ମରୁଡ଼ି ପ୍ରସଙ୍ଗରେ ବିଧାନସଭାରେ ଗର୍ଜିଲା କଂଗ୍ରେସ : କୃଷିମନ୍ତ୍ରୀ କହିଲେ – ” ମରୁଡ଼ି ମନୁଷ୍ୟକୃତ ନୁହେଁ ” , ସ୍ୱତନ୍ତ୍ର ପ୍ୟାକେଜ ଦାବି କଲା ବିଜେପି

(ସତ୍ୟପାଠ ବ୍ୟୁରୋ) ଭୁବନେଶ୍ୱର : ସେପ୍ଟେମ୍ବର ପହିଲା ଅର୍ଥାତ୍ ଆଜି ଠାରୁ ଆରମ୍ଭ ହୋଇଛି ବିଧାନସଭାର ମୌସୁମୀ ଅଧିବେଶନ । ତେବେ ଅଧିବେଶନ ଆରମ୍ଭରୁ ହିଁ କଂଗ୍ରେସ ପକ୍ଷରୁ ମରୁଡି ପ୍ରସଙ୍ଗରେ ହଟ୍ଟଗୋଳ ହୋଇଥିଲା। ବିରୋଧୀଙ୍କ ହୋହଲ୍ଲା ଯୋଗୁଁ ୧୨.୩୪ ପର୍ଯ୍ୟନ୍ତ ଗୃହ ମୁଲତବି ରହିଥିଲା। ୧୨.୩୪ ପରେ ପୁଣି ଗୃହ କାର୍ଯ୍ୟ ପୁଣି ଥରେ ସ୍ବାଭାବିକ ସ୍ଥିତିକୁ ଫେରିଥିଲା । ସୂଚନାଯୋଗ୍ୟ ଯେ, ଆଜି ଗୃହ କାର୍ଯ୍ୟ ଆରମ୍ଭ ହେବା ପରେ ରାଜ୍ୟରେ ମରୁଡ଼ି ପରିସ୍ଥିତି ନେଇ ବିରୋଧୀଙ୍କ ପକ୍ଷରୁ ଆଗତ ମୁଲତବି ପ୍ରସ୍ତାଵ ଆଲୋଚନା ହେବା ପୂର୍ବରୁ କୃଷିମନ୍ତ୍ରୀ ଅରୁଣ ସାହୁ ଏ ବାବଦରେ ଉତ୍ତର ରଖିଛନ୍ତି ।

କୃଷିମନ୍ତ୍ରୀ ଅରୁଣ ସାହୁଙ୍କ ସୂଚନା ମୁତାବକ , ଗତ ୨୦ବର୍ଷ ଭିତରେ ରାଜ୍ୟରେ ୮ଥର ମରୁଡ଼ି ହୋଇଛି । ଚଳିତ ବର୍ଷାଋତୁରେ ଅଗଷ୍ଟ ୨୮ତାରିଖ ସୁଦ୍ଧା ୨୩ଟି ଜିଲ୍ଲାରେ ନିଅଣ୍ଟିଆ ବର୍ଷା ହୋଇଛି ଏବଂ କମ୍ ବର୍ଷା ଯୋଗୁଁ ୧୪ ଜିଲ୍ଲାର ୪୭ଟି ବ୍ଲକରେ ଫସଲ ଗୁରୁତର ପ୍ରଭାବିତ ହୋଇଥିବା ନେଇ ମନ୍ତ୍ରୀ କହିଛନ୍ତି । ତେବେ ମରୁଡ଼ି ସ୍ଥିତିକୁ ନଜରରେ ରଖି ଏବେ ସେହି ଅଞ୍ଚଳ ଗୁଡ଼ିକରେ କଣ୍ଟିଜେନସି କ୍ରପ ପ୍ଲାନ ପ୍ରସ୍ତୁତ କରାଯାଉଥିବା  ମନ୍ତ୍ରୀ ସୂଚନା ଦେଇଛନ୍ତି । ମନ୍ତ୍ରୀଙ୍କ ସୂଚନା ମୁତାବକ, ରାୟଗଡ଼ା ଓ ଗଜପତି ଜିଲ୍ଲାରେ ମରୁଡ଼ିସ୍ଥିତିରେ ଏବେ ସୁଧାର ଆସିଛି । ଏବଂ ଯେଉଁ ଜିଲ୍ଲା ଗୁଡ଼ିକରେ ବର୍ଷାର ପରିମାଣ କମ୍ ରହିଛି ସେଠାରେ ପମ୍ପସେଟ ଯୋଗାଇ ଦେବାକୁ ନିର୍ଦ୍ଦେଶ ଦିଆଯାଇଥିବା ସେ କହିଛନ୍ତି। 

