(ସତ୍ୟପାଠ ବ୍ୟୁରୋ) ଭୁବନେଶ୍ୱର : କଟକ ଏସସିବିରେ ପ୍ରତିଷ୍ଠା ହୋଇଛି ସରକାରୀ ବ୍ୟବସ୍ଥାରେ ପୂର୍ବ ଭାରତର ସବୁଠାରୁ ବଡ ଏକ୍ମୋ ୟୁନିଟ୍। ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ନିଜେ ଏହି ସେବାର ଉଦଘାଟନ କରିଛନ୍ତି। ଏଭଳି ଏକ ବ୍ୟୟବହୁଳ ଚିକିତ୍ସାକୁ ମାଗଣାରେ ଯୋଗାଇବାରେ ଓଡିଶା ହେଉଛି ଦେଶରେ ପ୍ରଥମ ରାଜ୍ୟ। ଏଭଳି ଏକ ବ୍ୟବସ୍ଥା ସମସ୍ତଙ୍କୁ ଆଶ୍ବସ୍ତି କରିଛି। କିନ୍ତୁ ଗୁରୁତ୍ବପୂର୍ଣ୍ଣ କଥା ହେଉଛି ୟୁନିଟରେ ବର୍ତ୍ତମାନ ୯ଟି ଏକ୍ମୋ ମେସିନ୍ ରହିଥିବା ବେଳେ ଏହାକୁ ଗୋଟିଏ ସମୟରେ ସଂପୂର୍ଣ୍ଣ ଭାବେ କାର୍ଯ୍ୟକ୍ଷମ କରାଯିବା ପାଇଁ ଆବଶ୍ୟକ ଡାକ୍ତର, କର୍ମଚାରୀ କିନ୍ତୁ ଉପଲବ୍ଧ ନାହାନ୍ତି।
ଏସିସିବିରେ ଥିବା ଏହି ୯ଟି ମେସିନରେ ୯ ଜଣ ରୋଗୀଙ୍କୁ ଏକା ସମୟରେ ଚିକିତ୍ସା ଯୋଗାଇ ଦେବା ପାଇଁ ଆବଶ୍ୟକ ଡାକ୍ତର, କର୍ମଚାରୀ, ତଥା ପାରାମେଡିକାଲ କର୍ମଚାରୀ ଉପଲବ୍ଧ ନାହାନ୍ତି। ବର୍ତ୍ତମାନ ସୁଦ୍ଧା ଫିଜିଓଥେରାପିଷ୍ଟ ବି ନିଯୁକ୍ତି ପାଇ ନାହାନ୍ତି। ୯ଟି ଏକ୍ମୋ ଯଦି ଗୋଟିଏ ଦିନ ଏକ ସମୟରେ କାର୍ଯ୍ୟକ୍ଷମ ହୁଏ ତେବେ ତା ପାଇଁ ୫୭ଜଣ ଡାକ୍ତର-କର୍ମଚାରୀ ଆବଶ୍ୟକ। କିନ୍ତୁ ବର୍ତ୍ତମାନ ଏସ୍ସିବିରେ ୩୩ଜଣ କର୍ମଚାରୀଙ୍କୁ ସରକାର ନିଯୁକ୍ତ କରିଛନ୍ତି। ସେଥିରୁ ମାତ୍ର ୧୯ଜଣ ତାଲିମ ପ୍ରାପ୍ତ।
ଅନ୍ୟପକ୍ଷରେ କେଉଁ ରୋଗୀଙ୍କୁ ଏକ୍ମୋ ଚିକିତ୍ସା ଦରକାର , ତାହାର ଯାଂଚ ପାଇଁ ଏସ୍ସିବିର ବିଶେଷଜ୍ଞ ଟିମ୍ ସଂପୃକ୍ତ ହସ୍ପିଟାଲକୁ ଯିବେ। ସେଥିରୁ ଯାଂଚ ପରେ ଏସ୍ଓପି ପାଳନ କରି ରୋଗୀଙ୍କୁ ଏକ୍ମୋ ଚିକିତ୍ସା ପାଇଁ କଟକ ଏସସିବିର କାର୍ଡିଓଥୋରାସିସ ୱାର୍ଡକୁ ଅଣାଯିବ। ଯଦି ବିଶେଷଜ୍ଞ ଯାଂଚ ପାଇଁ ଯିବେ ସେହି ସମୟରେ ଏସସିବିରେ ଚିକିତ୍ସା ଯୋଗାଇ ଦେବାକୁ ଡାକ୍ତର, କର୍ମଚାରୀ ଅଭାବ ପଡିବେ।
ସୂଚନାଯୋଗ୍ୟ ଯେ, ବର୍ତ୍ତମାନ ଏସସିବି ଏକମୋ ୟୁନିଟରେ କଟକ ନିଶ୍ଚିନ୍ତକୋଇଲି ବ୍ଲକ ବଡକ୍ଷୀର ଗ୍ରାମର ଅନ୍ନପୂର୍ଣ୍ଣା ନାୟକ ଓ ବଲାଙ୍ଗୀରର ଜ୍ୟୋତିର୍ମୟୀ ପଣ୍ଡା ଚିକିତ୍ସିତ ହେଉଛନ୍ତି। କିନ୍ତୁ ଡାକ୍ତର-କର୍ମଚାରୀ ଅଭାବ ଯୋଗୁଁ ଅନେକ ଚିକିତ୍ସା ଆବଶ୍ୟକ କରୁଥିବା ରୋଗୀଙ୍କୁ ହଠାତ ଭର୍ତ୍ତି କରାଯାଇ ପାରୁନାହିଁ।
