(ସତ୍ୟପାଠ ବ୍ୟୁରୋ) ଭୁବନେଶ୍ୱର : କରୋନା ମହାମାରୀକୁ ନେଇ ଆସିଲା ସେପ୍ଟେମ୍ବର ମାସର ଗାଇଡ୍ଲାଇନ୍। ଏ ସମ୍ପର୍କରେ ଆଜି ଘୋଷଣା କରିଛନ୍ତି ସ୍ୱତନ୍ତ୍ର ରିଲିଫ୍ କମିଶନର । ଏହି ନୂଆ ଗାଇଡଲାଇନ ଅକ୍ଟୋବର ୧ ପର୍ଯ୍ୟନ୍ତ ବଳବତ୍ତର ରହିବ । ନୂଆ ଗାଇଡଲାଇନରେ ସାରା ରାଜ୍ୟରୁ ସପ୍ତାହାନ୍ତ ସଟଡାଉନ ହଟାଇ ଦିଆଯାଇଛି। କିନ୍ତୁ , ସମସ୍ତ ପୌରାଞ୍ଚଳରେ ନାଇଟ କର୍ଫ୍ୟୁ ଲାଗୁ ରହିବ ବୋଲି ଏସ୍ଆରସି ସୂଚନା ଦେଇଛନ୍ତି ।
ରାତି ୧୦ରୁ ସକାଳ ୫ଟା ଯାଏ ସବୁ ପୌରାଞ୍ଚଳରେ ନାଇଟ କର୍ଫ୍ୟୁ ମଧ୍ୟ ବଳବତ୍ତର ରହିବ । ଏହା ବ୍ୟତୀତ ସାରା ରାଜ୍ୟରେ ଏଣିକି ସକାଳ ୫ଟାରୁ ରାତି ୧୦ଟା ଯାଏ ଦୋକାନ ବଜାର ଖୋଲା ରହିବ । ତେବେ ଧାର୍ମିକ, ରାଜନୈତିକ, ସମାଜିକ ସମାବେଶରେ କଟକଣା ବଳବତ୍ତର ରହିବ ବୋଲି କୁହାଯାଇଛି। ମେଳା ମହୋତ୍ସବ, ପ୍ରଦର୍ଶନୀ ଉପରେ ବାରଣ ଜାରି ରହିବ ବୋଲି ଏସ୍ଆରସି କହିଛନ୍ତି।
ଏହା ବ୍ୟତୀତ ପ୍ରେକ୍ଷାଳୟ, ଅଡିଟୋରିୟମରେ ଗାଇଡଲାଇନ ମାନି ମିଟିଂ ହୋଇପାରିବ ବୋଲି ନୂଆ ଏସ୍ଆରସି ସୂଚନା ଦେଇଛନ୍ତି। ସେହିପରି ବିବାହ କାର୍ଯ୍ୟରେ ପରିବାର, ପୁରୋହିତ, ବ୍ୟାଣ୍ଡ ପାର୍ଟି ସମସ୍ତଙ୍କୁ ମିଶାଇ ୨୫୦ ଜଣ ଉପସ୍ଥିତ ରହିପାରିବେ । ସର୍ବାଧିକ ୫୦ ଜଣ ସହ ବିବାହ ଶୋଭାଯାତ୍ରାକୁ ମଧ୍ୟ ଅନୁମତି ଦିଆଯାଇଛି। ସ୍ଥାନୀୟ ପ୍ରାଧିକୃତ ଅଧିକାରୀଙ୍କ ଠାରୁ ଲିଖିତ ଅନୁମତି ନେଇ ବିବାହ ଶୋଭାଯାତ୍ରା ହୋଇପାରିବ।
ଏହା ସହିତ ସୁଦ୍ଧିକ୍ରିୟାରେ ମଧ୍ୟ ୨୫୦ ଜଣ ରହିବା ନେଇ ଗାଇଡଲାଇନ୍ ଜାରି କରିଛନ୍ତି ଏସ୍ଆର୍ସି ପ୍ରଦୀପ ଜେନା । ସମସ୍ତ ମ୍ୟୁଜିୟମ, ପାଠାଗାର କୋଭିଡ଼ ନିୟମ ମାନି ଖୋଲିପାରିବ। ତେବେ ଯଦି କୌଣସି ଅଞ୍ଚଳରେ ସଂକ୍ରମଣ ବୃଦ୍ଧିପାଏ ତେବେ ସ୍ଥାନୀୟ ପ୍ରଶାସନ ଚାହିଁଲେ ସାନି କଟକଣା ଲାଗୁ କରିପାରିବେ ।