(ସତ୍ୟପାଠ ବ୍ୟୁରୋ) ଭୁବନେଶ୍ୱର : ରାଜ୍ୟରେ ସବୁଠାରୁ ଅଧିକ ଭାଗଚାଷୀ ପରିବାର ଗଞ୍ଜାମ ଜିଲ୍ଲାରେ ରହିଛନ୍ତି । ଗଞ୍ଜାମରେ ୧୧,୫୩୧ ଭାଗଚାଷୀ ପରିବାର ରହିଥିବାବେଳେ କଟକ ଜିଲ୍ଲାରେ ଦ୍ୱିତୀୟ ସର୍ବାଧିକ ୩୮୪୦ ପରିବାର ଅଛନ୍ତି । ଏ ସମ୍ପର୍କରେ ବିଧାନସଭାରେ ସୂଚନା ଦେଇଛନ୍ତି ରାଜ୍ୟ କୃଷି ଓ କୃଷକ କଲ୍ୟାଣ ମନ୍ତ୍ରୀ ଅରୁଣ କୁମାର ସାହୁ। ଖଣ୍ଡପଡ଼ା ବିଧାୟକ ସୌମ୍ୟ ରଞ୍ଜନ ପଟ୍ଟନାୟକଙ୍କ ଏକ ପ୍ରଶ୍ନର ଉତ୍ତରରେ ମନ୍ତ୍ରୀ ଏହି ସୂଚନା ଦେଇଛନ୍ତି । ମନ୍ତ୍ରୀ କହିଛନ୍ତି ଯେ, କାଳିଆ ଯୋଜନାରେ ମୋଟ୍ ୫୭,୬୧୪ ଭାଗଚାଷୀ ପରିବାର ସାମିଲ ଥିବାବେଳେ ଗଞ୍ଜାମରେ ଏମାନଙ୍କ ସଂଖ୍ୟା ସର୍ବାଧିକ ରହିଛି ।
ମନ୍ତ୍ରୀ ଦେଇଥିବା ସୂଚନା ମୁତାବକ, ” କଳାହାଣ୍ଡି ଜିଲ୍ଲାରେ ୩୬୬୮ ଭାଗଚାଷୀ ପରିବାର ରହିଥିବାବେଳେ ନୟାଗଡରେ ୩୪୮୧, କୋରାପୁଟରେ ୨୯୬୦, ଖୋର୍ଧାରେ ୨୭୨୩, କେନ୍ଦ୍ରାପଡାରେ ୨୬୨୮, ପୁରୀରେ ୧୯୪୦, ମାଲକାନଗିରିରେ ୧୮୩୧, ଜଗତ୍ସିଂହପୁରରେ ୧୭୯୪ ଓ ରାୟଗଡାରେ ୧୭୭୩ ଭାଗଚାଷୀ ପରିବାର ରହିଛନ୍ତି । ଦେବଗଡ଼ ଜିଲ୍ଲାରେ ସର୍ବନିମ୍ନ ୫୦ ଭାଗଚାଷୀ ପରିବାର ରହିଥିବା ଝାରସୁଗୁଡାରେ ୯୦ ପରିବାର ରହିଛନ୍ତି ।
ମନ୍ତ୍ରୀ ତାଙ୍କ ଉତ୍ତରରେ କହିଛନ୍ତି ଯେ କାଳିଆ ଯୋଜନାରେ ବର୍ତ୍ତମାନ ସୁଦ୍ଧା ମୋଟ୍ ୩୬,୯୮,୦୧୮ ଜଣ କ୍ଷୁଦ୍ର ଓ ନାମମାତ୍ର ଚାଷୀ ଏବଂ ୧୭,୮୯,୧୦୩ ଜଣ ଭୂମିହୀନ ଚାଷୀ ପରିବାରକୁ ସହାୟତା ରାଶି ପ୍ରଦାନ କରାଯାଇଛି । ଏହି ଯୋଗ୍ୟ ହିତାଧିକାରୀମାନଙ୍କ ମଧ୍ୟରେ ୫୭,୬୧୪ ଭାଗଚାଷୀ ପରିବାର ଅଛନ୍ତି ।
ବିଜେପି ବିଧାୟକ ମୋହନ ଚରଣ ମାଝି କାଳିଆ ଯୋଜନା ସଂକ୍ରାନ୍ତରେ ଆଉ ଏକ ପ୍ରଶ୍ନ ପଚାରିଥିଲେ। ଏହାର ଉତ୍ତରରେ କୃଷିମନ୍ତ୍ରୀ କହିଛନ୍ତି ଯେ କାଳିଆ ଯୋଜନାରେ ବର୍ତ୍ତମାନ ସୁଦ୍ଧା ୩ଟି କାର୍ଯ୍ୟକ୍ରମ ଗ୍ରହଣ କରାଯାଇଛି । ଏଗୁଡିକ ମଧ୍ୟରେ ଚାଷ ପାଇଁ ଚାଷୀଙ୍କୁ ସହାୟତା, ଭୂମିହୀନ କୃଷି ପରିବାରକୁ ଜୀବନ ଜୀବିକା ସହାୟତା ଓ କାଳିଆ ଛାତ୍ରବୃତ୍ତି ପ୍ରଦାନ ଦିଆଯାଉଥିବା ସେ କହିଛନ୍ତି।
କାଳିଆ ଛାତ୍ରବୃତ୍ତି ଯୋଜନା ମାଧ୍ୟମରେ ସମସ୍ତ ଅର୍ଥ ରାଜ୍ୟ ସରକାର କାଳିଆ ଯୋଜନା ମାଧ୍ୟମରେ ବହନ କରିବେ ଏବଂ ଛାତ୍ରଛାତ୍ରୀମାନଙ୍କ ପାଇଁ ଆବଶ୍ୟକ ପଡୁଥିବା ପାଠ୍ୟକ୍ରମ ଫି, ହଷ୍ଟେଲ ଫି ତଥା ମେସ୍ ଖର୍ଚ୍ଚ ଇତ୍ୟାଦି ରାଜ୍ୟ ସରକାର ବହନ କରିବେ । କାଳିଆ ଛାତ୍ରବୃତ୍ତି ଯୋଜନା ଚଳିତ ଆର୍ଥିକ ବର୍ଷରୁ ଲାଗୁ ହୋଇଛି ।
କେବଳ କାଳିଆ ଯୋଜନାରେ ଅର୍ନ୍ତଭୁକ୍ତ ହୋଇଥିବା କ୍ଷୁଦ୍ର, ନାମମାତ୍ର ଚାଷୀ, ଭାଗଚାଷୀ ଓ ଭୂମିହୀନ କୃଷି ପରିବାରଙ୍କ ସନ୍ତାନ ଏଥିରେ ସାମିଲ ହୋଇପାରିବେ । ତେବେ ପ୍ରତ୍ୟେକ ଚାଷୀ ଓ ଭୂମିହୀନ କୃଷି ଶ୍ରମିକଙ୍କୁ ଜୀବନବୀମା ଓ ଦୁର୍ଘଟଣା ଜନିତ ବୀମା ସୁବିଧା ଯୋଗାଇ ଦିଆଯିବା ନେଇ ସରକାରୀ ସ୍ତରରେ କୌଣସି ନିଷ୍ପତ୍ତି ହୋଇନଥିବା ମନ୍ତ୍ରୀ ତାଙ୍କ ଉତ୍ତରରେ କହିଛନ୍ତି ।