(ସତ୍ୟପାଠ ବ୍ୟୁରୋ) ଭୁବନେଶ୍ୱର : ରାଜ୍ୟ ବିଜେପି ଏବଂ ବିଜେଡି ଏବେ ଦଳୀୟ କାର୍ଯ୍ୟାଳୟର ନବକଳେବର କରିବା ସଙ୍ଗେ ସଙ୍ଗେ ନୂଆ କାର୍ଯ୍ୟାଳୟ ନିର୍ମାଣ ଉପରେ ଜୋର ଦେଉଛନ୍ତି । ଆଉ ଏଥିପାଇଁ ରାଜନୈତିକ ଦଳକୁ ସରକାରଙ୍କ ପକ୍ଷରୁ ଜମି ମଧ୍ୟ ଯୋଗାଇ ଦିଆଯାଇଛି । ରାଜନୈତିକ ଦଳମାନଙ୍କୁ ଦଳୀୟ କାର୍ଯ୍ୟାଳୟ ନିର୍ମାଣ ପାଇଁ ରାଜ୍ୟ ସରକାରଙ୍କ ପକ୍ଷରୁ ଯୋଗାଇ ଦିଆଯାଇଥିବା ଜମି ସମ୍ପର୍କରେ ବିଧାନସଭାରେ ସୂଚନା ଦେଇଛନ୍ତି ସଂସଦୀୟ ବ୍ୟାପାର ମନ୍ତ୍ରୀ ବିକ୍ରମ କେଶରୀ ଆରୁଖ ।
ମନ୍ତ୍ରୀଙ୍କ ସୂଚନା ମୁତାବକ, ରାଜ୍ୟରେ ଶାସନ କ୍ଷମତାରେ ଥିବା ରାଜନୈତିକ ଦଳ ବିଜୁ ଜନତା ଦଳକୁ ୧ ଏକର ୧୮୩ ଡିସିମିଲି ଜମି ଯୋଗାଇ ଦିଆଯାଇଥିବା ବେଳେ ବେଞ୍ଚମାର୍କ ଅନୁଯାୟୀ ଏକର ପିଛା ୧୦ କୋଟି ୪୭ ଲକ୍ଷ ଟଙ୍କା ବ୍ୟୟରେ ଏହି ଜମି ଯୋଗାଇ ଦିଆଯାଇଛି । ମୋଟ ୧୨ କୋଟି ୩୮ ଲକ୍ଷ ଟଙ୍କା ଦେଇ ବିଜଦ ଏହି ଜମିକୁ କିଣିଛି । ସେହିଭଳି ବିଜେପିକୁ ଦୁଇଟି ପ୍ଲଟ ଯୋଗାଇ ଦେଇଛନ୍ତି ସରକାର । ମୋଟ ୨୫ କୋଟି ୮୧ ଲକ୍ଷ ଟଙ୍କା ଦେଇ ଏହି ଦୁଇଟି ପ୍ଲଟ କିଣିଛି ବିଜେପି ।
ମନ୍ତ୍ରୀ ବିକ୍ରମ କେଶରୀ ଆରୁଖଙ୍କ ସୂଚନା ମୁତାବକ, ପୂର୍ବରୁ ରାଜଧାନୀ ଭୁବନେଶ୍ୱରରେ ଦଳୀୟ କାର୍ଯ୍ୟାଳୟ ପାଇଁ ୧୯୬୪ ମସିହାରେ ଉତ୍କଳ ପ୍ରଦେଶ କଂଗ୍ରେସ କମିଟି ଏକର ପିଛା ୧୦ ହଜାର ଟଙ୍କା ହିସାବରେ ୫ ହଜାର ଟଙ୍କା ମୂଲ୍ୟରେ ୫୦୦ ଡିସିମିଲ ଜମିକୁ ଲିଜ୍ ରେ ନେଇଥିଲେ।
ସେହିପରି ଭାରତୀୟ କମ୍ୟୁନିଷ୍ଟ ପାର୍ଟି (ମାର୍କ୍ସବାଦୀ) ୧୯୯୨ ମସିହାରେ ଏକର ପିଛା ୧ ଲକ୍ଷ ଟଙ୍କା ହିସାବରେ ୧୭ ହଜାର ୭ ଶହ ୯୧ ଟଙ୍କା ୪୫ ପଇସା ମୂଲ୍ୟରେ ୧୭୮ ଡିସିମିଲ ଏବଂ ୧୯୯୮ ମସିହାରେ ଭାରତୀୟ କମ୍ୟୁନିଷ୍ଟ ପାର୍ଟି ଏକର ପିଛା ୬ ହଜାର ୬୦୦ ଟଙ୍କା ହିସାବରେ ୮ ଶହ ୬୧ ଟଙ୍କା ୩୪ ପଇସା ଦେଇ ୧୨୯ ଡିସିମିଲ ସରକାରୀ ଜମି ଲିଜ୍ ରେ ନେଇଥିଲେ । ଚଳିତ ବର୍ଷ ବିଜେଡି ପ୍ରଚଳିତ ବେଞ୍ଚମାର୍କ ଭାଲୁଏସନ୍ ଅନୁସାରେ ଏକର ପିଛା ୧୦ କୋଟି ୪୭ ଲକ୍ଷ ଟଙ୍କା ହିସାବରେ ୧୨ କୋଟି ୩୮ ଲକ୍ଷ ୬୦ ହଜାର ୧୦୦ ଟଙ୍କା ମୂଲ୍ୟରେ ୧ ଏକର ୧୮୩ ଡିସିମିଲ ଲିଜ୍ ସୂତ୍ରରେ ନେଇଛି।
ସେହିପରି ଭାରତୀୟ ଜନତା ପାର୍ଟି ମଧ୍ୟ ଏକର ପିଛା ବେଞ୍ଚମାର୍କ ଭାଲୁଏସନ୍ ୧୬ କୋଟି ୬୦ ଲକ୍ଷ ଟଙ୍କା ହିସାବରେ ୯୦୯ ଡିସିମିଲ୍ ଜମି ପାଇଁ ୧୫ କୋଟି ୮ ଲକ୍ଷ ୯୪ ହଜାର ଟଙ୍କା ଏବଂ ଏକର ପିଛା ବେଞ୍ଚମାର୍କ ଭାଲୁଏସନ ୨୯ କୋଟି ଟଙ୍କା ହିସାବରେ ୩୭୦ ଡେସିମିଲ୍ ଜମି ପାଇଁ ୧୦ କୋଟି ୭୩ ଲକ୍ଷ ଟଙ୍କା ଏହି ଭଳି ମୋଟ ୨୫ କୋଟି ୮୧ ଲକ୍ଷ ୯୪ ହଜାର ଟଙ୍କା ଜମା କରି ୧ ଏକର ୨୭୯ ଡିସିମିଲ ସରକାରୀ ଜମି ଲିଜ୍ ସୂତ୍ରରେ ନେଇଛନ୍ତି । ଆଜି ଏ ସଂପର୍କରେ ସଂସଦୀୟ ବ୍ୟାପାର ମନ୍ତ୍ରୀ ବିକ୍ରମ ଆରୁଖ ଗୃହରେ ସୂଚନା ଦେଇଛନ୍ତି।