(ସତ୍ୟପାଠ ବ୍ୟୁରୋ) ଭୁବନେଶ୍ୱର : ଓଟିଡିସି ନାଁରେ ଜଣେ ଠିକାଦାରଙ୍କୁ ୩ କୋଟି ଟଙ୍କାର ଚୂନ ଲଗାଇ ଗିରଫ ହୋଇଥିବା ଆତ୍ମଘୋଷିତ ବାବା ବିଜୟାନନ୍ଦ ଚୌଧୁରୀଙ୍କ କଳା କାରନାମାର ଗୁମର ଫିଟୁଛି। ଇଓଡବ୍ଲୁ ଠକେଇ ହୋଇଥିବା ଟଙ୍କାକୁ ନେଇ ତତ୍ପରତା ଦେଖାଇଛି। ବିଜୟାନନ୍ଦଙ୍କ ନାଁରେ ଥିବା ବ୍ୟାଙ୍କ୍ ଆକାଉଣ୍ଟ୍ ଫ୍ରିଜ୍ କରିବା ପରେ ଆହୁରି ଅନେକ ଗୁଡ଼ିଏ ଘରୋଇ ବ୍ୟାଙ୍କ୍ରେ ବାବା ଲକ୍ଷାଧିକ ଟଙ୍କା ରଖିଥିବା ଜଣାପଡ଼ିଛି। ବିଶ୍ବସ୍ତ ସୂତ୍ରରୁ ମିଳିଥିବା ସୂଚନା ଅନୁଯାୟୀ ଏକ ବ୍ୟାଙ୍କରୁ ଇଓଡବ୍ଲୁ ୧୨ଲକ୍ଷ ଟଙ୍କା ଜବତ କରିଛି । ଏକାଧିକ ଘରୋଇ ବ୍ୟାଙ୍କ୍ର ଶାଖା ପ୍ରବନ୍ଧକଙ୍କ ସମେତ କଟକ ଏସ୍ବିଆଇର ମର୍କତନଗର ଶାଖା ପ୍ରବନ୍ଧକଙ୍କୁ ଡକାଇ ଇଓଡବ୍ଲ୍ୟୁ ଆତ୍ମଘୋଷିତ ବାବାଙ୍କ ବିଷୟରେ ପଚରାଉଚରା କରୁଥିବା ସୂଚନା ମିଳିଛି।
ମିଳିଥିବା ସୂଚନା ମୁତାବକ ଏକ ଘରୋଇ ବ୍ୟାଙ୍କ୍ରେ ବିଜୟାନନ୍ଦ ନିୟମିତ ବ୍ୟବଧାନରେ ଲକ୍ଷଲକ୍ଷ ଟଙ୍କା ଜମା କରୁଥିଲେ। ଏଥିପାଇଁ ବ୍ୟାଙ୍କ୍ କର୍ତ୍ତୃପକ୍ଷ ମଧ୍ୟ ତାଙ୍କୁ ପ୍ରାଥମିକ ଦେଉଥିଲେ। ତେବେ ଆଶ୍ଚର୍ଯ୍ୟଜନକ କଥା ହେଉଛି ବାବାଙ୍କ ପାଇଁ ହିଁ ଉକ୍ତ ଘରୋଇ ବ୍ୟାଙ୍କ୍ ଚାଲୁଥିଲା ବୋଲି କୁହାଯାଉଥିଲା। ବିଜୟାନନ୍ଦ ସେହି ବ୍ୟାଙ୍କ୍ରେ ଆକାଉଣ୍ଟ୍ ଖୋଲି କେବଳ କଳା ଟଙ୍କା କାରବାର କରୁଥିଲେ ବୋଲି ଜଣାପଡିଛି । ବର୍ତ୍ତମାନ ଇଓଡବ୍ଲୁ ଏହି କଳା କାରବାରର ତଦନ୍ତ ଆରମ୍ଭ କରିଛି।
ସୂତ୍ରରୁ ମିଳିଥିବା ସୂଚନା ମୁତାବକ ବିଜୟାନନ୍ଦଙ୍କର ଏହି ଠକେଇ ରାକେଟରେ ଇଞ୍ଜିନିୟର ଆକାଶ ଚନ୍ଦନ ମହାନ୍ତିଙ୍କ ସମେତ ଓଟିଡିସିର ଜଣେ ନକଲି ପଦାଧିକାରୀ, କିରାଣି ଓ ଅନେକ ଲୋକ ସାମିଲ ଥିବା ମଧ୍ୟ ଜଣାପଡିଛି। ଆତ୍ମଘୋଷିତ ବାବାଙ୍କୁ ଓଟିଡିସିର ଜାଲ୍ ୱାର୍କ ଅର୍ଡର ଦେବାରେ ଏହି ଲୋକ ମାନଙ୍କର ପ୍ରମୁଖ ଭୂମିକା ଥିବା ସୂଚନା ମିଳିଛି। ଏହା ବ୍ୟତୀତ ଚୌଦ୍ବାରସ୍ଥିତ ଆଶ୍ରମରେ ଇଓଡବ୍ଲୁ ଚଢ଼ାଉ କରି ଅନେକ ଗୁରୁତ୍ବପୂର୍ଣ୍ଣ କାଗଜପତ୍ର ମଧ୍ୟ ଜବତ କରିଛି।
