(ସତ୍ୟପାଠ ବ୍ୟୁରୋ) ଭୁବନେଶ୍ୱର : ବିରଳ ବଉଳା କୁମ୍ଭୀରଙ୍କ ଭୂସ୍ବର୍ଗ ହେଉଛି କେନ୍ଦ୍ରାପଡ଼ା ଜିଲ୍ଲାର ଭିତରକନିକା ଜାତୀୟ ଉଦ୍ୟାନ। ଏଠାରେ ଭାରତର ସବୁଠୁ ଅଧିକ ଲୁଣିପାଣି କୁମ୍ଭୀର ବା ବଉଳା କୁମ୍ଭୀର ଦେଖିବାକୁ ମିଳିଥାଏ । ଦେଶର ବିଭିନ୍ନ ସ୍ଥାନରେ ବଉଳା, ମଗର ଓ ଘଡିଆଳ କୁମ୍ଭୀର ଦେଖିବାକୁ ମିଳୁଥିଲେ ମଧ୍ୟ ଗୋଟିଏ ଅଂଚଳରେ ଏକାବେଳକେ ୩ ପ୍ରଜାତିର କୁମ୍ଭୀର ଦେଖାଯିବା ବିରଳ । ସାରା ଦେଶରେ କେନ୍ଦ୍ରାପଡ଼ା ଜିଲ୍ଲା ଏ କ୍ଷେତ୍ରରେ ଏକ ବ୍ୟତିକ୍ରମ ବୋଲି ଡିଏଫ୍ଓ ଡକ୍ଟର ଯଜ୍ଞଦତ୍ତ ପତି କହିଛନ୍ତି।
ସୂଚନାଯୋଗ୍ୟ ଯେ, ୧୯୭୦ ମସିହା ମଧ୍ୟଭାଗ୍ୟରେ କରାଯାଇଥିବା ଏକ ସର୍ଭେରେ ଭାରତରେ କୁମ୍ଭୀରମାନଙ୍କ ସଂଖ୍ୟା ନଗଣ୍ୟ ବୋଲି ଜଣାପଡ଼ିଥିଲା। ଏହାପରେ ଉଭୟ କେନ୍ଦ୍ର ଓ ରାଜ୍ୟ ସରକାର ତତ୍ପରତା ପ୍ରକାଶ କରିଥିଲେ କୁମ୍ଭୀରମାନଙ୍କର ବଂଶ ବୃଦ୍ଧି ପାଇଁ କେନ୍ଦ୍ର ସରକାର ମିଳିତ ଜାତିସଂଘର କୃଷି ଓ ଖାଦ୍ୟ ସଂସ୍ଥାର ସହାୟତାରେ ଏକ ଯୋଜନା ପ୍ରସ୍ତୁତ କରାଯାଇଥିଲା।
ଏହି ଯୋଜନା ମୁତାବକ ଆନ୍ତର୍ଜାତୀୟ ଖ୍ୟାତି ସମ୍ପନ୍ନ ସାମୁଦ୍ରିକ ପ୍ରାଣୀ ବିଶେଷଜ୍ଞ ଡକ୍ଟର ଏଚ୍.ଆର୍. ବଷ୍ଟାର୍ଡ ଓଡ଼ିଶା ସମୁଦ୍ର ଉପକୂଳ ପରିଦର୍ଶନ କରିଥିଲେ। ଏବଂ କୁମ୍ଭୀର ବଂଶବୃଦ୍ଧି ପାଇଁ କେନ୍ଦ୍ରାପଡା ଜିଲ୍ଲାର ଭିତରକନିକାକୁ ଅନୁକୂଳ ପରିବେଶ ବୋଲି ଚିହ୍ନଟ କରିଥିଲେ। ୧୯୭୫ ମସିହାରେ କେନ୍ଦ୍ରାପଡ଼ା ଜିଲ୍ଲାର ଡାଙ୍ଗମାଳଠାରେ ୧୧୫ ବର୍ଗ କିଲୋମିଟର ଅଂଚଳରେ ୫୦ ଲକ୍ଷ ବ୍ୟୟରେ ଦେଶର ପ୍ରଥମ ବଉଳା କୁମ୍ଭୀର ଗବେଷଣା