(ସତ୍ୟପାଠ ବ୍ୟୁରୋ) ଭୁବନେଶ୍ବର : କରୋନା ମହାମାରୀର ସମ୍ଭାବ୍ୟ ତୃତୀୟ ଲହର ଭୟଙ୍କର ରୂପ ନେଇପାରେ। ଏ ସମ୍ପର୍କରେ ବିଶେଷଜ୍ଞ ମାନେ ଚେତାବନୀ ଦେଉଥିବା ବେଳେ ଛୁଆ ମାନେ ଏହି ତୃତୀୟ ତରଙ୍ଗରେ ଅଧିକ ପ୍ରଭାବିତ ହୋଇପାରନ୍ତି ବୋଲି ଆଶଙ୍କା ପ୍ରକାଶ କରିଛନ୍ତି। ତେବେ ତୃତୀୟ ଲହରରେ ଓଡ଼ିଶାର ପ୍ରାୟ ୯୧ ହଜାର ୯୫୩ ଶିଶୁ କୋଭିଡ୍ ଆକ୍ରାନ୍ତ ହେବା ନେଇ ଆଶଙ୍କା ପ୍ରକାଶ ପାଇଛି। ସେଥି ମଧ୍ୟରୁ ୪ ହଜାର ୫୯୮ ଶିଶୁ କୋଭିଡ୍ ଆକ୍ରାନ୍ତ ହୋଇ ଗୁରୁତର ହେବାର ଆଶଙ୍କା ମଧ୍ୟ ରହିଛି । କରୋନାର ସମ୍ଭାବ୍ୟ ତୃତୀୟ ଲହରକୁ ଦୃଷ୍ଟିରେ ରଖି କେନ୍ଦ୍ର ସରକାର ରାଜ୍ୟ ସରକାରଙ୍କୁ ସତର୍କ କରାଇଛନ୍ତି।
ଅନୁମାନ ମୁତାବକ ଦ୍ୱିତୀୟ ଲହର ତୁଳନାରେ ତୃତୀୟ ଲହର ଅଧିକ ଭୟାନକ ହୋଇପାରେ। ତୃତୀୟ ଲହରୀରେ ଦ୍ବିତୀୟ ଲହର ଅପେକ୍ଷା ପ୍ରାୟ ଦେଢଗୁଣା ଅଧିକ ଦୈନିକ ସଂକ୍ରମଣ ଆସିବାର ସମ୍ଭାବନା ରହିଛି। କରୋନାର ତୃତୀୟ ଲହର ରାଜ୍ୟରେ ପିକ୍ ଛୁଇଁବା ବେଳକୁ ଦୈନିକ ସଂକ୍ରମଣ ୧୯ ହଜାର ୨୭୮ ଛୁଇଁପାରେ ବୋଲି କେନ୍ଦ୍ର ସରକାର ସତର୍କ କରାଇ ଦେଇଛନ୍ତି । ସେହିପରି ଦୈନିକ ହାରାହାରି ୧୦ ହଜାର ୨୧୭ ଆକ୍ରାନ୍ତ ଚିହ୍ନଟ ହେବାର ସମ୍ଭାବନା ରହିଛି ବୋଲି ରିପୋର୍ଟରେ କୁହାଯାଇଛି।
କେନ୍ଦ୍ର ସରକାରଙ୍କ କୋଭିଡ ଏମର୍ଜେନ୍ସି ରେସପନ୍ସ ଆଣ୍ଡ ହେଲ୍ଥ ସିଷ୍ଟମ ପ୍ରିପେୟାର୍ଡନେସ- ଇସିପିଆର ଫେଜ- ଟୁ ଏହି ସମ୍ଭାବ୍ୟ ଚିତ୍ର ନେଇ ଆକଳନ କରିଛି। ତେବେ ଏହି ତୃତୀୟ ଲହରରେ ୭୫ ଦିନ ଭିତରେ ରାଜ୍ୟରେ ମୋଟ୍ ୭ ଲକ୍ଷ ୬୬ ହଜାର ୨୭୫ କରୋନା ପଜିଟିଭ ଚିହ୍ନଟ ହୋଇ ପାରନ୍ତି ବୋଲି ଆକଳନ କରାଯାଇଛି। ତେବେ କେନ୍ଦ୍ରର ଏଭଳି ଚେତାବନୀ ପରେ ପରେ ପ୍ରସ୍ତୁତ ରହିବାକୁ ସ୍ୱାସ୍ଥ୍ୟ ବିଭାଗ ଅତିରିକ୍ତ ମୁଖ୍ୟ ଶାସନ ସଚିବ ପ୍ରଦୀପ୍ତ କୁମାର ମାହାପାତ୍ର ରାଜ୍ୟର ସମସ୍ତ ଜିଲ୍ଲାପାଲଙ୍କୁ ଚିଠି ଲେଖିଛନ୍ତି ।