ଏତଦ୍ ବ୍ୟତୀତ ମନ୍ତ୍ରୀ ଆହୁରି ମଧ୍ୟ କହିଛନ୍ତି ଯେ, ଉଠା ଜଳସେଚନ ଓ କେନାଲ ପାଣିକୁ ୭ଦିନ ଭିତରେ ପ୍ରସ୍ତୁତ କରିବା ପାଇଁ କୁହାଯାଇଛି । ଏହା ଉପରେ ନଜର ରଖିବା ପାଇଁ ଜିଲ୍ଲାପାଳମାନଙ୍କୁ ମଧ୍ୟ ନିର୍ଦ୍ଦେଶ ଦିଆଯାଇଛି।

ଅପରପକ୍ଷରେ ମୁଲତବି ପ୍ରସ୍ତାଵ ଆଲୋଚନାରେ ଭାଗ ନେଇ ବିଜେପି ବିଧାୟକ ମୋହନ ମାଝୀ କହିଛନ୍ତି ଯେ, ମନ୍ତ୍ରୀଙ୍କ ଉତ୍ତର ଚିରାଚରିତ ଓ ଦୁର୍ଭାଗ୍ୟଜନକ । ମରୁଡ଼ି ପାଇଁ ପ୍ରକୃତିକୁ ଦୋଷ ଦେଲେ ଚଳିବ ନାହିଁ , ମରୁଡ଼ି ମୁକାବିଲା ପାଇଁ ରାଜ୍ୟ ସରକାରଙ୍କ ପକ୍ଷରୁ କିଛି ପଦକ୍ଷେପ ନିଆଯାଇ ନଥିବା ସେ କହିଛନ୍ତି। ଉଠା ଜଳସେଚନ କାର୍ଯ୍ୟକ୍ଷମ ହୋଇନାହିଁ, ଜଳାଶୟଗୁଡିକ ଶୁଖିଲା ହୋଇ ପଡ଼ିଛି । ସରକାର ଜଳସେଚନ କରିବାରେ ଫେଲ ମାରିଛନ୍ତି ।

ସେ ଆହୁରି ମଧ୍ୟ କହିଛନ୍ତି ଯେ, ଭାରତୀୟ ଜନତା ପାର୍ଟି ପକ୍ଷରୁ ୪ଟିମ ଗ୍ରାଉଣ୍ଡକୁ ଯାଇ ସ୍ଥିତି ସମୀକ୍ଷା କରି ଆସିଛି । ରାଜ୍ୟରେ ଭୟଙ୍କର ମରୁଡ଼ିସ୍ଥିତି ସୃଷ୍ଟି ହୋଇଥିବା ଆମେ ଦେଖିବାକୁ ପାଇଛୁ ବୋଲି ସେ କହିଛନ୍ତି । କେତେଟା ବ୍ଲକରେ ୩୫ପ୍ରତିଶତ ଜଳସେଚନ ହୋଇଛି ତାହାର ହିସାବ ମାଗିଛି ବିଜେପି । ସମଗ୍ର ରାଜ୍ୟରେ ଭୟଙ୍କର ପରିସ୍ଥିତି ସୃଷ୍ଟି ହୋଇ ସାରିଲାଣି । ତେଣୁ ମରୁଡ଼ି ଘୋଷଣା କରାଯାଇ ଏଥିପାଇଁ ଚାଷୀଙ୍କ ଲାଗି ତୁରନ୍ତ ସରକାର ପ୍ୟାକେଜ ଘୋଷଣା କରନ୍ତୁ ବୋଲି କହିବା ସହ ରାଜ୍ୟରେ ନଦୀ ଜଳ ସଂରକ୍ଷଣ ପାଇଁ ରାଜ୍ୟ ସରକାର ଟ୍ୟାକ୍ସ ଫୋର୍ସ ଗଠନ କରିବାକୁ ଦାବି କରିଛନ୍ତି ମୋହନ ମାଝୀ ।

Related Posts