(ସତ୍ୟପାଠ ବ୍ୟୁରୋ) ଭୁବନେଶ୍ବର : ସମଗ୍ର ଦେଶର ଅନ୍ୟୁନ ୪୯ଟି କେନ୍ଦ୍ରୀୟ ବିଶ୍ୱବିଦ୍ୟାଳୟ ରହିଥିବାବେଳେ ଓଡିଶାରେ ମାତ୍ର ଗୋଟିଏ ରହିଛି । ତେଣୁ ରାଜ୍ୟରେ ଅନ୍ୟୁନ ଆଉ ୩ଟି କେନ୍ଦ୍ରୀୟ ବିଶ୍ୱବିଦ୍ୟାଳୟ ସ୍ଥାପନ ପାଇଁ ବିଭିନ୍ନ ଅଞ୍ଚଳରୁ ଦାବି ଉଠିଛି ।
କେନ୍ଦ୍ରୀୟ ବିଶ୍ୱବିଦ୍ୟାଳୟ ଆଇନ୍ ଆଧାରରେ କେନ୍ଦ୍ର ସରକାରଙ୍କ ଶିକ୍ଷା ବିଭାଗ କେନ୍ଦ୍ରୀୟ ବିଶ୍ୱବିଦ୍ୟାଳୟ ପ୍ରତିଷ୍ଠା କରିଥାନ୍ତି । ଦୀର୍ଘ ଦିନର ଦାବି ପରେ କୋରାପୁଟରେ ଏକ କେନ୍ଦ୍ରୀୟ ବିଶ୍ୱବିଦ୍ୟାଳୟ ପ୍ରତିଷ୍ଠା କରାଯାଇଛି । କିନ୍ତୁ ଏଠାରେ ଆବଶ୍ୟକ ମୁତାବକ ଶିକ୍ଷକ ସାଙ୍ଗକୁ ଅନ୍ୟାନ୍ୟ ଭିତ୍ତିଭୂମିର ସମସ୍ୟା ଲାଗି ରହିଛି ।
ସୂଚନାଯୋଗ୍ୟ ଯେ ଓଡ଼ିଶାରେ ୧୯୪୩ ମସିହାରେ ପ୍ରଥମ ବିଶ୍ୱବିଦ୍ୟାଳୟ ଭାବେ ଉତ୍କଳ ବିଶ୍ୱବିଦ୍ୟାଳୟ ସ୍ଥାପିତ ହୋଇଥିଲା । ୨୦୦୦ ମସିହା ବେଳକୁ ବ୍ରହ୍ମପୁର, ସମ୍ବଲପୁର, ପୁରୀର ଶ୍ରୀଜଗନ୍ନାଥ, ବାଲେଶ୍ୱରର ଫକୀରମୋହନ, ବାରିପଦାର ଉତ୍ତରଓଡିଶା ବିଶ୍ୱବିଦ୍ୟାଳୟ, ମଧ୍ୟୁସୂଦନ ଆଇନ୍ ବିଶ୍ୱବିଦ୍ୟାଳୟ, କୃଷି ଓ ବୈଷୟିକ ବିଶ୍ୱବିଦ୍ୟାଳୟ ଏବଂ ବିଜୁ ପଟ୍ଟନାୟକ ବୈଷୟିକ ବିଶ୍ୱବିଦ୍ୟାଳୟ ଆଦି ସ୍ଥାପିତ ହୋଇଥିଲା । ଏହା ମଧ୍ୟରେ ରେଭେନ୍ସା, ରମାଦେବୀ ମହିଳା, ଖଲ୍ଲିକୋଟ, ଗଙ୍ଗାଧର ମେହେର, କଳାହାଣ୍ଡି ଓ ରାଜେନ୍ଦ୍ର ବିଶ୍ୱବିଦ୍ୟାଳୟ ପ୍ରଭୃତି ହୋଇଛି । ଏହାକୁ ବାଦ୍ ଦେଲେ କିଛି ଘରୋଇ ବିଶ୍ବବିଦ୍ୟାଳୟ ମଧ୍ୟ ପ୍ରତିଷ୍ଠା ହୋଇଛି। ଏଗୁଡ଼ିକ ହେଉଛି ସୋଆ, କିଟ୍, ସେଞ୍ଚୁରିଆନ, ଶ୍ରୀ ଶ୍ରୀ ଆଦି ଅନେକ ଘରୋଇ ବିଶ୍ୱବିଦ୍ୟାଳୟ।