ହୋଟେଲରେ ୮୦ ଲକ୍ଷ ଖର୍ଚ୍ଚ କରି ବିବାହ କରିଥିଲେ ଚନ୍ଦନ
ଭଣ୍ଡ ବାବା ବିଜୟାନନ୍ଦଙ୍କ ସହିତ ଗିରଫ ହୋଇଥିବା ଯନ୍ତ୍ରୀ ଚନ୍ଦନ ଆକାଶ ମହାନ୍ତିଙ୍କ ବିଳାସପୂର୍ଣ୍ଣ ଜୀବନଯାପନ ସଂପର୍କରେ ଇଓଡବ୍ଲୁ ବହୁ ତଥ୍ୟ ପାଇଥିବା ଜଣାପଡ଼ିଛି। ଅସାଧୁ ମେଣ୍ଟରେ ଜଣେ ପ୍ରମୁଖ ସଦସ୍ୟ ଭାବେ କାମ କରୁଥିବା ଚନ୍ଦନ ଗତ କିଛି ମାସ ତଳେ ବିବାହ କରିଥିଲେ। ଏକ ନାମୀ ହୋଟେଲ୍ରେ ରାଜକୀୟ ଢଙ୍ଗରେ ତାଙ୍କ ବିବାହ ସଂପନ୍ନ ହୋଇଥିବା ଜଣାପଡ଼ିଛି। ଆଉ ହୋଟେଲ୍ ଖର୍ଚ୍ଚ ବାବାଦକୁ ଚନ୍ଦନ ପ୍ରାୟ ୮୦ଲକ୍ଷ ଟଙ୍କା ଖର୍ଚ୍ଚ କରିଥିବା ଜଣାପଡ଼ିଥିବା ବେଳେ ଅନ୍ୟାନ୍ୟ ଆନୁଷଙ୍ଗିକ ଖର୍ଚ୍ଚ ହିସାବ କଲେ କୋଟିଏ ପାର୍ ହେବ ବୋଲି ଇଓଡବ୍ଲୁ ଆକଳନ କରିଛି। ତେବେ ବିବାହରେ ଟଙ୍କା ଖର୍ଚ୍ଚ କରିବା ପାଇଁ ଏତେ ଟଙ୍କା ଆକାଶ କେଉଁଠୁ ଆଣିଲେ, ଟଙ୍କା ଆୟର ସୂତ୍ର କ’ଣ, ଏସବୁ ଦିଗ ଉପରେ ଖୋଳତାଡ଼ କରୁଥିବା ଜଣାପଡ଼ିଛି।
ମହିଳାଙ୍କୁ ଅସଦାଚରଣ କରୁଥିଲେ ଭଣ୍ଡ ବାବା
ତେବେ ଭଣ୍ଡ ବାବାଙ୍କ କଳା କାରନାମା କେବଳ କଳାଧନ ବ୍ଯାପାରରେ ସୀମିତ ନଥିଲା। ନିଜକୁ ସ୍ବାମୀ ବୋଲି କହି ବୁଲୁଥିବା ଏହି ଭଣ୍ଡ ମହିଳା ମାନଙ୍କୁ ଆଶୀର୍ବାଦ ଦେବା ନାଁ’ରେ ଅସଦାଚରଣ କରିଥିବା ଅଭିଯୋଗ ହୋଇଛି। ଏମିତିକି ମହିଳାମାନଙ୍କ ସମ୍ବେଦନଶୀଳ ଅଙ୍ଗକୁ ମଧ୍ୟ ଛୁଉଁଥିବାର ଦୃଶ୍ୟ ପୁଲିସ ହାତରେ ଲାଗିଛି। ଉଭୟ ନେତା ଓ ଜନତାଙ୍କୁ ଅଲୌକିକ ଶକ୍ତି ଦେଖାଇ ଏଭଳି ଭଣ୍ଡାମି ମଧ୍ୟ କରୁଥିବା ଭିଡିଓରେ ଦେଖାଯାଉଛି। ଚଳିତ ବର୍ଷ କୁମ୍ଭମେଳାରେ ‘ବାରହାତ ଖଣ୍ଡା’ ଚଳଚ୍ଚିତ୍ର କାହାଣୀର ପୂଜା ସମୟରେ ମୁଖ୍ୟ ଅତିଥି ଭାବେ ଯୋଗଦେଇ କଳାକାରଙ୍କୁ ପ୍ରୋତ୍ସାହନ ରାଶି ମଧ୍ୟ ଦେଉଥିଲେ ଏହି ଆତ୍ମଘୋଷିତ ଭଣ୍ଡ ବାବା । ସେ କିଛି ବଙ୍ଗୀୟ ଯୁବତୀଙ୍କ ସମେତ ୫ରୁ ଅଧିକ ଯୁବତୀଙ୍କୁ ଟଙ୍କା ଦେଇଥିବା ଜଣାପଡ଼ିଛି।