(ସତ୍ୟପାଠ ବ୍ୟୁରୋ) ଭୁବନେଶ୍ୱର : ଖୋର୍ଦ୍ଧା ଏବଂ ପୁରୀ ଜିଲ୍ଲା ଅଧୀନରେ ଆସୁଥିବା ପାଞ୍ଚଟି କୁଷ୍ଠ କଲୋନୀରେ ଜୀବନ ଯାପନ ସ୍ଥିତିରେ ସୁଧାର ଆଣିବା ପାଇଁ ତୁରନ୍ତ ପଦକ୍ଷେପ ନେବାକୁ କଲେକ୍ଟର ଏବଂ CDMO ମାନଙ୍କୁ ନିର୍ଦ୍ଦେଶ ଦେଇଛନ୍ତି। ଏହା ସହିତ ଅକ୍ଟୋବର ୭ ସୁଦ୍ଧା ଏ ସମ୍ପର୍କରେ ଏକ ରିପୋର୍ଟ ଦାଖଲ କରିବାକୁ ଓଡ଼ିଶା ହାଇକୋର୍ଟ ନିର୍ଦ୍ଦେଶ ଦେଇଛନ୍ତି।
ତିନିଜଣିଆ ଆମିକସ୍ କ୍ୟୁରିଙ୍କ ଦ୍ୱାରା ଦାଖଲ ହୋଇଥିବା ମଧ୍ୟବର୍ତ୍ତୀକାଳୀନ ରିପୋର୍ଟ (interim report) ଆଧାରରେ ହାଇକୋର୍ଟର ପ୍ରଧାନ ବିଚାରପତି ଏସ୍ ମୁରଲୀଧର ଏବଂ ଜଷ୍ଟିସ୍ ବିପି ରାଉତରାୟଙ୍କ ଡିଭିଜନ୍ ବେଞ୍ଚ ଗୁରୁବାର ଦିନ ଏହି ନିର୍ଦ୍ଦେଶ ଦେଇଛନ୍ତି।
ଆଡଭୋକେଟ ବିଭୂ ପ୍ରସାଦ ତ୍ରିପାଠୀ, ଗୌତମ ମିଶ୍ର ଏବଂ ପାମି ରଥଙ୍କୁ ନେଇ ଗଠିତ କମିଟି ଜଟଣୀର ବାପୁଜୀ ଏବଂ ଧରାବତୀ କୁଷ୍ଠ କଲୋନୀ, ଖୋର୍ଦ୍ଧାର ଭାଗବତ, ପୁରୀର ସଞ୍ଜୟ କୁଷ୍ଠ କଲୋନୀ ପରିଦର୍ଶନ କରିବା ପରେ ଦ୍ୱିତୀୟ ମଧ୍ୟବର୍ତ୍ତୀକାଳୀନ ରିପୋର୍ଟ ଦାଖଲ କରିଛନ୍ତି।
ଜଟଣୀର ବାପୁଜୀ ଏବଂ ଧରାବତୀ କଲୋନୀରେ ଏବଂ ପୁରୀର ସଞ୍ଜୟ କଲୋନୀରେ ଅତିରିକ୍ତ ଶୌଚାଳୟର ଆବଶ୍ୟକତା ଥିବା ନେଇ କମିଟି ଏହାର ରିପୋର୍ଟରେ ଦର୍ଶାଇଛନ୍ତି । କଲୋନୀ ବାସିନ୍ଦାଙ୍କୁ ଆଠ ସପ୍ତାହ ମଧ୍ୟରେ MCR ଗ୍ରେଡ୍ -1 ଏବଂ 2 ଜୋତା (footwear) ଯୋଗାଇବାକୁ ହାଇକୋର୍ଟ ନିର୍ଦ୍ଦେଶ ଦେଇଛନ୍ତି। ଏତଦ୍ ବ୍ୟତୀତ ପୌରସଂସ୍ଥା ଦ୍ୱାରା ନିୟୋଜିତ ପରିମଳ କର୍ମଚାରୀମାନେ ନିୟମିତ ଭାବେ ଆବର୍ଜନା ହଟାଇବା ପାଇଁ କର୍ତ୍ତୃପକ୍ଷଙ୍କୁ ନିର୍ଦ୍ଦେଶ ଦେଇଛନ୍ତି।