ଉତ୍କଳଗୌରବ ମଧୁସୂଦନ ଦାସଙ୍କ ଗୃହ ପରିସରରେ କଟକରେ ଚାଲିଥିବା ଶୈଳବାଳା ସ୍ୱୟଂଶାସିତ କଲେଜକୁ ୧୦୮ବର୍ଷ ପୂରଣ କଲାଣି । ଏହି ମହିଳା କଲେଜଟି ଓଡିଶାର ପ୍ରଥମ ଓ ସାରା ଦେଶର ଦ୍ୱିତୀୟ । ତେବେ ଏହାକୁ କେନ୍ଦ୍ରୀୟ ବିଶ୍ୱବିଦ୍ୟାଳୟର ମାନ୍ୟତା ଦେବା ପାଇଁ ଦଳ ମତ ନିର୍ବିଶେଷରେ ଦାବି ଉଠୁଛି । ଯେହେତୁ ଧର୍ମେନ୍ଦ୍ର ପ୍ରଧାନ ଏବେ କେନ୍ଦ୍ରରେ ଶିକ୍ଷାମନ୍ତ୍ରୀ ଅଛନ୍ତି ସେ ଦୃଷ୍ଟିରୁ ଶୈଳବାଳା କେନ୍ଦ୍ରୀୟ ବିଶ୍ୱବିଦ୍ୟାଳୟ ମାନ୍ୟତା ପାଇବା ସହଜ ହେବବୋଲି ଆଶା କରାଯାଉଥିବାବେଳେ ଏଥିପାଇଁ କିନ୍ତୁ ଦୃଢ ରାଜନୈତିକ ଇଚ୍ଛାଶକ୍ତିର ଆବଶ୍ୟକତା ରହିଛି ।
ଦୀର୍ଘ ଦିନ ହେବ ଉତ୍କଳ ବିଶ୍ୱବିଦ୍ୟାଳୟକୁ କେନ୍ଦ୍ରୀୟ ବିଶ୍ୱବିଦ୍ୟାଳୟର ମାନ୍ୟତା ଦେବାଲାଗି ଦାବି ହୋଇଆସୁଛି । ଏହାଛଡା ଦକ୍ଷିଣ ଓ ପଶ୍ଚିମାଞ୍ଚଳର ଆଉ କେତେକ ପୁରୁଣା ମହାବିଦ୍ୟାଳୟକୁ ବିଶ୍ୱବିଦ୍ୟାଳୟରେ ରୂପାନ୍ତର କରିବାପାଇଁ ମଧ୍ୟ ଦାବି ଉଠିଲାଣି ।
ସୂଚନାଯୋଗ୍ୟ ଯେ, ଉତ୍ତରପ୍ରଦେଶରେ ସର୍ବାଧିକ ୬ଟି , ଦିଲ୍ଲୀରେ ୫ଟି, ବିହାରରେ ୪ଟି ଏବଂ ମଣିପୁର ଓ ତେଲେଙ୍ଗାନା ଭଳି ଛୋଟ ଛୋଟ ରାଜ୍ୟରେ ଦୁଇଟି ଲେଖାଏଁ କେନ୍ଦ୍ରୀୟ ବିଶ୍ୱବିଦ୍ୟାଳୟ ରହିଛି । ଏତଦ୍ ବ୍ୟତୀତ ତାମିଲନାଡୁ, ମହାରାଷ୍ଟ୍ର, ଝାଡଖଣ୍ଡ, ଗୁଜୁରାଟ ଓ ଆସାମ ଭଳି ରାଜ୍ୟ ଗୁଡିକରେ ମଧ୍ୟ ଏକାଧିକ କେନ୍ଦ୍ରୀୟ ବିଶ୍ୱବିଦ୍ୟାଳୟ ଥିବାରୁ ଓଡିଶାରେ ଆଉ ଦୁଇ ତିନିଟି କେନ୍ଦ୍ରୀୟ ବିଶ୍ୱବିଦ୍ୟାଳୟ ପ୍ରତିଷ୍ଠା କରିବା ପାଇଁ ବିଭିନ୍ନ ମହଲରୁ ଦାବି ଉଠୁଛି ।
ଏଠାରେ ଉଲ୍ଲେକନୀୟ ଯେ ଦେଶର ୪୯ଟି କେନ୍ଦ୍ରୀୟ ବିଶ୍ୱବିଦ୍ୟାଳୟ ମଧ୍ୟରୁ ୪୦ଟିକୁ କେନ୍ଦ୍ର ସରକାର ବିଶ୍ୱବିଦ୍ୟାଳୟ ଅନୁଦାନ ଆୟୋଗ (ୟୁଜିସି) ମାଧ୍ୟମରେ ଅର୍ଥ ଯୋଗାଉଥିବାବେଳେ ଆଉ ୯ଟି ସ୍ୱୟଂଶାସିତ ମର୍ଯ୍ୟାଦା ଦେଇ କେନ୍ଦ୍ର ସିଧାସଳଖ କୋଟି କୋଟି ଟଙ୍କାର ଆର୍ଥିକ ସହାୟତା ଯୋଗାଉଛି ।