ଏବେବି ଘରଡିହ ଅପେକ୍ଷାରେ ରାଜ୍ୟର ୯୭୦୦ ପରିବାର

(ସତ୍ୟପାଠ ବ୍ୟୁରୋ) ଭୁବନେଶ୍ୱର : ରାଜ୍ୟରେ ଏବେବି ବସୁନ୍ଧରା ଯୋଜନା ଅଧୀନରେ ଘରଡିହ ପାଇବାକୁ ରାଜ୍ୟରେ ୯୭୦୦ ପରିବାର ଅପେକ୍ଷାରେ ଅଛନ୍ତି । ଏମାନଙ୍କ ମଧ୍ୟରେ ବରଗଡ ଜିଲ୍ଲାରେ ସର୍ବାଧିକ ବ୍ୟକ୍ତି ରହିଛନ୍ତି । ଏ ସମ୍ପର୍କରେ ରାଜସ୍ୱ ଓ ବିପର୍ଯ୍ୟୟ ପରିଚାଳନା ମନ୍ତ୍ରୀ ସୁଦାମ ମାରାଣ୍ଡି ବିଧାନସଭାରେ ସୂଚନା ଦେଇଛନ୍ତି।

ରାଜ୍ୟରେ ବସୁନ୍ଧରା ଯୋଜନା ସଂକ୍ରାନ୍ତରେ ପ୍ରଶ୍ନ କରିଥିବା କଂଗ୍ରେସ ବିଧାୟକ ସୁରେଶ କୁମାର ରାଉତରାୟଙ୍କ ପ୍ରଶ୍ନର ଉତ୍ତରରେ ରାଜସ୍ୱ ମନ୍ତ୍ରୀ ସୁଦାମ ମାରାଣ୍ଡି ଏହି ସୂଚନା ଦେଇଛନ୍ତି । ମନ୍ତ୍ରୀ କହିଛନ୍ତି ଯେ ବସୁନ୍ଧରା ଯୋଜନାରେ ଘରଡିହ ଯୋଗାଣ ପାଇଁ ୨୦୧୮ ମସିହାରେ କରାଯାଇଥିବା ସର୍ବେକ୍ଷଣ ଅନୁଯାୟୀ ରାଜ୍ୟରେ ମୋଟ୍‍ ୧,୦୬,୮୯୮ ଜଣ ବ୍ୟକ୍ତିଙ୍କ ପାଖରେ ଘରଡିହ ନଥିବା ଚିହ୍ନଟ ହୋଇଥିଲା ।

ଏବଂ ସେମାନଙ୍କ ମଧ୍ୟରୁ ୪୯,୨୦୦ ଜଣ ବ୍ୟକ୍ତି ପରବର୍ତ୍ତୀ ଯାଞ୍ଚ ସମୟରେ ଘରଡିହ ଜମି ପାଇବାପାଇଁ ଯୋଗ୍ୟ ବିବେଚିତ ହୋଇନଥିବା ଜଣାପଡିଥିଲା । ବାକି ୫୭,୬୯୮ ଜଣ ବ୍ୟକ୍ତିଙ୍କ ମଧ୍ୟରୁ ଚଳିତବର୍ଷ ଜୁଲାଇ ଶେଷ ସୁଦ୍ଧା ମିଳିଥିବା ସୂଚନା ମୁତାବକ ୪୭,୯୯୮ ଜଣ ବ୍ୟକ୍ତିଙ୍କୁ ଘରଡିହ ଜମି ପ୍ରଦାନ କରାଯାଇଛି ଓ ୯୭୦୦ ଜଣ ବ୍ୟକ୍ତି ଘରଡିହ ପାଇବାକୁ ବାକି ରହିଥିବା ସୂଚନା ମିଳିଛି।

ମନ୍ତ୍ରୀ ଗୃହରେ ସୂଚନା ଦେଇ କହିଛନ୍ତି ଯେ, ରାଜ୍ୟର ସମସ୍ତ ଯୋଗ୍ୟ ବିବେଚିତ ଘରଡିହ ଶୂନ୍ୟ ପରିବାରମାନଙ୍କୁ ଖୁବ୍ ଶୀଘ୍ର ଘରଡିହ ଯୋଗାଇ ଦିଆଯିବ । ତେବେ ଘରଡିହ ପାଇବାକୁ ଥିବା ବ୍ୟକ୍ତିଙ୍କ ମଧ୍ୟରେ ବରଗଡ ଜିଲ୍ଲାରେ ସର୍ବାଧିକ ୧୯୯୧ ଜଣ ରହିଥିବା ବେଳେ ବଲାଙ୍ଗିର ଜିଲ୍ଲାରେ ୧୭୯୮, ସୁବର୍ଣ୍ଣପୁରରେ ୭୯୫, ଢେଙ୍କାନାଳରେ ୬୬୯, ପୁରୀରେ ୪୬୭, ସୁନ୍ଦରଗଡରେ ୪୫୮, ଦେବଗଡରେ ୪୪୫, ବୌଦରେ ୩୮୧, ଗଞ୍ଜାମରେ ୨୯୦ ଓ ଝାରସୁଗୁଡରେ ୨୬୩ ଜଣ ରହିଛନ୍ତି ।

ସେହିପରି ଖୋର୍ଧା, କୋରାପୁଟ, ମାଲକାନଗିରି, ନବରଙ୍ଗପୁର, କଳାହାଣ୍ଡି ଏବଂ କନ୍ଧମାଳ ଜିଲ୍ଲାରେ ଜଣେ କେହି ବ୍ୟକ୍ତି ଘରଡିହ ପାଇବା ଅପେକ୍ଷାରେ ନଥିବା ମନ୍ତ୍ରୀ ସୂଚନା ଦେଇଛନ୍ତି।

Related Posts