(ସତ୍ୟପାଠ ବ୍ୟୁରୋ) ଭୁବନେଶ୍ୱର : ରାଜ୍ୟରେ ଶ୍ରମିକ ଅଭାବ ଯୋଗୁଁ ରାଜ୍ୟର ୭ଟି ଶିଳ୍ପ ସଂସ୍ଥା ବନ୍ଦ ହୋଇଛି। ଏନେଇ ବିଧାନସଭାରେ ସୂଚନା ଦେଇଛନ୍ତି ଶିଳ୍ପ ମନ୍ତ୍ରୀ କ୍ୟାପଟେନ୍ ଦିବ୍ୟଶଙ୍କର ମିଶ୍ର । ରାଜ୍ୟର ବୃହତ ଶିଳ୍ପ ଗୁଡ଼ିକରେ ଶ୍ରମିକ ଅଭାବ ଥିବା କାରଣରୁ ଉତ୍ପାଦନ ବନ୍ଦ କରାଯାଇଥିବା ଶିଳ୍ପ ମନ୍ତ୍ରୀ କହିଛନ୍ତି।
ଆର୍ଥିକ ଅନିୟମିତତା, ଆର୍ଥିକ ମାନ୍ଦାବସ୍ଥା, ବଜାର ଚାହିଦାର ଅଭାବ, ବଜାରରେ ଉତ୍ପାଦିତ ସାମଗ୍ରୀ ବିକ୍ରି ହୋଇନପାରିବା କାରଣରୁ ଏହାର ପ୍ରଭାବ କମ୍ପାନି ଉପରେ ପଡ଼ିଥିବା ସେ ଦାବି କରିଛନ୍ତି। ତେବେ ବନ୍ଦ ପଡ଼ିଥିବା ଏହି କମ୍ପାନୀ ଗୁଡିକୁ ପୁଣି ଥରେ ପରିଚାଳିତ କରିବାକୁ ରାଜ୍ୟ ସରକାର ଉଦ୍ୟମ କରିବେ ବୋଲି ମନ୍ତ୍ରୀ ସୂଚନା ଦେଇଛନ୍ତି । ଗତବର୍ଷ ଓ ଚଳିତ ଥର କରୋନା ମହାମାରୀ ଯୋଗୁଁ ଲକ୍ଡାଉନ ଓ ଅନ୍ୟାନ୍ୟ କଟକଣା ଜାରି ହୋଇଥିଲା । ଯାହାର ସିଧା ପ୍ରଭାବ ଶିଳ୍ପ ଉପରେ ପଡ଼ିଥିବା ଅନୁମାନ କରାଯାଉଛି ।
କେବଳ ସେତିକି ନୁହେଁ, କରୋନା ପାଇଁ ରାଜ୍ୟରେ ୩ହଜାରରୁ ଅଧିକ ଛୋଟ ଛୋଟ ଶିଳ୍ପ ବନ୍ଦହୋଇ ଯାଇଛି । ବନ୍ଦ ଶିଳ୍ପ ମଧ୍ୟରେ ବାଲେଶ୍ୱରରେ ସର୍ବାଧିକ ରହିଛି ବୋଲି ମନ୍ତ୍ରୀ ସୂଚନା ଦେଇଛନ୍ତି ।
କରୋନା ସ୍ଥିତି ସମ୍ପର୍କରେ ରାଜ୍ୟରେ ବନ୍ଦହୋଇ ଯାଇଥିବା କ୍ଷୁଦ୍ର ଶିଳ୍ପ ସଂକ୍ରାନ୍ତରେ କଂଗ୍ରେସ ବିଧାୟକ ତାରା ପ୍ରସାଦ ବାହିନିପତି ପ୍ରଶ୍ନ କରିଥିଲେ। ଏହାର ଉତ୍ତରରେ ଅଣୁ, କ୍ଷୁଦ୍ର ଓ ମଧ୍ୟମ ଉଦ୍ୟୋଗ ମନ୍ତ୍ରୀ ଦିବ୍ୟ ଶଙ୍କର ମିଶ୍ର ଏହି ସୂଚନା ଦେଇଛନ୍ତି । ମନ୍ତ୍ରୀଙ୍କ ସୂଚନା ମୁତାବକ ସାମ୍ପ୍ରତିକ କରୋନା ସ୍ଥିତିରେ ଗତବର୍ଷ ଏପ୍ରିଲ ସୁଦ୍ଧା ୩୨୦୭ ଟି ସୂକ୍ଷ୍ମ, କ୍ଷୁଦ୍ର ଓ ମଧ୍ୟମ ଉଦ୍ୟୋଗ ବନ୍ଦହୋଇ ଯାଇଛି ।
ବନ୍ଦ ହୋଇଥିବା ଶିଳ୍ପ ମଧ୍ୟରେ ବାଲେଶ୍ୱରରେ ସର୍ବାଧିକ ୪୮୪ ଟି ୟୁନିଟ୍ ଥିବାବେଳେ ସମ୍ବଲପୁରରେ ୩୨୧, ଗଞ୍ଜାମରେ ୨୮୪, ସୁନ୍ଦରଗଡରେ ୨୭୨ ଓ ଭଦ୍ରକରେ ୧୫୭ଟି ରହିଛି । କୋଭିଡ ମହାମାରୀ ସମୟରେ ଉଦ୍ୟୋଗମାନଙ୍କୁ ସହାୟତା ପାଇଁ ଇର୍ମଜେନ୍ସି କ୍ରେଡିଟ ଲାଇନ୍ ଗ୍ୟାରେଣ୍ଟି ସ୍କିମ୍ ରେ ବ୍ୟାଙ୍କମାନଙ୍କ ଦ୍ୱାରା ସହାୟତା ପାଇଥିବା ଉଦ୍ୟୋଗମାନଙ୍କୁ ପୁରୁଷଙ୍କ କ୍ଷେତ୍ରରେ ୨ ପ୍ରତିଶତ ଓ ମହିଳାଙ୍କ କ୍ଷତ୍ରରେ ୫ ପ୍ରତିଶତ ହିସାବ ୧୦୮କୋଟି ୨୯ଲକ୍ଷ ଟଙ୍କା ସୁଧରେ ଅର୍ଥ ସହାୟତା ଯୋଗାଇବାକୁ ବ୍ୟୟ ଅଟକଳ ହୋଇଥିଲା ।
ତେବେ ବିଭାଗ ପକ୍ଷରୁ ୯୯କୋଟି ୮୭ଲକ୍ଷ ୨୨ହଜାର ଟଙ୍କା ମଞ୍ଜୁର କରିଛନ୍ତି ଏବଂ ସେଥି ମଧ୍ୟରୁ ଚଳିତ ବର୍ଷ ଅଗଷ୍ଟ ସୁଦ୍ଧା ୪୭୩ଜଣ ଉଦ୍ୟୋଗୀଙ୍କ ସପକ୍ଷରେ ୭,୫୪,୯୩୨.୨୪ ଟଙ୍କା ବଣ୍ଟନ ହୋଇଛି । ତେବେ ବନ୍ଦ ହୋଇଥିବା ଉଦ୍ୟୋଗଗୁଡିକୁ ଚିହ୍ନଟ ପାଇଁ ରାଜ୍ୟ ସରକାର ଏମ୍ଏସ୍ଏମ୍ଇ ଗଣନା ୨୦୨୧ ପ୍ରକ୍ରିୟା ଆରମ୍ଭ ହୋଇଛି।