ଗୁରୁ ଦିବସ ପୂର୍ବରୁ ସବୁ ଶିକ୍ଷକଙ୍କୁ ଦିଆଯିବ କରୋନା ଟିକା

(ସତ୍ୟପାଠ ବ୍ୟୁରୋ) ଭୁବନେଶ୍ବର : କରୋନା ମହାମାରୀ ଆସିବା ପର ଠାରୁ ସ୍କୁଲ କଲେଜ ବନ୍ଦ ଥିଲା। ସଂକ୍ରମଣ ହ୍ରାସ ପାଉଥିବାରୁ ଧୀରେ ଧୀରେ ସ୍କୁଲ୍ ଏବଂ ଶିକ୍ଷାନୁଷ୍ଠାନ ଖୋଲିବା ଆରମ୍ଭ ହୋଇଛି। ତେବେ ଆଗକୁ ତୃତୀୟ ଲହର ଆସୁଥିବା ବେଳେ ଏହି ସମୟରେ ସଂକ୍ରମଣ ବଢ଼ିବାର ଆଶଙ୍କା ଥିବାରୁ ସବୁ ସ୍କୁଲ ଶିକ୍ଷକଙ୍କୁ ପ୍ରାଥମିକତା ଦେଇ କରୋନା ଟିକା ଦେବାକୁ କେନ୍ଦ୍ର ସରକାର ପ୍ରସ୍ତୁତି ଆରମ୍ଭ କରିଛନ୍ତି। 

ଶିକ୍ଷକଙ୍କୁ ପ୍ରାଥମିକତା ଭିତ୍ତିରେ ସେପ୍ଟେମ୍ବର ୫ ଗୁରୁ ଦିବସ ପୂର୍ବରୁ ଟିକା ଦେବାକୁ କେନ୍ଦ୍ର ସରକାର ସବୁ ରାଜ୍ୟ ସରକାରମାନଙ୍କୁ ଅନୁରୋଧ କରିଛନ୍ତି। ଏପରି କି ଶିକ୍ଷକଙ୍କ ଟିକାକରଣ ପାଇଁ କେନ୍ଦ୍ର ସରକାର ଟିକାର ଅତିରିକ୍ତ ୨ କୋଟି ଡୋଜ୍‌ ଦେବେ ବୋଲି କହିଛନ୍ତି।

ଏ ସମ୍ପର୍କରେ ଟ୍ବିଟ୍ କରି ସୂଚନା ଦେଇଛନ୍ତି କେନ୍ଦ୍ର ସ୍ୱାସ୍ଥ୍ୟମନ୍ତ୍ରୀ। କେନ୍ଦ୍ର ସ୍ୱାସ୍ଥ୍ୟମନ୍ତ୍ରୀ ମନସୁଖ ମାଣ୍ଡଭୀୟ ଟ୍ୱିଟ କରି କହିଛନ୍ତି, ଚଳିତ ମାସରେ ରାଜ୍ୟଗୁଡ଼ିକୁ ଅତିରିକ୍ତ ୨ କୋଟିରୁ ଅଧିକ କରୋନା ଟିକା ଡୋଜ୍‌ ଯୋଗାଇ ଦିଆଯାଉଛି। 

ତେଣୁ କେନ୍ଦ୍ର ସରକାର ସବୁ ରାଜ୍ୟର ସରକାରମାନଙ୍କୁ ଅନୁରୋଧ କରୁଛନ୍ତି ଯେ ସେମାନେ ସେପ୍ଟେମ୍ବର ୫ ରେ ପାଳନ କରାଯାଉଥିବା ଗୁରୁ ଦିବସ ପୂର୍ବରୁ ସ୍କୁଲରେ ପାଠପଢ଼ାଉଥିବା ସମସ୍ତ ଶିକ୍ଷକ ଓ ଶିକ୍ଷୟିତ୍ରୀମାନଙ୍କୁ ପ୍ରାଥମିକତା ଭିତ୍ତିରେ ଟିକା ଦେବାକୁ ପ୍ରୟାସ କରନ୍ତୁ ବୋଲି  ସ୍ୱାସ୍ଥ୍ୟମନ୍ତ୍ରୀ ମନସୁଖ ମାଣ୍ଡଭୀୟ କହିଛନ୍ତି। 

ସୂଚନାଯୋଗ୍ୟ ଯେ ଗତ ୨୪ ଘଣ୍ଟାରେ ୩୭,୫୯୩ ନୂଆ ସଂକ୍ରମିତ ଚିହ୍ନଟ ହୋଇଥିଲା ବେଳେ ୬୪୮ ଜଣଙ୍କର ମୃତ୍ୟୁ ଘଟିଛି । ଅନ୍ୟପକ୍ଷରେ ୩୪,୧୬୯ ଜଣ ଆରୋଗ୍ୟଲାଭ କରିଛନ୍ତି । ଦେଶରେ ଏବେ ସକ୍ରିୟ ରୋଗୀ ସଂଖ୍ୟା ରହିଛି ୩,୨୨,୩୨୭ । ଦେଶରେ ଏପର୍ଯ୍ୟନ୍ତ ୫୯ କୋଟି ୫୫ ଲକ୍ଷ ୪ ହଜାରରୁ ଅଧିକ ଡୋଜ କୋଭିଡ ପ୍ରତିଷେଧକ ଟିକା ପ୍ରଦାନ କରାଯାଇସାରିଲାଣି ।ଏନେଇ କେନ୍ଦ୍ର ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରଣାଳୟ ସୂଚନା ଦିଆଯାଇଛି।

Related Posts