(ସତ୍ୟପାଠ ବ୍ୟୁରୋ) ଭୁବନେଶ୍ବର : ଓଟିଡିସି ନାଁରେ ୩ କୋଟି ଠକେଇ ମାମଲାରେ ଖୋଲୁଛି ଆତ୍ମଘୋଷିତ ବାବା ବିଜୟାନନ୍ଦଙ୍କ ଠକେଇର ଫର୍ଦ୍ଦ । ଗିରଫ ହେବା ପରେ ବିଜୟାନନ୍ଦଙ୍କ ଗୋଟିଏ ପରେ ଗୋଟିଏ ଗୁମର ଖୋଲିବାରେ ଲାଗିଛି । ନକଲି ୱାର୍କ ଅର୍ଡର ଦେଇ ଜଣେ ସ୍ପେଶାଲ୍ କ୍ଲାସ୍ କଣ୍ଟ୍ରାକ୍ଟରଙ୍କୁ ୩ କୋଟି ଟଙ୍କାର ଚୂନ ଲଗାଇ ବନ୍ଧା ହୋଇଥିଲେ ଵିଜୟାନନ୍ଦ ଚୌଧିୁରୀ।
ଏବେ ପୁଣି ଆତ୍ମଘୋଷିତ ବାବା ବିଜୟାନନ୍ଦ ଗଞ୍ଜାମ ଜିଲ୍ଲାର ଜଣେ ଠିକାଦାରଙ୍କୁ ୨୫ ଲକ୍ଷ ଟଙ୍କାର ଚୂନ ଲଗାଇଥିବା ଅଭିଯୋଗ ହୋଇଛି। ଏନେଇ ଇଓଡବ୍ଲ୍ୟୁ ନିକଟରେ ଅଭିଯୋଗ ହୋଇଛି । ଟେଣ୍ଡର ଦେବା ନାଁରେ ସେ ଠକେଇ କରିନେଇଥିବା ଅଭିଯୋଗ ହୋଇଛି । ଅନ୍ୟ ପକ୍ଷରେ ଏହି ଘଟଣାରେ ଆତ୍ମଘୋଷିତ ବାବାଙ୍କ ୨ଟି ଆକାଉଣ୍ଟକୁ ଜବତ କରାଯାଇ ଫ୍ରିଜ୍ କରି ଦିଆଯାଇଥିବା ସୂଚନା ମିଳିଛି । ଦୁଇ ଆକାଉଣ୍ଟରେ ଥିବା ୨୫ ଲକ୍ଷ ଟଙ୍କା ସିଜ୍ କରାଯାଇଛି ।
ଭିନ୍ନ ଭିନ୍ନ ଲୋକଙ୍କ ପାଖକୁ ଏହି ଆତ୍ମଘୋଷିତ ବାଵାଙ୍କ ଆକାଉଣ୍ଟରେ ବଡ଼ ଧରଣର ଅର୍ଥ ଟ୍ରାନ୍ସଫର ହୋଇଥିବାର ପ୍ରମାଣ ତଦନ୍ତକାରୀ ସଂସ୍ଥା ପାଇଛି । ଅପରପକ୍ଷରେ ବାବା ବିଜୟାନନ୍ଦ ମହାରାଜ ଗୋଟିଏ ଓଡ଼ିଆ ଚଳଚ୍ଚିତ୍ରର ମହୁରତ ବେଳେ ନଜର ଆସିଥିଲେ। ଏହା ପରେ ସେହି ସିନେମାରେ ସେ ଟଙ୍କା ନିବେଶ କରିଛନ୍ତି ନା ନାହିଁ ତାହା ମଧ୍ୟ ତଦନ୍ତ ପରିସର ଭୁକ୍ତ କରିବ ଇଓଡବ୍ଲ୍ୟୁ ।
ଚୌଦ୍ୱାରରୁ ଢେଙ୍କାନାଳ ଯ଼ିବା ରାସ୍ତାରେ ରହିଛି ଠକ ବାବାଙ୍କ ଆଶ୍ରମ । ହେଲେ କଟକ ସେକ୍ଟର ୧୦ର ବିଡ଼ାନାସି ଅଞ୍ଚଳରେ ରହୁଥିଲେ ବାବା । ତନ୍ତ୍ରମନ୍ତ୍ର ଆଳରେ କଣ୍ଟାକ୍ଟରଙ୍କ ନିକଟରୁ ଜାଲ୍ ଦସ୍ତଖତ କରାଇ ଚୂନ ଲଗାଉଥିବା ଅଭିଯୋଗ ହୋଇଛି । ଅଭିଯୋଗ ପରେ ବାବାଙ୍କୁ ରିମାଣ୍ଡରେ ଆଣି ଇଓଡବ୍ଲୁ ପଚରାଉଚରା କରୁଥିବା ସୂଚନା ମିଳିଛି । ସୂଚନା ଥାଉକି ପୂର୍ବରୁ ନିଜକୁ ଓଟିଡିସିର ଚେୟାରମ୍ୟନର ପରିଚୟ ଦେଇ ସ୍ପେଶାଲ କ୍ଲାସ କଣ୍ଟ୍ରାକ୍ଟର ଧନୁର୍ଦ୍ଧର ଚମ୍ପତିରାୟଙ୍କ ନିକଟରୁ ୩କୋଟି ଟଙ୍କା ଚୂନ ଲାଗାଇଥିବା ଅଭିଯୋଗ ଆସିଥିଲା ।