ଓ ସଂରକ୍ଷଣ କେନ୍ଦ୍ର ସ୍ଥାପନା ହୋଇଥିଲା । ପ୍ରଥମେ ୩୪ଟି ପରିପକ୍ବ କୁମ୍ଭୀର ସହ ମୋଟ ୯୬ଟି କୁମ୍ଭୀରଙ୍କୁ ନେଇ ଏହି ଯୋଜନାର ଆରମ୍ଭ ହୋଇଥିଲା। ବର୍ତ୍ତମାନ ଏହି ସଂଖ୍ୟା ୧୭୬୮ରେ ପହଁଚିଛି।
ବର୍ତ୍ତମାନ କେନ୍ଦ୍ରାପଡ଼ା ଦେଶର ଏକମାତ୍ର ଜିଲ୍ଲା, ଯେଉଁଠାରେ ସମଗ୍ର ଭାରତ ବର୍ଷରେ ଦେଖାଯାଉଥିବା ସମସ୍ତ ୩ ପ୍ରଜାତିର କୁମ୍ଭୀର ବଉଳା ବା ଲୁଣିପାଣି କୁମ୍ଭୀର, ଘଡ଼ିଆଳ ବା ଥଂଟିଆ କୁମ୍ଭୀର ଓ ମଗର ପ୍ରଜାତିର କୁମ୍ଭୀର ଚିହ୍ନଟ କରାଯାଇଛି।
୨୦୧୬ ମସିହାରେ କେନ୍ଦ୍ରାପଡା ଜିଲ୍ଲାର ଲୁଣାନଦୀର ଗୋପ ନିକଟରେ ୧୪ଫୁଟ ୭ ଇଞ୍ଚର ଏକ ମଗର ଜାତିର କୁମ୍ଭୀର ଧରାଯାଇଥିଲା । ସେହିପରି ମହାକାଳପଡ଼ା ବ୍ଲକ୍ ଅମେଇପାଳ ପଂଚାୟତ ସାମଝରି ଗାଁ ନିକଟ ପାଇକା ନଦୀରୁ ଘଡ଼ିଆଳ ବା ଥଂଟିଆ କୁମ୍ଭୀର ଉଦ୍ଧାର କରାଯାଇଛି। ୨୩୦ ଗ୍ରାମ ଓଜନ ଓ ଦେଢ଼ଫୁଟ ଲମ୍ବର କୁମ୍ଭୀରକୁ ବନବିଭାଗ ଉଦ୍ଧାର କରିଛି । ସୂଚନାଯୋଗ୍ୟ ଯେ କେନ୍ଦ୍ରାପଡା ରେଞ୍ଜ୍ ଅଫିସର ଗୋବିନ୍ଦ ରଥ ଏହି କୁମ୍ଭୀରଙ୍କୁ ଉଦ୍ଧାର କରି ମହାକାଳପଡ଼ା ରେଂଜ ଅଫିସର ସାହାଜୀ ଚରଣ ବିଶ୍ବାଳଙ୍କୁ ହସ୍ତାନ୍ତର କରିଥିଲେ।
ଏହି ପ୍ରଜାତିର କୁମ୍ଭୀର ବିରଳ ହୋଇଥିବାରୁ ଏହି କୁମ୍ଭୀରକୁ ନନ୍ଦନକାନନକୁ ହସ୍ତାନ୍ତର କରାଯାଇଛି। ଏ ସମ୍ପର୍କରେ ସୂଚନା ଦେଇଛନ୍ତି ରାଜନଗର ଡିଏଫଓ ଡକ୍ଟର ଯଜ୍ଞଦତ ପତି। କୌଣସି ଜିଲ୍ଲାରେ ଦେଶରେ ଦେଖାଯାଉଥିବା ସମସ୍ତ ପ୍ରଜାତିର କୁମ୍ଭୀର ଚିହ୍ନଟ କରାଯିବାରେ କେନ୍ଦ୍ରାପଡ଼ା ପ୍ରଥମ ଜିଲ୍ଲା ବୋଲି ଡିଏଫ୍ଓ ଡକ୍ଟର ପତି କହିଛନ୍ତି।