(ସତ୍ୟପାଠ ବ୍ୟୁରୋ) ଭୁବନେଶ୍ୱର : ପିପିଲି ଉପ-ନିର୍ବାଚନ ନେଇ ତାରିଖ ଘୋଷଣା କଲେ ଭାରତୀୟ ନିର୍ବାଚନ ଆୟୋଗ । ସେପ୍ଟେମ୍ଟର ୩୦ରେ ଅନୁଷ୍ଠିତ ହେବ ପିପିଲି ଉପ-ନିର୍ବାଚନ । ସେପ୍ଟେମ୍ବର ୩୦ରେ ଉପ ନିର୍ବାଚନ ହେବାକୁ ଥିବା ବେଳେ ଅକ୍ଟୋବର ୩ରେ ଭୋଟ ଗଣତି ପାଇଁ ସ୍ଥିର ହୋଇଛି । ପିପିଲି ସଙ୍ଗେ ସଙ୍ଗେ ପଶ୍ଚିମବଙ୍ଗର ଭବାନୀପୁର ନିର୍ବାଚନ ମଣ୍ଡଳୀ, ସମଶେର ଜଙ୍ଗ ଏବଂ ଯାଜ୍ଞିପୁର ବିଧାନସଭା ଆସନ ପାଇଁ ମଧ୍ୟ ଉପ-ନିର୍ବାଚନ ଅନୁଷ୍ଠିତ ହେବ ।
ଆସନ୍ତା ୨୦ ତାରିଖରୁ ନିର୍ବାଚନ ପ୍ରଚାର ପାଇଁ ଅନୁମତି ମିଳିଥିବା ବେଳେ, ମାତ୍ର ୯ ଦିନ ପାଇଁ ହେବ କ୍ୟାମ୍ପେନିଂ । ଷ୍ଟାର କ୍ୟାମ୍ପେନର ତାଲିକା ୨୦ରେ ସୀମିତ ରଖିବାକୁ କମିଶନ ନିର୍ଦ୍ଦେଶ ଦେଇଛନ୍ତି। ସେହିପରି ରୋଡ୍ ଶୋ, ବାଇକ୍ ଓ ସାଇକେଲ ରାଲିକୁ ମନା କରାଯାଇଛି । ଡୋର୍ ଟୁ ଡୋର୍ କ୍ୟାମ୍ପେନ୍ ବେଳେ ପ୍ରାର୍ଥୀଙ୍କ ସହ ୫ ଜଣଙ୍କୁ ଅନୁମତି ମିଳିଛି। ଏତଦ୍ ବ୍ୟତୀତ ଆଉ ଏକ ଗୁରୁତ୍ୱପୂର୍ଣ୍ଣ କଥା ହେଉଛି ନୂଆ ପ୍ରାର୍ଥୀପତ୍ର ଦାଖଲ ହେବ ନାହିଁ। ଆଗରୁ ଯେଉଁ ନାମାଙ୍କନ କାଏମ ରହିଛି, କେବଳ ସେମାନେ ନିର୍ବାଚନ ଲଢ଼ିବେ।
ସୂଚନା ଯୋଗ୍ୟ ଯେ, ପିପିଲି ବିଧାୟକ ପ୍ରଦୀପ ମହାରଥୀଙ୍କ ଦେହାନ୍ତ ପରେ ଉପ ନିର୍ବାଚନ ପାଇଁ ଦିନ ଧାର୍ଯ୍ୟ ହୋଇଥିଲା । ଏବଂ ଏନେଇ ରାଜ୍ୟର ପ୍ରମୁଖ ଦଳ ସମେତ ଅନ୍ୟମାନେ ନିର୍ବାଚନ ନେଇ ପ୍ରାର୍ଥୀ ଦେଇଥିଲେ । କିନ୍ତୁ କଂଗ୍ରେସ ବିଧାୟକ ପ୍ରାର୍ଥୀ ଅଜିତ ମଙ୍ଗରାଜ ପ୍ରଚାର ସମୟରେ କରୋନା ଆକ୍ରାନ୍ତ ହୋଇଥିଲେ । ଏବଂ ଭୁବନେଶ୍ୱରର ଏକ ଘରୋଇ ହସ୍ପିଟାଲରେ ଚିକିତ୍ସାଧୀନ ଅବସ୍ଥାରେ ତାଙ୍କ ପରଲୋକ ହୋଇଥିଲା ।
ଫଳରେ ଏପ୍ରିଲ ୧୭ ତାରିଖରେ ହେବାକୁ ଥିବା ପିପିଲି ଉପନିର୍ବାଚନକୁ ସ୍ଥଗିତ ରଖାଯାଇଥିଲା । ପରେ ବିଧାନସଭା ଆସନରେ ଉପନିର୍ବାଚନ ନେଇ ସାନି ବିଜ୍ଞପ୍ତି ପ୍ରକାଶ ପାଇଥିଲା । ପୂର୍ବ ସାନି ବିଜ୍ଞପ୍ତି ଅନୁସାରେ, ମେ’ ୧୬ରେ ନିର୍ବାଚନ ହୋଇଥାନ୍ତା । ଏପ୍ରିଲ ୨୬ ତାରିଖ ନାମାଙ୍କନ ଦାଖଲର ଶେଷ ତାରିଖ ବୋଲି ମଧ୍ୟ ଘୋଷଣା ହୋଇଥିଲା । ଏପ୍ରିଲ ୨୭ରେ ପ୍ରାର୍ଥିପତ୍ର ଯାଞ୍ଚ କରାଯିବା ସହ ଏପ୍ରିଲ ୨୯ ତାରଖ ପ୍ରାର୍ଥିପତ୍ର ପ୍ରତ୍ୟାହାରର ଶେଷ ତାରିଖ ବୋଲି ବିଜ୍ଞପ୍ତିରେ କୁହାଯାଇଥିଲା ।
ଏହା ମଧ୍ୟରେ କରୋନା ମହାମାରୀର ଦ୍ୱିତୀୟ ଲହର ଭୟଙ୍କର ରୂପ ଧାରଣ କରିଥିବାରୁ ଉପନିର୍ବାଚନକୁ ସ୍ଥଗିତ ରଖାଯାଇଥିଲା । କିନ୍ତୁ ବର୍ତ୍ତମାନ କରୋନା ସଂକ୍ରମଣ କମିବା ସହ ନିୟନ୍ତ୍ରଣକୁ ଆସିଥିବାରୁ ନିର୍ବାଚନ କମିଶନଙ୍କ ପକ୍ଷରୁ ଉପ ନିର୍ବାଚନ ତାରିଖ ଘୋଷଣା ହୋଇଛି ।