ଉତ୍କଟ ହେଉଛି ବେକାରୀ ସମସ୍ୟା : ଅଗଷ୍ଟ ମାସରେ ଚାକିରି ହରାଇଛନ୍ତି ୧୫ ଲକ୍ଷ ଲୋକ

(ସତ୍ୟପାଠ ବ୍ୟୁରୋ) ଭୁବନେଶ୍ୱର : ଦେଶରେ ଦିନକୁ ଦିନ ଉତ୍କଟ ହେବାରେ ଲାଗିଛି ବେକାରୀ ସମସ୍ୟା । କୋଭିଡ୍ ମହାମାରୀ ଯୋଗୁଁ ଦେଶର ଅର୍ଥ ବ୍ୟବସ୍ଥା ଭୁଷୁଡି ପଡିଥିବା ବେଳେ ବେକାରୀ ସମସ୍ୟା ଏବେ ଚିନ୍ତାର କାରଣ ପାଲଟିଛି। କୋଭିଡ୍ ର ଦ୍ୱିତୀୟ ଲହରୀ ସାଧାରଣ ଲୋକଙ୍କ ଜୀବନ ଜୀବିକା ବି ଛଡ଼ାଇ ନେଇଛି । ବେରୋଜଗାର ସମସ୍ୟା ଦିନକୁ ଦିନ ବଢିବାରେ ଲାଗିଛି। ସ୍ଥିତି ଏମିତି ଯେ, ଅଗଷ୍ଟ ମାସରେ ଦେଶରେ ୧୫ ଲକ୍ଷରୁ ଅଧିକ ଲୋକ ବେକାର ହୋଇପଡିଛନ୍ତି । ଜୁଲାଇରେ କାର୍ଯ୍ୟରତ ଲୋକଙ୍କ ସଂଖ୍ୟା ଆଶାତୀତ ଭାବେ ହ୍ରାସ ପାଇଛି । ଭାରତୀୟ ଅର୍ଥନୀତିର ମନିଟରିଂ କେନ୍ଦ୍ରର ରିପୋର୍ଟ ଅନୁଯାୟୀ,  ଜୁଲାଇରେ ୩୯୯.୩୮ ମିଲିୟନ ଲୋକ କାମ କରୁଥିବା ବେଳେ ଅଗଷ୍ଟରେ ଏହି ସଂଖ୍ୟା ହ୍ରାସ ପାଇ ୩୯୭.୩୮ରେ ପହଞ୍ଚିଛି। କେବଳ ଗୋଟିଏ ମାସରେ ଭାରତର ଗ୍ରାମାଞ୍ଚଳରେ ପ୍ରାୟ ୧୩ ଲକ୍ଷ ଲୋକ ଚାକିରୀ ହରାଇଛନ୍ତି । 

CMIE ରିପୋର୍ଟ କହୁଛି ଜାତୀୟ ବେକାରୀ ହାର ୬.୯୫ ପ୍ରତିଶତରୁ ୮.୩୨ ପ୍ରତିଶତକୁ ବୃଦ୍ଧି ପାଇଛି । ସଦ୍ଯ ଆକଳନ ତଥ୍ୟ ଅନୁସାରେ ଜୁଲାଇରେ ୮.୩ ପ୍ରତିଶତ, ଜୁନରେ ୧୦.୦୭ ପ୍ରତିଶତ, ମେ ରେ ୧୪.୭୩ ପ୍ରତିଶତ ଏବଂ ଏପ୍ରିଲରେ ୯.୭୮ ପ୍ରତିଶତ ଥିଲା ବେକାରୀ ହାର । ତେବେ କରୋନାର ଦ୍ୱିତୀୟ ଲହରୀ ଆସିବା ପୂର୍ବରୁ ମାର୍ଚ୍ଚ ମାସରେ ଦେଶରେ ସହରୀ ବେକାରୀ ହାର ପ୍ରାୟ ୭.୨୭ ପ୍ରତିଶତ ଥିଲା। ଜାତୀୟ ବେକାରୀ ହାର ଆକଳନରୁ ସ୍ପଷ୍ଟ ଜଣାପଡ଼ୁଛି ଅଗଷ୍ଟରେ ନିଯୁକ୍ତି ହାରରେ ହ୍ରାସ ଘଟିଛି । ତେବେ ଏହି ମାସରେ କର୍ମଚାରୀଙ୍କ ଭାଗିଦାରୀ ହାରରେ ସାମାନ୍ୟ ବୃଦ୍ଧି ଘଟିଛି । CMIE ରିପୋର୍ଟ ଅନୁଯାୟୀ, ଜୁଲାଇରେ ପ୍ରାୟ ୩୦ ମିଲିୟନ୍ ଲୋକ କାମ ଖୋଜୁଥିବାବେଳେ ଅଗଷ୍ଟରେ ୩୬ ମିଲିୟନ ଲୋକ କାମ ଖୋଜୁଛନ୍ତି ।

ଦେଶରେ ବେକାରୀ ବୃଦ୍ଧି ଯୋଗୁଁ ବିରୋଧୀ ମୋଦି ସରକାରଙ୍କୁ ଟାର୍ଗେଟ କରୁଛନ୍ତି। ସରକାର 2021-22 ଆର୍ଥିକ ବର୍ଷର ପ୍ରଥମ ତ୍ରୟ ମାସରେ ଜିଡିପିରେ 20.1 ପ୍ରତିଶତ ବୃଦ୍ଧି ଘଟିଥିବାର ରିପୋର୍ଟ କରିଥିବା ବେଳେ ବିଜେପି ସାଂସଦ ସୁବ୍ରମଣ୍ୟମ ସ୍ବାମୀ କହିଛନ୍ତି ଯେ ଅଗଷ୍ଟ ମାସରେ ଉଭୟ ଆନୁଷ୍ଠାନିକ ତଥା ଅଣସଙ୍ଗଠିତ କ୍ଷେତ୍ରରେ 1.5 ମିଲିୟନରୁ ଅଧିକ ଲୋକ ଚାକିରୀ ହରାଇଛନ୍ତି।  ସ୍ଵାମୀଙ୍କ ଏହି ଟ୍ୱିଟରେ ଜଣେ ୟୁଜର ଲେଖିଛନ୍ତି, ” ଯେତେବେଳେ ଜଣେ ବ୍ୟକ୍ତି 18-18 ଘଣ୍ଟା କାମ କରେ ସେତେବେଳେ ଏହା ହିଁ ହୁଏ  ୱା ମୋଦୀଜି ୱା ! “

Related Posts