(ସତ୍ୟପାଠ ବ୍ୟୁରୋ) ଭୁବନେଶ୍ୱର : ଓପିଜିସି କୋଇଲା ଖଣି ପ୍ରକଳ୍ପ ରେଳ କରିଡର ଉଦଘାଟନୀ ସଭାରେ ବିଜେଡି-ବିଜେପି କର୍ମୀ ଆଜି ମୁହାଁମୁହିଁ ହୋଇଛନ୍ତି। ସୋମବାର ହେମଗିର ବ୍ଲକ ମନୋହରପୁରସ୍ଥିତ ଓପିଜିସି କୋଇଲା ଖଣି ପ୍ରକଳ୍ପ ରେଳ କରିଡର ଉଦଘାଟନୀ ସଭାରେ ଶକ୍ତିମନ୍ତ୍ରୀ ଦିବ୍ୟଶଙ୍କର ମିଶ୍ରଙ୍କ ଉପସ୍ଥିତିରେ ବିଜେଡି-ବିଜେପି କାର୍ଯ୍ୟକର୍ତ୍ତା ମାନଙ୍କ ମଧ୍ୟରେ ଧସ୍ତାଧସ୍ତି ହୋଇଛି। ଏହି ଉଦଘାଟନ ସଭାରେ ସୁନ୍ଦରଗଡ଼ ସାଂସଦ ଜୁଏଲ ଓରାମ, ବରଗଡ଼ ସାଂସଦ ସୁରେଶ ପୁଜାରୀ, ସୁନ୍ଦରଗଡ଼ ଵିଧାୟକ କୁସୁମ ଟେଟେ, ତଳସରା ବିଧାୟକ ଭବାନୀଶଙ୍କର ଭୋଇ ଉପସ୍ଥିତ ଥିଲେ।
ଏହି ଉଦଘାଟନୀ ସଭାରେ ଶକ୍ତି ମନ୍ତ୍ରୀ ଦିବ୍ୟଶଙ୍କର ମିଶ୍ରଙ୍କ ଭାଷଣ ପରେ ଵିଧାୟିକା କୁସୁମ ଟେଟେ ଭାଷଣ ଦେଇ ଵିସ୍ଥାପିତ ଅଞ୍ଚଳ ପ୍ରତି ରାଜ୍ୟ ସରକାରଙ୍କ ଅଵହେଳା କଥା ଉଠାଇଥିଲେ। ଲୋକେ ଭିଟାମାଟି, ଜମି ହରାଉଥିଲେ ବି ସେମାନଙ୍କୁ ନିଯୁକ୍ତି କି ଅନ୍ୟ ସୁଵିଧା, ସୁଯୋଗ ଦିଆଯାଉନଥିବା ସେ ଅଭିଯୋଗ କରିଥିଲେ। ଏହି ସମୟରେ ଵିଧାୟକଙ୍କ ସମର୍ଥକମାନେ କୁସୁମ ଟେଟେଙ୍କ ଜିନ୍ଦାବାଦ ନାରା ଦେବାରୁ ମନ୍ତ୍ରୀ ଦିବ୍ୟଶଙ୍କର ମିଶ୍ର ସଭା ମଝିରୁ ଉଠି ଚାଲି ଯାଇଥିଲେ।
ଆଉ ଏହା ପରେ କୁସୁମ ଟେଟେଙ୍କ ସମର୍ଥକ ଓ ବିଜେପି କର୍ମୀମାନେ ମନ୍ତ୍ରୀ ଗୋବ୍ୟାକ୍ ନାରା ଦେଇଥିଲେ। ବିଜେପି କର୍ମୀଙ୍କୁ କାଉଣ୍ଟର କରିବାକୁ ଯାଇ ବିଜୁ ଜନତା ଦଳ କର୍ମୀ ମାନେ ମଧ୍ୟ ଵିରୋଧ କରିଥିଲେ। ଏହା ପରେ ଦୁଇ ଦଳର କର୍ମୀମାନଙ୍କ ମଧ୍ୟରେ ଧସ୍ତାଧସ୍ତି ହୋଇଥିଲା। ସ୍ଥିତି ଏମିତି ହୋଇଥିଲା ଯେ ସଭାସ୍ଥଳରୁ ତଳକୁ ଓହ୍ଲାଇ ଆସି କୁସୁମ ଟେଟେ ବିଜେଡି ଉପରେ ନଜର ଅସନ୍ତୋଷ ପ୍ରକାଶ କରୁଥିବା ଦେଖିବାକୁ ମିଳିଥିଲା। ଏହାପରେ ଵରିଷ୍ଠ ପୁଲିସ ଅଧିକାରୀ ଉଭୟ ପକ୍ଷଙ୍କୁ ଵୁଝାସୁଝା କରିବା ପରେ ସ୍ଥିତି ନିୟନ୍ତ୍ରଣକୁ ଆସିଥିଲା।
ସୂଚନାଯୋଗ୍ୟ ଯେ, ବାର୍ଷିକ ୧୦ ହଜାର ଟନ ଉତ୍ପାଦନ ଵିଶିଷ୍ଟ ଓପିଜିସି ମନୋହରପୁର କୋଇଲା ଖଣି ପ୍ରକଳ୍ପରୁ ଝାରସୁଗୁଡ଼ା ବନହରପାଲି ଇବ୍ ତାପଜ ଵିଦ୍ୟୁତ ପ୍ରକଳ୍ପକୁ କୋଇଲା ପରିବହନର ଏମଜିଆର ଲାଇନକୁ ମୁଖ୍ୟମନ୍ତ୍ରୀ ନଵୀନ ପଟ୍ଟନାୟକ ଭର୍ଚୁଆଲ ମୋଡରେ ଲୋକାର୍ପଣ କରିଥିଲେ।