୁବାବୁ ଯୋଜନାରେ ସାମିଲ ହୋଇଛନ୍ତି ଏବଂ ସେମାନଙ୍କୁ ମାସକୁ ୫୦୦ ଟଙ୍କା ହାରରେ ପେନ୍ସନ ଦିଆଯାଉଛି ।
ମନ୍ତ୍ରୀଙ୍କ ସୂଚନା ମୁତାବକ ଏହି ୫୩ଜଣ ପିଲାଙ୍କ ମଧ୍ୟରେ ମୟୁରଭଞ୍ଜ ଜିଲ୍ଲାରୁ ୬ଜଣ ରହିଥିବାବେଳେ ଭଦ୍ରକ ଓ କଳାହାଣ୍ଡି ଜିଲ୍ଲାରୁ ୫ଜଣ ଲେଖାଏଁ , ବରଗଡ, ଝାରସୁଗୁଡା, ଅନୁଗୁଳ ଓ ଦେବଗଡ ଜିଲ୍ଲାରୁ ୪ଜଣ, କେନ୍ଦ୍ରାପଡା ଓ ପୁରୀ ଜିଲ୍ଲାରୁ ୩ଜଣ, ବାଲେଶ୍ୱର, କଟକ, ଯାଜପୁର, ରାୟଗଡା ଓ ସୋନପୁର ଜିଲ୍ଲାରୁ ୨ଜଣ ଏବଂ ବଲାଙ୍ଗିର, ବୌଦ୍ଧ, ନୟାଗଡ, ନୂଆପଡା ଓ ସମ୍ବଲପୁର ଜିଲ୍ଲାରୁ ଜଣେ ଲେଖାଏଁ ପିଲା ରହିଛନ୍ତି । ସେହିପରି ସୁନ୍ଦରଗଡ, ନବରଙ୍ଗପୁର, ମାଲକାନଗିରି, କୋରାପୁଟ, ଖୋରଧା, କେନ୍ଦୁଝର, କନ୍ଧମାଳ, ଜଗତସିଂହପୁର, ଗଞ୍ଜାମ, ଗଜପତି, ଢେଙ୍କାନାଳ ଜିଲ୍ଲାରୁ ଜଣେ ହେଲେ ଶିଶୁ ଏହି ତାଲିକାରେ ନଥିବା ସୂଚନା ଦିଆଯାଇଛି ।