କରୋନା ମହାମାରୀର ତୃତୀୟ ଲହରୀରେ ୨୩ ପ୍ରତିଶତ ଅର୍ଥାତ ୧ ଲକ୍ଷ ୭୬ ହଜାର ୨୪୩ ଜଣଙ୍କୁ ହସ୍ପିଟାଲ ଚିକିତ୍ସା ଆବଶ୍ୟକ ହେବ। ପ୍ରାୟ ୩ ପ୍ରତିଶତଙ୍କ ପାଇଁ ଆଇସିୟୁ ବେଡ ପ୍ରସ୍ତୁତ ରଖିବାକୁ ମଧ୍ୟ କୁହାଯାଇଛି। ଅର୍ଥାତ ୨୨ ହଜାର ୯୮୮ ଆଇସିୟୁ ବେଡ୍ ଏବଂ ୫ ପ୍ରତିଶତ ଅର୍ଥାତ ୩୮ ହଜାର ୩୧୪ ଜେନେରାଲ ବେଡ ଆବଶ୍ୟକ ହୋଇପାରେ ବୋଲି କୁହାଯାଇଛି।
ଉଲ୍ଲେଖଯୋଗ୍ୟ ଯେ ବର୍ତ୍ତମାନ ଓଡ଼ିଶାରେ ପ୍ରତି ଦିନ ୧୦୦ ପାଖାପାଖି ଛୁଆ ପଜିଟିଭ ଚିହ୍ନଟ ହେଉଛନ୍ତି। ଅନ୍ୟ ପକ୍ଷରେ ରାଜ୍ୟରେ ଗତ ୨୪ ଘଣ୍ଟାରେ ପୁଣି ୧୩୦ ଛୁଆ କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି। ଏହି ୧୩୦ ପଜିଟିଭଙ୍କ ମଧ୍ୟରେ ଶୂନରୁ ୧୮ ବର୍ଷ ବୟସ୍କ ରହିଛନ୍ତି। ଏପଟେ ଗତ ୨୪ ଘଣ୍ଟାରେ ରାଜ୍ୟରେ ପୁଣି ୮୪୯ କରୋନାର ମାମଲା ସାମ୍ନାକୁ ଆସିଛି। ଏଥି ମଧ୍ୟରୁ କ୍ୱାରେଣ୍ଟାଇନ୍ରୁ ୪୯୨ ଏବଂ ଲୋକାଲ କେସ୍ ୩୫୭ଟି ରହିଛି। ଏହାକୁ ମିଶାଇ ରାଜ୍ୟରେ ମୋଟ୍ କରୋନା ସଂକ୍ରମିତଙ୍କ ସଂଖ୍ୟା ୧୦୦୪୦୫୯ରେ ପହଞ୍ଚିଛି ।
ରାଜ୍ୟରେ ବର୍ତ୍ତମାନ ସୁଦ୍ଧା ମୋଟ୍ ୧୦ ଲକ୍ଷ ୪ ହଜାର ୫୯ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଏଥି ମଧ୍ୟରୁ ୮ ହଜାର ୨୮୮ ଟି ଆକ୍ଟିଭ୍ କେସ୍ ରହିଥିବା ବେଳେ ୯ ଲକ୍ଷ ୮୮ ହଜାର ୯୦ଜଣ ସୁସ୍ଥ ହୋଇ ଘରକୁ ଫେରିଛନ୍ତି । ଏବେ ସୁଦ୍ଧା ରାଜ୍ୟରେ ୧୭୭୩୭୯୭୨୧ ସାମ୍ପୁଲ ଟେଷ୍ଟ୍ ହୋଇଛି।