ଗାନ୍ଧୀ ମୂର୍ତ୍ତି ତଳେ ବିଜେପି ସଦସ୍ୟଙ୍କ ଧାରଣା : ମନେଇ ନପାରି ବିଫଳ ହୋଇ ଫେରିଲେ ପ୍ରମିଳା ଓ ନିରଞ୍ଜନ

(ସତ୍ୟପାଠ ବ୍ୟୁରୋ) ଭୁବନେଶ୍ୱର : ବିଧାନସଭାର ଶୂନ୍ୟକାଳରେ ଆଜି ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ ଅନିୟମିତତା ପ୍ରସଙ୍ଗ ଉଠାଇ ସରକାରଙ୍କୁ ଟାର୍ଗେଟ କରିଥିଲେ ବିରୋଧୀ ଦଳ ମୁଖ୍ୟ ସଚେତକ ମୋହନ ମାଝି। ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ ଦୁର୍ନିତୀ ଅଭିଯୋଗ ଆଣି ଗୃହ ମଧ୍ୟରେ ହଙ୍ଗାମା କରିବା ସଙ୍ଗେ ସଙ୍ଗେ ବିଧାନସଭା ପରିସରରେ ଥିବା ଗାନ୍ଧି ମୂର୍ତ୍ତି ତଳେ ଧାରଣା ଦେଇଛନ୍ତି ବିଜେପି ବିଧାୟକ । 

ବାଚସ୍ପତିଙ୍କ ନିର୍ଦ୍ଦେଶ କ୍ରମେ ଗାନ୍ଧି ମୂର୍ତ୍ତି ତଳେ ଧାରଣାରତ ବିଜେପି ସଦସ୍ୟ ମାନଙ୍କୁ ମନାଇବା ପାଇଁ ସରକାରୀ ଦଳ ମୁଖ୍ୟସଚେତକ ପ୍ରମିଳା ମଲ୍ଲିକ ଏବଂ ଅର୍ଥମନ୍ତ୍ରୀ ନିରଞ୍ଜନ ପୂଜାରୀ ଗୃହରେ ଭାଗ ନେବାକୁ ଅନୁରୋଧ କରିଥିଲେ। କିନ୍ତୁ ବିଜେପି ପକ୍ଷରୁ ସିଧାସଳଖ ନା ବୋଲି ଶୁଣାଇ ଦିଆଯାଇଥିଲା। କହିବାକୁ ସୁଯୋଗ ଦେଲେ ଯାଇ ଅଂଶଗ୍ରହଣ କରିବୁ ବୋଲି ବିଜେପି ପକ୍ଷରୁ କୁହାଯାଇଥିଲା। ଶେଷରେ ମନାଇବାକୁ ଆସି ସରକାରୀ ଦଳର ମୁଖ୍ୟ ସଚେତକ ପ୍ରମିଳା ମଲ୍ଲିକ ଏବଂ ଅର୍ଥମନ୍ତ୍ରୀ ନିରଞ୍ଜନ ପୂଜାରୀ ବିଫଳ ହୋଇ ଫେରିଛନ୍ତି।

ଆଜି ଶୂନ୍ୟକାଳରେ ପ୍ରଧାନମନ୍ତ୍ରୀ ଆବାସ ଯୋଜନା ଦୁର୍ନୀତି ପ୍ରସଙ୍ଗ ଉଠାଇ ବିଜେପି ସଦସ୍ୟ ମାନେ ହୋ ହଲ୍ଲା  କରିଥିଲେ। ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ ଦୁର୍ନୀତି ପ୍ରସଙ୍ଗରେ କହିବାର ସୁଯୋଗ ଦେଇନଥିବାରୁ ହଙ୍ଗାମା କରିବା ସହ କକ୍ଷ ତ୍ୟାଗ କରିଥିଲେ । 

ବିରୋଧୀ ଦଳ ମୁଖ୍ୟ ସଚେତକ ମୋହନ ମାଝୀ ଏହି ପ୍ରସଙ୍ଗ ଉଠାଇ କହିଥିଲେ ଯେ, କେନ୍ଦ୍ରୀୟ ଯୋଜନାକୁ ହଡ଼ପ କରାଯାଇଛି। ଭୋଟ ବ୍ୟାଙ୍କ ପାଇଁ ବିଜେଡି ନେତା ଓ କର୍ମୀଙ୍କୁ ଆବାସ ବଣ୍ଟା ଯାଇଛି ଏବଂ ପ୍ରକୃତ ହିତାଧିକାରୀ ମାନେ ଘର ପାଇପାରି ନାହାନ୍ତି।  ପ୍ରଧାନମନ୍ତ୍ରୀ ଆବାସ ବଣ୍ଟନରେ ପାତର ଅନ୍ତର କରାଯାଇଥିବା ସେ ଅଭିଯୋଗ କରିଛନ୍ତି । କେନ୍ଦ୍ରୀୟ ଟିମ୍ ୫ ଜିଲ୍ଲାର ୯ ବ୍ଲକ ଯାଇ ଅନିୟମିତତା ଦେଖିଛନ୍ତି। ଅନିୟମିତତା ହୋଇଥିବା ନେଇ ରାଜ୍ୟସରକାରଙ୍କୁ କେନ୍ଦ୍ରୀୟ ଟିମ ଅବଗତ କରାଇଛନ୍ତି, ହେଲେ କାର୍ଯ୍ୟାନୁଷ୍ଠାନ ହୋଇନି। ୧୦୦୦ କୋଟି ଟଙ୍କାର ଦୁର୍ନୀତି ହୋଇଥିବା ମୋହନ ମାଝୀ କହିଛନ୍ତି। 

Related Posts