ତେବେ ନିୟମ ମୁତାବକ ୪ଟି ଏକ୍ମୋ ୟୁନିଟ୍ ପାଇଁ ପ୍ରତି ୮ ଘଣ୍ଟା ସିଫ୍ଟ ଅନୁସାରେ ଡ୍ୟୁଟି ରୋଟେସନ୍ ହେବା କଥା । ଏବଂ ପ୍ରତି ସିଫ୍ଟରେ ଜଣେ ପରଫ୍ୟୁଜିନିଷ୍ଟ, ୪ ଜଣ ଷ୍ଟାଫ୍ ନର୍ସ, ଜଣେ ନିଶ୍ଚେତକ ଡାକ୍ତର, ଜଣେ କାର୍ଡିଆକ୍ ସର୍ଜନ୍, ଜଣେ ଇସିଜି ଟେକ୍ନିସିଆନ୍, ଜଣେ ଫିଜିଓଥେରାପିଷ୍ଟ ରହିବା କଥା। ଏହିପରି ଭାବେ ୯ଟି ଏକ୍ମୋ କାର୍ଯ୍ୟକ୍ଷମ ପାଇଁ ଦିନକୁ ୧୨ ଜଣ ପରଫ୍ୟୁଜିନିଷ୍ଟ ଆବଶ୍ୟକ ଥିବାବେଳେ ଏବେ ଅଛନ୍ତି ମାତ୍ର ୮ଜଣ। ନିଶ୍ଚେତକ ବିଭାଗର ୮ ଡାକ୍ତର ଆବଶ୍ୟକ ଥିବା ବେଳେ ଅଛନ୍ତି ମାତ୍ର ୪ଜଣ। ସେହିପରି କାର୍ଡିଆକ୍ ସର୍ଜନ୍ ୫ ଜଣ ଆବଶ୍ୟକ ଥିବା ବେଳେ ଅଛନ୍ତି ୩ଜଣ। ସେଥିରୁ ବିଭାଗୀୟ ମୁଖ୍ୟ ଯିଏ ଅଛନ୍ତି ସେ ଯଦି କେବଳ ଏକ୍ମୋ ପାଇଁ ବ୍ୟସ୍ତ ରହିବେ ତାହେଲେ ଏପଟେ ଓପନ୍ ହାର୍ଟ ସର୍ଜରିଠାରୁ ଆରମ୍ଭ କରି ଅନ୍ୟ ଅସ୍ତ୍ରୋପଚାର ବାଧାପ୍ରାପ୍ତ ହେବ।
ଆଉ ଏକ ଗୁରୁତ୍ବପୂର୍ଣ୍ଣ କଥା ହେଉଛି ୨୮ ଜଣ ଷ୍ଟାଫ୍ ନର୍ସ ଆବଶ୍ୟକ ପଡୁଥିବାବେଳେ ଅଛନ୍ତି ୧୬ଜଣ। ଇସିଜି ଟେକ୍ନିସିଆନ୍ ୨ ଜଣଙ୍କର ଆବଶ୍ୟକତା ଥିବା ବେଳେ ଅଛନ୍ତି ମାତ୍ର ଦୁଇ ଜଣ । ଅନ୍ୟ ପକ୍ଷରେ ଜଣେ ବି ଫିଜିଓଥେରାପିଷ୍ଟ ନିଯୁକ୍ତି ହୋଇନାହାନ୍ତି। ସେହିପରି ଏସ୍ସିବିରେ ଏକ୍ମୋ ଚିକିତ୍ସା ପାଇଁ ଦୁଇଟି ପର୍ଯ୍ୟାୟରେ ୧୯ଜଣ ଡାକ୍ତର ଓ ପରାମେଡ଼ିକାଲ କର୍ମଚାରୀ ତାଲିମ ନେଇ କୋଲକାତାରୁ ଫେରିଛନ୍ତି। ତାଲିମପ୍ରାପ୍ତ ସ୍ବାସ୍ଥ୍ୟସେବୀଙ୍କ ମଧ୍ୟରେ ଅଛନ୍ତି ୫ଜଣ ଡାକ୍ତର, ୬ ଜଣ ପରଫ୍ୟୁଜିନିଷ୍ଟ ଓ ୮ଜଣ ଷ୍ଟାଫ୍ ନର୍ସ। ସ୍ବାସ୍ଥ୍ୟ ବିଭାଗର ଜଣେ ବରିଷ୍ଠ ଅଧିକାରୀଙ୍କ କହିବା ଅନୁଯାୟୀ ଏବେ ପ୍ରକ୍ରିୟା ଆରମ୍ଭ ହୋଇଛି। ତେବେ ସରକାର କହିଛନ୍ତି ଖୁବ୍ଶୀଘ୍ର ସମସ୍ତ ଭିତ୍ତିଭୂମି ଉପଲବ୍ଧ ହେବ। ଏସ୍ସିବି ଏକ୍ମୋ ହବ୍କୁ ଶ୍ରେଷ୍ଠ ଏକ୍ମୋ ୟୁନିଟ୍ ଭାବେ ଗଢି ତୋଳିବା ଯୋଜନା ସରକାର ରଖିଛନ୍ତି। କିନ୍ତୁ ଯଦି ଭିତ୍ତିଭୂମିର ଆବଶ୍ୟକତା ତୁରନ୍ତ ପୂରଣ କରା ନଯାଏ ତେବେ ସବୁ କିଛି ପୁଣି କେବଳ ଯୋଜନାରେ ସୀମିତ ରହିଯିବାର ଆଶଙ୍କା ସୃଷ୍ଟି ହୋଇଛି।